ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନ, ମହାପ୍ରଭୁ ଦର୍ଶନ କରି ବେଶ୍ ଆନନ୍ଦିତ

NEWS7
ବିକାଶ-ନାଁରେ-ବିନାଶ

ପୁରୀ ୨୭।୧୨: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ସାନିଧ୍ୟ ଲାଭ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମୁଖ୍ୟ ନିର୍ବାଚନ କମିଶନ ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟ ନିର୍ବାଚନ କମିଶନ ଓ ତାଙ୍କ ପତ୍ନୀ ପହଞ୍ଚିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂଙ୍କ ସହିତ ପରିଚାଳନା କମିଟିର ସେବାୟତ ମାନେ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ ।

ମୁଖ୍ୟ ନିର୍ବାଚନ କମିଶନ ସ୍ବପତ୍ନୀକ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ବେଶ୍ ଭାବବିହ୍ବଳ ହୋଇଥିଲେ । ପରେ ମା’ ବିମଳା, ଲକ୍ଷ୍ମୀଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ ।

ତେବେ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି, ମୁଁ ମୋ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଲି । ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଏହା ଆଜି ମୋ ପାଇଁ ଶୁଭ ଅବସର ହୋଇପାରିଛି । ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠାରୁ ପ୍ରାଚୀନ କଳା । ଏହା ବିଷୟରେ ବୁଝିବା ଏବଂ ଜାଣିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି । ସେପଟେ ମୁଖ୍ୟ ପ୍ରଶାସକ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟ ନିର୍ବାଚନ କମିଶନ ବେଶ୍ ଆନନ୍ଦ ଅନୁଭବ କରିଛନ୍ତି । ଭିତର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଛନ୍ତି ଜ୍ଞାନେଶ କୁମାର ।