India-US trade deal: ବାଣିଜ୍ୟ ଚୁକ୍ତିରେ ଆମେରିକା ପାଇଁ ସୀମା ରେଖା ଟାଣିଲା ଭାରତ, ପ୍ରକୃତରେ କାହାକୁ ହେବ ଫାଇଦା ?

NEWS7
ଖୋର୍ଦ୍ଧା-ଜିଲ୍ଲାରେ-ଚାଷୀଙ୍

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିର ଫ୍ରେମୱାର୍କ ସାମ୍ନାକୁ ଆସିଛି। ଦୁଇ ଦେଶ ମିଳିତ ବିବୃତ୍ତି ଜାରି କରି ଅନ୍ତରୀଣ ବାଣିଜ୍ୟ ଚୁକ୍ତିର ଏକ ଫ୍ରେମୱର୍କ ଘୋଷଣା କରିଛନ୍ତି। ଏବେ ଦୁଇ ପକ୍ଷ ଏହି ଅନ୍ତରୀଣ ବାଣିଜ୍ୟ ଚୁକ୍ତିର ଫ୍ରେମୱାର୍କକୁ ଲାଗୁ କରିବା ଦିଗରେ କାମ କରିବେ। ଏହି ଚୁକ୍ତି ଆମେରିକା ଅପେକ୍ଷା ଭାରତ ପାଇଁ ଅଧିକ ଲାଭପ୍ରଦ ହେବ, ଅନ୍ୟପଟେ ଭାରତୀୟ ଚାଷୀଙ୍କ ପାଇଁ ଆମେରିକାର ୩୦ ଟ୍ରିଲିଅନ ଡଲାର ବଜାର ଖୋଲିଯିବ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି।

ଦୀର୍ଘଦିନ ଧରି ଟକରାଟକରି ପରେ ଶେଷରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଡିଲ୍ ଫାଇନାଲ୍ ହୋଇଛି। ଯଦିଓ ଏନେଇ ଟ୍ରମ୍ପ କିଛିଦିନ ତଳେ ଘୋଷଣା କରି ସାରିଥିଲେ, ହେଲେ ଡିଲ୍‌ର ଫ୍ରେମୱାର୍କ ବିଷୟରେ କୌଣସି ସୂଚନା ମିଳି ନଥିଲା। ତେଣୁ ବିରୋଧୀ ନାନା ପ୍ରଶ୍ନ ଉଠାଇଥିଲେ, ଦେଶବାସୀଙ୍କ ମନରେ ମଧ୍ୟ ଏନେଇ ଉତ୍କଣ୍ଠା ବଢ଼ିଥିଲା। ଏସବୁରେ ଯବନିକ ପକାଇ ଶନିବାର ଦୁଇ ଦେଶ ଅନ୍ତରୀଣ ବାଣିଜ୍ୟ ଚୁକ୍ତିର ଫ୍ରେମୱାର୍କ ବିଷୟରେ ଘୋଷଣା କରିଛନ୍ତି।

ଭାରତ ଆମେରିକାକୁ କେବଳ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରବେଶ କରିବାକୁ ଅନୁମତି ଦେଇଛି। କିଛି ନିର୍ଦ୍ଦିଷ୍ଠ ଆମେରକୀୟ ପ୍ରଡକ୍ଟକୁ ଶୁଳ୍କ ମୁକ୍ତ ପ୍ରବେଶକୁ ଅନୁମତି ଦିଆଯାଇଥିବା ବେଳେ ଦେଶର ଘୋଇ ସ୍ୱାର୍ଥକୁ ସୁରକ୍ଷା ଦିଆଯାଇଛି ବୋଲି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ। ଦୁଇ ଦେଶ ଫ୍ରେମୱାର୍କ ଘୋଷଣା କରିବା ପରେ ପିୟୂଷ ଗୋୟଲ ସମ୍ବାଦିକ ସମ୍ମିଳନୀ କରି ପୂରା ଡିଲ୍ ବିଷୟରେ ତଥ୍ୟ ରଖିଥିଲେ। ଏବଂ ଆଜିର ଦିନକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ ବୋଲି କହିଥିଲେ। ଏହି ଡିଲ୍‌ ଭାରତୀୟ ଅର୍ଥନୀତିକୁ ଦ୍ରୁତ ଅଭିବୃଦ୍ଧି କରିବା ଦିଗରେ ଏକ ସୁଯୋଗ ଦେବ। ଦେଶରେ ୧୪୦ କୋଟି ଜନତା ଏଥିରେ ଲାଭବାନ ହେବେ।

ପୀୟୁଷ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ ଏହି ଚୁକ୍ତିନାମା ଜେନେଟିକାଲି ମଡିଫାଏଡ୍ (GM) ଖାଦ୍ୟକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇ ନାହିଁ। ଏହି ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ୩୦ ଟ୍ରିଲିୟନ ଡଲାର ବା ପ୍ରାୟ ୨୭.୧୮ ଲକ୍ଷ କୋଟି ଟଙ୍କାର ବଜାର ଖୋଲିଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ, ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେରିକାରୁ ୫୦୦ ବିଲିୟନ ଡଲାର ମୂଲ୍ୟର ବିଭିନ୍ନ ପ୍ରଡକ୍ଟ କିଣିବ। ଏହି ଡିଲ୍‌ରେ ଭାରତୀୟ ସାମଗ୍ରୀ ଉପରେ ଆମେରିକାର ଟିକସ ୫୦% ରୁ ୧୮% କୁ ହ୍ରାସ କରାଯାଇଛି। ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫% ଟିକସକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି।

ଯଦିଓ ବର୍ତ୍ତମାନ ଟ୍ରେଡ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ବିଷୟ ସ୍ପଷ୍ଟ ହୋଇ ନାହିଁ। ତେବେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ ଘୋଷଣା ଅନୁସାରେ, କେଉଁସବୁ ଭାରତୀୟ ସାମଗ୍ରୀ ଉପରେ ଆମେରିକା ଶୁଳ୍କ ଲଗାଇବ ନାହିଁ, ଓ କେଉଁସବୁ ଆମେରିକୀୟ ସାମଗ୍ରୀ ଭାରତରେ ଟ୍ୟାକ୍ସ ଫ୍ରି ଏଣ୍ଟ୍ରି କରିବ ଆସନ୍ତୁ ଜାଣିବା।

ସାମ୍ବାଦିକ ସମ୍ମିଳନୀରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଅନ୍ତରୀଣ ବାଣିଜ୍ୟ ଫ୍ରେମୱାର୍କ ଅଧୀନରେ ଭାରତର ଏକାଧିକ ଉଚ୍ଚ ମୂଲ୍ୟାକାରୀ ସାମଗ୍ରୀ ରପ୍ତାନୀ ଉପରେ ଆମେରିକା କୌଣସି ଶୁଲ୍କ ଲଗାଇବ ନାହିଁ। ଏହଦ୍ୱାରା ଦେଶର କୃଷି, ଔଷଧ ଏବଂ ଉଚ୍ଚ-ମୂଲ୍ୟର ନିର୍ମିତ ସାମଗ୍ରୀ ସର୍ବାଧିକ ଲାଭବାନ ହେବେ। ଭାରତର ଚା, ମସଲା, କଫି, ନଡ଼ିଆ ତେଲ, ସୁଖିଲା ନଡ଼ିଆ ଏବଂ ଭେଜିଟେବଲ ୱାକ୍ସ, ଉପରେ ଆମେରିକାରେ କୌଣସି ଆମଦାନୀ ଶୁଳ୍କ ଲାଗୁ ହେବ ନାହିଁ। ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଫଳ, ପନିପରିବା ଏବଂ କୃଷି ଉତ୍ପାଦ ଦ୍ରବ୍ୟ ଯଥା- କଦଳୀ, ଆମ୍ବ, ପିଜୁଳି, ଆଭୋକାଡୋ, କିୱି, ଅମୃତଭଣ୍ଡା, ଗାଜର, ମୂଳା କନ୍ଦମୂଳ ଭଳି ମାଟି ତଳୁ ଉତ୍ପାଦ ହେଉଥିବା ପନିପରିବା, ସପୁରିପଣସ, ଅଫିମ ମଞ୍ଜି, ଛତୁ, ଶସ୍ୟ, ଜଅ, ବେକେରୀ ଉତ୍ପାଦ, କୋକୋ ଉତ୍ପାଦ, କମଳା ରସ ଏବଂ ତିଳ ସମେତ ବିଭିନ୍ନ ପ୍ରଡକ୍ଟ ଉପରେ ଆମେରିକା କୌଣସି ଶୁଳ୍କ ଲଗାଇବା ନାହିଁ।

ଏହି ଚୁକ୍ତିନାମା ଭାରତର ଚାଷୀ, ଏମଏସଏମଇ, କିମ୍ବା ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ସ୍ୱାର୍ଥକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଉ ନାହିଁ ବୋଲି ଗୋୟଲ କହିଛନ୍ତି। କୃଷି ବ୍ୟତୀତ, ଆମେରିକାକୁ ପ୍ରାୟ ୧୩ ବିଲିୟନ ଡଲାର ମୂଲ୍ୟର ଔଷଧ ରପ୍ତାନି ସମେତ ରତ୍ନପଥର ଓ ହୀରା ଆଦି ରପ୍ତାନୀ ଉପରେ ଆମେରିକା କୌଣସି ଶୁଳ୍କ ଲଗାଇବ ନାହିଁ। କେବଳ ସେତିକି ନୁହେଁ, ସ୍ମାର୍ଟଫୋନ୍, ଏୟାରକ୍ରାଫ୍ଟ ପାର୍ଟ,ଏଲିମେଣ୍ଟାରି ଅଟୋପାର୍ଟ, କାନ୍ଥଘଣ୍ଟା, ହାତଘଣ୍ଟା, ଅତ୍ୟାବଶ୍ୟକୀୟ ତେଲ ଏବଂ କିଛି ନିର୍ଦ୍ଦିଷ୍ଠ ଘର ସଜା ସାମଗ୍ରୀ ଉପରେ ଭବିଷ୍ୟତରେ କୌଣସି ଶୁଳ୍କ ଲାଗିବ ନାହିଁ।

ଆମେରିକା ସହ ଟ୍ରେଡ୍ ଡିଲ୍‌ରେ ଭାରତ ନିଜର ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଡିଲ୍ କରିଛି ବୋଲି ବାଣିଜ୍ୟ ମନ୍ତ୍ରୀ କହିଛନ୍ତି। ତେବେ କିଛି ଆମେରିକୀୟ ସାମଗ୍ରୀକୁ ଭାରତରେ ଟ୍ୟାକ୍ସି ଫ୍ରି ଏଣ୍ଟ୍ରି ପାଇଁ ଅନୁମତି ମିଳିଛି। ଆଉ କିଛି ସାମଗ୍ରୀ ପାଇଁ ଭାରତ ସୀମା ରେଖା ଟାଣିଛି। ସେଗୁଡ଼ିକ କଣ ଆସନ୍ତୁ ଜାଣିବା।  

ସାମ୍ବାଦିକ ସମ୍ମିଳନୀରେ ପିୟୂଷ ଗୋୟଲ କହିଛନ୍ତି ଯେ ଭାରତର ସ୍ୱାର୍ଥକୁ ସୁରକ୍ଷା ଦେଇ ଆମେରିକାର କିଛି ନିର୍ଦ୍ଦିଷ୍ଟ ସାମଗ୍ରୀକୁ ଭାରତରେ ଟ୍ୟାକ୍ସି ଫ୍ରି ଏଣ୍ଟ୍ରି କରାଇବାକୁ ଅନୁମତି ଦିଆଯାଇଛି। ସେଗୁଡ଼଼ିକ ମଧ୍ୟରେ ପଶୁଖାଦ୍ୟ ବା DDGS), କିଛି ମଦ ଓ ସ୍ପିରିଟ, ବିଭିନ୍ନ ପ୍ରକାର ବାଦାମ ଓ ଡ୍ରାଏଫ୍ରୁଟ୍, ତାଜା ଏବଂ ଫ୍ରୋସେସ ଫ୍ରୁଟ୍, ସୋୟାବିନ୍ ତେଲ ଡ୍ୟୁଟି ଫ୍ରି ହେବ। ସେହିଭଳି କିଛି କସମେଟିକ ପ୍ରଡକ୍ଟ, କମ୍ପ୍ୟୁଟର ପ୍ରଡକ୍ଟ,ଫାଇବରସ୍କୋପ ଓ ଲାପରୋସ୍କୋପ୍ସ ଭଳି କିଛି ନିର୍ଦ୍ଦିଷ୍ଟ ମେଡିକାଲ ଉପକରଣ ସୁଲଭ ଏଣ୍ଟ୍ରିର ବ୍ୟବସ୍ଥା କରାଯାଇଛି।

ତେବେ ଆମେରିକା ପାଇଁ କିଛି ସୀମା ରେଖା ମଧ୍ୟ ଟାଣିଛି ଭାରତ। କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ଖୋଲା କରି ନାହିଁ। କୌଣସି ଜେନେଟିକାଲି ମଡିଫାଏଡ୍ (GM) ଖାଦ୍ୟକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କୃଷି କ୍ଷେତ୍ରରେ ସବୁଠାରୁ ବଡ଼ ସୁରକ୍ଷା ପ୍ରସଙ୍ଗରେ ଥିବା ଶସ୍ୟ ଭଳି ପ୍ରଚୁର ପରିମାଣରେ ଉତ୍ପାଦିତ ମୁଖ୍ୟ ସାମଗ୍ରୀ ଯଥା- ମକା, ଚାଉଳ, ଗହମ, ବାଜରା, ରାଗି, କଦଳୀ, ଲେମ୍ବୁ ଜାତୀୟ ଫଳ, କାବୁଲି ଚଣା, ଚିନି, ସୋୟାବିନ୍ ଆଦିକୁ ଡିଲ୍‌ରୁ ବାଦ ଦିଆଯାଇଛି। ସେହିପରି ମାଂସ, କୁକୁଡ଼ା, କ୍ଷୀରଜାତ ଦ୍ରବ୍ୟ, ଇଥାନଲ୍ ଏବଂ ତମାଖୁ ସମେତ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ମଧ୍ୟ ଏହି ଚୁକ୍ତିରୁ ବାଦ ଦିଆଯାଇଛି। ଯାହା ଘରୋଇ ସୁରକ୍ଷା ସହିତ ବାଣିଜ୍ୟ ସୁଯୋଗକୁ ସନ୍ତୁଳିତ କରିବାରେ ଭାରତର ସତର୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।

ଏସବୁ ବାଦ୍, କପଡ଼ା, ଚମଡ଼ା ପ୍ରଡକ୍ଟ, ରବର ଓ ପ୍ଲାଷ୍ଟିକ, ମେସିନାରି, ଅର୍ଗାନିକ କେମିକାଲ୍, ହସ୍ତଶୀଳ୍ପ ଉତ୍ପାଦନ ଓ କିଛି ନିର୍ଦ୍ଦିଷ୍ଟ ଘର ସଜା ସାମଗ୍ରୀ ଉପରେ ଆମେରିକା ଶୁଳ୍କ ହ୍ରାସ କରି ୧୮ ପ୍ରତିଶତ କରିବ।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଲେ ଆମେରିକା ସହିତ ହୋଇଥିବା ବାଣିଜ୍ୟ ଚୁକ୍ତିରେ ଭାରତ ଲାଭବାନ ହେବ। ଏଥିରେ କିଭଳି ଏହି ଲାଭ ମିଳିବ ତାହା ଉପରେ ତ ନିଶ୍ଚିତ ନଜର ପକାଇବା, ତା ଛଡ଼ା ଭାରତ ଆମେରିକା ଠାରୁ ଯେଉଁ ୫୦୦ ବିଲିଅନ ଡଲାର ସାମଗ୍ରୀ କିଣିବ ବୋଲି ପ୍ରତିଶ୍ରୁତି ଦେଇଛି ସେଗୁଡ଼ିକ ସବୁ କଣ ଆସନ୍ତୁ ବୁଝିବା। ​​​​​​​ଭାରତୀୟ ସାମଗ୍ରୀ ଉପରେ ଆମେରିକାର ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି।  ଯାହା ଦ୍ବାରା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଆମେରିକା ବଜାରରେ ପ୍ରବେଶ ପୁନଶ୍ଚ ସୁଗମ ହୋଇଛି। ଜେନେରିକ୍ ଔଷଧ, ରତ୍ନ ଏବଂ ହୀରା, ବିମାନ ପାର୍ଟସ ଉପରେ ଶୁଳ୍କ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରାଯିବ। ଯାହା ଫଳରେ ଏହି କ୍ଷେତ୍ରଗୁଡ଼ିକରେ ପ୍ରତିଯୋଗିତା ବୃଦ୍ଧି ପାଇବ। ଭାରତୀୟ MSME, ଚାଷୀ, ମତ୍ସ୍ୟଜୀବୀ, ମହିଳା ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଆମେରିକୀୟ ବଜାରରେ ପ୍ରବେଶ ମିଳିପାରିବ।

ବୟନଶିଳ୍ପ, ଚମଡ଼ା ଏବଂ ଫୁଟ ଓୟାର, ପ୍ଲାଷ୍ଟିକ୍ ଏବଂ ରବର ଉତ୍ପାଦ, ଜୈବ ରାସାୟନିକ ପଦାର୍ଥ, ହୋମ ଡେକୋରେସନ ସାମଗ୍ରୀ, ହସ୍ତଶିଳ୍ପ ଏବଂ କିଛି ଯନ୍ତ୍ରପାତିରେ ନୂଆ ଅବସର ମିଳିବ। ଆମେରିକାର ଧାରା ୨୩୨ ଅନୁଯାୟୀ ବିମାନ ପାର୍ଟସ ଆମଦାନୀ ରପ୍ତାନୀକୁ ଛାଡ଼ ମିଳିବ।  ସେହିଭଳି କିଛି ଅଟୋ ପାର୍ଟସ ଆମେରିକାକୁ ସ୍ୱତନ୍ତ୍ର ପ୍ରବେଶ ଅନୁମତି ମିଳିବ।

ସେହିଭଳି ଏହି ଡିଲ୍ ଅନୁଯାୟୀ, ଡିଜିଟାଲ ବାଣିଜ୍ୟକୁ ସରଳ କରିବା ପାଇଁ କଷ୍ଟକର ପ୍ରକ୍ରିୟାକୁ ଦୂର କରିବା ଦିଗରେ ଉଭୟ ଦେଶ କାମ କରିବେ। ଏହାର ଅର୍ଥ ହେଉଛି ଡିଜିଟାଲ ସେବା, ଇ-କମର୍ସ, ଡାଟା ସେୟାରିଂ, କ୍ଲାଉଡ୍ ସର୍ଭିସ ଏବଂ ଅନଲାଇନ୍ ବାଣିଜ୍ୟରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଉପରେ କାମ କରାଯିବ।

ଏହା ଭାରତୀୟ ଆଇଟି କମ୍ପାନୀ, ଷ୍ଟାର୍ଟଅପ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକୁ ଆମେରିକା ବଜାରରେ ଅଧିକ ସହଜରେ କାର୍ଯ୍ୟ କରିବାକୁ ଅନୁମତି ଦେବ। ଏହା GPU ଏବଂ ଡାଟା ସେଣ୍ଟର ଉପକରଣ ଭଳି ଆମେରିକୀୟ ପ୍ରଯୁକ୍ତିର ଆମଦାନୀ ମଧ୍ୟ ବୃଦ୍ଧି ହେବ। ଯାହା ଭାରତର AI ଏବଂ ଡିଜିଟାଲ୍ ଇକୋସିଷ୍ଟମକୁ ସୁଦୃଢ଼ କରିବ।

ଆମେରିକା ସହ ହୋଇଥିବା ଡିଲ୍‌ରେ ସବୁଠୁ ବଡ଼ କଥା ହେଲା ଭାରତ ଆମେରିକା ଠାରୁ ୫୦୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ କିଣିବା। ତେବେ ଏହା ଏକକାଳୀନ କିଣାଯିବ ନାହିଁ, ବରଂ ଆଗାମୀ ୫ ବର୍ଷରେ ଆମେରିକାଠାରୁ ସମୁଦାୟ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକା ଉତ୍ପାଦ କିଣିବ ଭାରତ। ଯେଉଁଥିରେ ଏନର୍ଜି ପ୍ରଡକ୍ଟ. ବିମାନ ଏବଂ ବିମାନ ପାର୍ଟସ, ମୂଲ୍ୟବାନ ଧାତୁ, ଟେକ୍ନୋଲୋଜି ପ୍ରଡକ୍ଟ, ରନ୍ଧନ କୋଇଲା ଆଦି କିଣିବ ବୋଲି କୁହାଯାଉଛି। ତେବେ ଏହି ଡିଲ୍ ସମ୍ପର୍କରେ ଆହୁରି ଏକାଧିକ କଥା ସ୍ପଷ୍ଟ ହୋଇ ନାହିଁ। ଧୀରେ ଧୀରେ ସମୟ ସହିତ ଏସବୁ ସ୍ପଷ୍ଟ ହେବା ଆଶା କରାଯାଉଛି।