LIVE TV

ଭାରତ ବନାମ ଦ. ଆଫ୍ରିକା ଟି-୨୦: ଏହି ଦିନ ସର୍ବସାଧାରଣଙ୍କ ପାଇଁ ଟିକେଟ୍ ବିକ୍ରି

NEWS7
ପଶ୍ଚିମ-ଓଡ଼ିଶା-ଉପରେ-ଉଭୟ-ବି

କଟକ: ପୁଣି ଥରେ କମ୍ପିବ ବାରବାଟୀ। ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଏହା ହେଉଛି ପ୍ରଥମ ମ୍ୟାଚ୍।  ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରସୋରେ ଚାଲିଛି। ଟିକେଟ୍ ବିକ୍ରି ନେଇ ଓସିଏ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ।  

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ସେହିଭଳି ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଷ୍ଟାଡିୟମ୍ ପରିସରରେ ଟିକେଟ ବିକ୍ରି କରାଯିବ । ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ।  ମୋଟ ୬ଟି ଟିକେଟ କାଉଣ୍ଟର ରେ ଟିକେଟ ବିକ୍ରି କରାଯିବ। ତେବେ କେତେ ସଂଖ୍ୟାରେ ଟିକେଟ ବିକ୍ରି ହେବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ସୂଚନାଯୋଗ୍ୟ, ୨୦୨୫ରେ ଦ୍ଵିତୀୟ ଥର ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍। ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଏବେ ପୁଣି ଥରେ କ୍ରିକେଟ୍ ପ୍ରେମୀ ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚର ମଜା ଉଠାଇବେ। ଏହି ଗ୍ରାଉଣ୍ଡରେ ଶେଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ୨୦୨୨ ଜୁନ ୧୨ରେ ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିଲା। ଆଉ ସବୁଠୁ ମଜା କଥା ବାରବାଟୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୫ ଅକ୍ଟୋବର ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲା। ​​​​​​​