ଦ୍ବିତୀୟ ଦିନରେ ଓଡ଼ିଶା ମାଷ୍ଟର୍ସ "BWF ୨୦୨୫", କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କଲେ କ୍ରୀଡ଼ା ମନ୍ତ୍ରୀ

NEWS7
ଟ୍ରାଫିକ-ପୋଲିସ-ବାବୁଙ୍କ-ବଟ

କଟକ: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସ "BWF ୨୦୨୫"। ବୁଧବାର ଦ୍ୱିତୀୟ ଦିନରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଜାପାନ, ଇଣ୍ଡୋନେସିଆ ଭଳି୧୬ଟି ଦେଶରୁ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଛନ୍ତି। ପୁରୁଷ ସିଙ୍ଗଲସ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଛଅ ଦିନ ଧରି ଏହି ଖେଳ ଅନୁଷ୍ଠିତ ହେବ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବ୍ୟାଡମିଣ୍ଟନର ବିକାଶ କରାଯାଉଛି। ପ୍ରତିଦିନ ପାଖାପାଖି ସାଢ଼େ ତିନି ଲକ୍ଷ ପିଲା ଆମ ରାଜ୍ୟରେ ବ୍ୟାଡମିଣ୍ଟନ ଖେଳୁଛନ୍ତି , ତେଣୁ ଆଗାମୀ ଦଶ ବର୍ଷ ଯାଏ ବାଡମିଣ୍ଟନ କ୍ଷେତ୍ରରେ ଓଡ଼ିଶାରେ ସୁବର୍ଣ୍ଣ ସମୟ ଚାଲିଛି। ପ୍ରଧାନମନ୍ତ୍ରୀଙ୍କର ଫିଟ ଇଣ୍ଡିଆ ଓ ମୁଖ୍ୟମନ୍ତ୍ରୀଙ୍କର ଫିଟ ଓଡ଼ିଶାର ନାରା ଆଗାମୀ ଦିନରେ ବ୍ୟାଡମିଣ୍ଟନ ପାଇଁ ଗୋଟେ ବଡ଼ ଉପକରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହା ବ୍ୟତୀତ ଗ୍ରାମାଞ୍ଚଳରୁ ପ୍ରତିଭା ଚୟନ କରିବା ସହ ରାଜ୍ୟର ୩୧୪ ଗୋଟି ବ୍ଲକରେ ବ୍ଲକ ଲେବୁଲ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ୪୧୨୪ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ଯାହା ଗ୍ରାମୀଣ ପିଲାମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବାଡମିଣ୍ଟନରେ ଭରପୁର ସୁଯୋଗ ରହିଛି। ବିଶ୍ୱ ରାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶା ମାଷ୍ଟର ସୁପର ୧୦୦ ବେଶ ସହାୟକ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍।