ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାଂଲାଦେଶରେ ହତ୍ୟା, ହିନ୍ଦୁ ବ୍ୟବସାୟୀଙ୍କ ଜୀବନ ନେଲେ...

NEWS7
ପିଲାଙ୍କ-ଦକ୍ଷତା-ବୃଦ୍ଧିରେ

ଢ଼ାକା: ବାଂଲାଦେଶରେ ଫେବୃଆରୀ ୧୨ ତାରିଖରେ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା କମିବାର ନାଁ ଧରୁନାହିଁ । ବାଂଲାଦେଶରେ ସାଧାରଣ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ, ମୈମନସିଂ ଜିଲ୍ଲାର ତ୍ରିଶାଲ ଉପଜିଲ୍ଲାରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ମୃତକ ୬୨ ବର୍ଷୀୟ ସୁଶେନ ଚନ୍ଦ୍ର ସରକାର । ସେ ତ୍ରିଶାଲରେ ଏମଏସ ଭାଇ-ଭାଇ ଏଣ୍ଟରପ୍ରାଇଜେସ୍ ନାମରେ ଏକ ବ୍ୟବସାୟ କରୁଥିଲେ। ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବାଂଲାଦେଶୀ ଗଣମାଧ୍ୟମ ଆଇଟିଭି ପୀଡିତଙ୍କ ପରିବାର ଏବଂ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଆଧାରରେ କହିଛି ଯେ, ‘ଦୁର୍ବୃତ୍ତମାନେ ବୋଗାର ବଜାର ଛକରେ ସରକାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଦୋକାନ ସଟର ବନ୍ଦ କରିବା ପରେ ତାଙ୍କୁ ଭିତରେ ଛାଡି ଦେଇଥିଲେ । ପରେ ପରିବାର ସଦସ୍ୟମାନେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ମୈମନସିଂ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।’

ମୃତକଙ୍କ ପୁଅ ସୁଜନ ସରକାର କହିଛନ୍ତି, ‘ଆମର କାହା ସହିତ ଶତ୍ରୁତା ନଥିଲା। ମୋ ବାପାଙ୍କୁ ନିର୍ମମ ଭାବରେ ହତ୍ୟା କରିବା ପରେ, ଅପରାଧୀମାନେ ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆମର ଚାଉଳ ବ୍ୟବସାୟ ବହୁ ଦିନ ଧରି ଚାଲିଆସୁଥିଲା। ଆମେ ଏହି ହତ୍ୟାକାରୀଙ୍କ ପାଇଁ କଠୋର ଦଣ୍ଡ ଦାବି କରୁଛୁ।’ପୋଲିସ କହିଛି, ‘ଦୁର୍ବୃତ୍ତମାନେ ତାଙ୍କୁ (ସୁଶେନ ଚନ୍ଦ୍ର ସରକାର) ରାତି ପ୍ରାୟ ୧୧ଟାରେ ହତ୍ୟା କରିଥିଲେ ଏବଂ ତା'ପରେ ଦୋକାନ ସଟର ବନ୍ଦ କରି ଚାଲିଯାଇଥିଲେ । ପରିବାର ସଦସ୍ୟମାନେ ଖୋଜାଖୋଜି କରିବା ସମୟରେ ସଟର ଖୋଲି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ, ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।’

ଦେଶରେ ସାଧାରଣ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ, ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ମହମ୍ମଦ ୟୁନୁସଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ, ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଇଛି । ଏହାକୁ ନେଇ ସମଗ୍ର ବିଶ୍ବ ଏବଂ ମାନବାଧିକାର ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି ।