US strikes on Venezuela: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ନେଇ ଆସିଲା ଭାରତର ପ୍ରତିକ୍ରିୟା: ଦୁଇ ଦେଶର ଯୁଦ୍ଧକୁ ନେଇ କାହିଁକି ଚିନ୍ତା କଲା ଭାରତ ?

NEWS7
ଦ୍ୱିତୀୟ-ବିଶୁର-ଅହଂକାର-bada-khabar-03-16-07-2018

ନୂଆଦିଲ୍ଲୀ:ଭେନେଜୁଏଲା ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ ନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିବା ସହିତ ଏହା ଉପରେ ନଜର ରଖାଯାଇଛି ବୋଲି ରବିବାର(ଜାନୁଆରୀ ୪)ରେ ଭାରତ ସରକାରଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି “ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାବଳୀ ଗଭୀର ଚିନ୍ତାର ବିଷୟ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ।” ତେବେ ଉଭୟ ପକ୍ଷରୁ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ କରିବାକୁ ଭାରତ ପରାମର୍ଶ ଦେଇଛି।

ବିବୃତ୍ତିରେ କୁହାଯାଇଛି “ଭାରତ ଭେନେଜୁଏଲାର ଲୋକଙ୍କ କଲ୍ୟାଣ ଏବଂ ସୁରକ୍ଷା ପ୍ରତି ସମର୍ଥନକୁ ପୁନଃ ଦୋହରାଇଛି। ଆମେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ କରୁଛୁ, ଯାହା ଫଳରେ ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ ହୋଇପାରିବ।”

ଭେନେଜୁଏଲାରେ ଥିବା ଭାରତୀୟଙ୍କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସରକାର। ସେ କହିଛନ୍ତି ଯେ କାରାକାସରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଯୋଗାଯୋଗରେ ଅଛି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଜାରି ରହିବ।

ଭେନେଜୁଏଲାରେ ଆମେରିକାର ଆକ୍ରମଣ ପରେ ଶନିବାର ଭାରତ ସରକାରଙ୍କ ପକ୍ଷରୁ ଦେଶର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ଅତି ଜରୁରୀ କାମ ନଥିଲେ ଭେନେଜୁଏଲା ଯାତ୍ରା ନ କରିବାକୁ ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେବା ସହିତ ବର୍ତ୍ତମାନ ଭେନେଜୁଏଲାରେ ଥିବା ଭାରତୀୟମାନଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ବୈଦେଶିକ ମନ୍ତ୍ରଣାଳୟ (MEA) କହିଥିଲା। ସେମାନଙ୍କର ଗତିବିଧିକୁ ସୀମିତ କରିବାକୁ ଏବଂ କାରାକାସରେ ଥିବା ଭାରତୀୟ ଦୂତାବାସ ସହିତ ସମ୍ପର୍କରେ ରହିବାକୁ ଅନୁରୋଧ କରାଯାଇଥିଲା।

ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ-

ଶନିବାର ଆମେରିକାର ସେନା ଭେନେଜୁଏଲା ଉପରେ ଆକ୍ରମଣ କରି ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇ ଆଣିଥିଲା। ତାଙ୍କ ପତ୍ନୀଙ୍କୁ ମଧ୍ୟ ଉଠାଇ ଆଣିଥିଲା ଆମେରିକା ସେନା। ଏହାପରେ ଟ୍ରମ୍ପ ଏହାର ଫଟୋ ଟ୍ରୁଥ୍ ଶୋସାଲ୍ରେ ପୋଷ୍ଟ କରି ସୂଚନା ଦେଇଥିଲା। ଯାହାକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ରାଷ୍ଟ୍ରମୁଖ୍ୟଙ୍କ ବିରୁଦ୍ଧରେ ଆମେରିକାର ଏଭଳି ଆଚରଣକୁ ଜାତିସଂଘ ନିନ୍ଦା କରିଛି।

ମାଦୁରୋଙ୍କ ବିରୁଦ୍ଧରେ ନାର୍କୋ-ଆତଙ୍କବାଦ ଷଡଯନ୍ତ୍ର, କୋକେନ୍ ଆମଦାନୀ ଷଡଯନ୍ତ୍ର, ମେସିନ୍ ଗନ୍ ଏବଂ ବିନାଶକାରୀ ଉପକରଣ ରଖିବା ଏବଂ ଆମେରିକା ବିରୁଦ୍ଧରେ ମେସିନ୍ ଗନ୍ ଏବଂ ବିନାଶକାରୀ ଉପକରଣ ରଖିବାର ଷଡଯନ୍ତ୍ର କରିଥିବା ଆମେରିକା ଅଭିଯୋଗ ଲଗାଇଛି।