୩ ମାସରେ ସରିବ ପୂରା ପ୍ରକ୍ରିୟା, ୮୦ % ମ୍ୟାପିଂ ଶେଷ: ବୁଥ୍‌ରୁ ରାଜ୍ୟ ସ୍ତର ୫ ଥାକିଆ ବ୍ୟବସ୍ଥା

NEWS7
ଚାଷୀଙ୍କ-ସହ-ସଧାସଳଖ-କଥା-ହେଲ

ଭୁବନେଶ୍ୱର ୧୨/୦୨: ଓଡ଼ିଶାରେ ଭୋଟର ତାଲିକାର ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) । ଏପ୍ରିଲରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ୨୦୦୨ ଏସଆଇଆର୍ ସମୟର ଭୋଟର ତାଲିକା ଓ ୨୦୨୫ ଭୋଟର ତାଲିକାର ମେଳ (ମ୍ୟାପିଂ) ଜୋରସୋରରେ ଚାଲିଛି । ଏବେ ସୁଦ୍ଧା ୮୦% ମତଦାତାଙ୍କ ମ୍ୟାପିଂ ସରିଲାଣି ।

ଚଳିତ ମାସ ଶେଷ ସୁଦ୍ଧା ଭୋଟର ମ୍ୟାପିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୧୨ ରାଜ୍ୟରେ ଏସଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଓଡ଼ିଶାରେ ଏ ଦିଗରେ ପ୍ରକ୍ରିୟା ଆଗେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) । ସିଇଓ କାର୍ଯ୍ୟାଳୟ ପକ୍ଷରୁ ଭୋଟରଙ୍କ ମ୍ୟାପିଂ ନେଇ ବିଜ୍ଞାପନ ମାଧ୍ୟମରେ ବିସ୍ତୃତ ସୂଚନା ଜାରି କରାଯାଇଛି । ୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସଆଇଆର୍ କରାଯାଇଥିଲା । ୨୦୦୨ (ଏସଆଇଆର୍ ସମୟର) ଭୋଟର ତାଲିକା ଓ ୨୦୨୫ ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି ।

ଏ ସମସ୍ତ ତଥ୍ୟ ଘରେ ବସି ଭୋଟର ଆରାମରେ ପାଇପାରିବେ । ଇସିଆଇ ୱେବସାଇଟରେ ଶେଷ ଏସଆଇଆର୍ ତଥ୍ୟକୁ କ୍ଲିକ କରି ୨୦୦୨ର ଭୋଟର ତାଲିକା ଯାଞ୍ଚ କରିପାରିବେ । ୨୦୦୨ ତାଲିକାରେ ନାମ ନଥିଲେ ତାଲିକାରୁ ନିଜ ବାପା, ମା’, ଜେଜେ ବାପା, ଜେଜେ ମା’ଙ୍କ ନାମ ଯାଞ୍ଚ କରି ବିଏଲଓ (ବୁଥସ୍ତରୀୟ ଅଧିକାରୀ)ଙ୍କୁ ତଥ୍ୟ ଜଣାଇବାକୁ ହେବ । ଇସିଆଇ ନେଟ ମୋବାଇଲ୍ ଆପ୍‌ରୁ ମଧ୍ୟ ଏ ତଥ୍ୟ ମିଳିପାରିବ ।

ଇସିଆଇ ନେଟରେ ବିଏଲଓଙ୍କୁ ଫୋନ କରିବାର ସୁବିଧା ଉପଲବ୍ଧ ରହିଛି । ଆବଶ୍ୟକ ସ୍ଥଳେ ଭୋଟର ହେଲ୍ପ ଲାଇନ ନମ୍ବର ୧୯୫୦ରେ ଫୋନ କରି ସହାୟତା ନେଇ ପାରିବେ । ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଭୋଟର ତାଲିକା ମ୍ୟାପିଂ ହାର ଅଧିକ ରହିଛି । ଏସଆଇଆର୍ ପାଇଁ ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ରାଜ୍ୟରେ ଭୋଟର ତାଲିକା ମ୍ୟାପିଂ କରାଯାଉଛି । ଖୁବଶୀଘ୍ର ଏ ପ୍ରକ୍ରିୟା ଶେଷ ହେବ । ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିଏଲଓମାନେ ଘରକୁ ଘର ଯିବେ ।

ପ୍ରତି ଭୋଟରଙ୍କୁ ନେଇ ଦୁଇଟି ଫର୍ମ ପୂରଣ କରାଯିବ । ଗୋଟିଏ ଫର୍ମ ଭୋଟର ରଖିବେ, ଅନ୍ୟଟି ବିଏଲଓ ନେବେ । ଏହି ଫର୍ମରେ ଭୋଟରଙ୍କ ନୂଆ ରଙ୍ଗୀନ ଫଟୋ ଲଗାଯିବ । ଫର୍ମରେ ଭୋଟରଙ୍କ ଏପିକ୍ ନମ୍ବର, ବାପାଙ୍କ ନାମ, ବୁଥ୍, ନିର୍ବାଚନମଣ୍ଡଳୀ ତଥ୍ୟ ରହିବ । ଏହି ପ୍ରକ୍ରିୟା ମାସେ ବ୍ୟାପୀ ଚାଲିବ । ଏହା ପରେ ବୁଥ୍ ୱାରି ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହି ତାଲିକା ବୁଥ୍ରୁ ନେଇ ୱେବସାଇଟ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ଉପରେ ଆପତ୍ତି, ଅଭିଯୋଗ ଆହ୍ୱାନ କରାଯିବ ।

ମାସେ ବ୍ୟାପୀ ଏ ନେଇ ଶୁଣାଣି ଚାଲିବ । ଯିଏ ପ୍ରତ୍ୟକ୍ଷ ଭାବେ ନ ଆସିପାରିବେ, ତାଙ୍କ ପାଇଁ ଭର୍ଚୁଆଲ ଶୁଣାଣି ସୁବିଧା ରହିବ । ଏହାପରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବ । ୩ ମାସରେ ପୂରା ଏସ୍ଆଇଆର ପ୍ରକ୍ରିୟା ସରିବ । ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୦୨ରେ ଯେଉଁମାନେ ଭୋଟର ଥିଲେ, ବର୍ତ୍ତମାନ ସେମାନଙ୍କର ସ୍ୱତଃ ମ୍ୟାପିଂ ହୋଇଯିବ । ଯେଉଁମାନଙ୍କର ନାମ ୨୦୦୨ ଭୋଟର ତାଲିକାରେ ନଥିଲା, ସେମାନେ ନିଜ ବାପା, ମା’, ଜେଜେଙ୍କ ତଥ୍ୟ ପ୍ରଦାନ କରିବେ ।

also read..

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା, ଘର ପରେ ଡିଜିଟାଲ୍ ଫର୍ମାଟରେ କାଉଣ୍ଟିଂ

ଭୋଟର ତାଲିକା ମ୍ୟାପିଂରୁ ଏକାଧିକ ସ୍ଥାନରେ ଭୋଟର ଥିଲେ ଜଣାପଡ଼ିଯିବ । କେବଳ ଗୋଟିଏ ସ୍ଥାନରେ ହିଁ ଭୋଟର ହୋଇପାରିବେ । ଏକାଧିକ ବୁଥରେ ଭୋଟର ଥିବା ଏଭଳି ୪ ଲକ୍ଷ ଭୋଟର ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି । ସେମାନେ ଏବେ କେବଳ ଗୋଟିଏ ସ୍ଥାନର ଭୋଟର ହୋଇ ରହିବେ । ସମାନ ନାମ ଥିବା ଏଭଳି ମତଦାତାଙ୍କୁ ସ୍ୱତନ୍ତ୍ର ସଫ୍ଟୱେୟାର ଯୋଗୁ ସହଜରେ ଚିହ୍ନଟ କରି ହେଉଛି । ଯେଉଁ ଭୋଟରଙ୍କର ମ୍ୟାପିଂ ହୋଇପାରୁନି, ସେମାନେ ଆବାସିକ ପ୍ରମାଣପତ୍ର (ରେସିଡେଣ୍ଟ ପ୍ରମାଣପତ୍ର) ଓ ଜନ୍ମ ପ୍ରମାଣପତ୍ର ଦେବାକୁ ହେବ ।

କୌଣସି ଭାରତୀୟ ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ । ଏସଆଇଆର ଓ ମ୍ୟାପିଂ ପ୍ରକ୍ରିୟା ପାଇଁ ୫ ଥାକିଆ ବ୍ୟବସ୍ଥା ରହିଛି । ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ ବିଏଲ୍ଓ । ତାଙ୍କୁ ତଦାରଖ କରିବେ ଏଇଆରଓ(ବିଡିଓ, ତହସିଲଦାର) । ଏହାର ଉପର ପର୍ଯ୍ୟାୟରେ ଇଆରଓ (ଉପଜିଲ୍ଲପାଳ, ଅତିରିକ୍ତ ଜିଲ୍ଲାପାଳ) ରହିଛନ୍ତି । ଏହି ସ୍ତରରେ ଏସଆଇଆରକୁ ନେଇ ବଡ଼ ନିଷ୍ପତ୍ତି ନେବାର କ୍ଷମତା ରହିଛି । ଏହାର ଉଚ୍ଚତମ ପର୍ଯ୍ୟାୟରେ ଜିଲ୍ଲାପାଳ (ଜିଲ୍ଲା ନିର୍ବାଚନ ଅଧିକାରୀ) ରହିବେ । ସର୍ବୋଚ୍ଚ ସ୍ତରରେ ସିଇଓ ରହିଛନ୍ତି ।