iran protests: ୧୯ ଦିନର ଇରାନ ଆନ୍ଦୋଳନ; ୨୬୭୭ ମୃତ୍ୟୁ ସହ ୨୫୦ଟି ମସଜିଦ, ୨୬୫ଟି ସ୍କୁଲ ଏବଂ ୪,୭୦୦ ବ୍ୟାଙ୍କ... କେତେ ହେଲା କ୍ଷତି ଜାଣନ୍ତୁ

NEWS7
କୋରାପୁଟ-ବୋରିଗୁମ୍ମା-ଜୟନ୍ତ

ନୂଆଦିଲ୍ଲୀଇରାନରେ ୧୯ ଦିନର ପ୍ରତିବାଦ ପରେ, ପରିସ୍ଥିତି ଏବେ ଶାନ୍ତ ପଡ଼ିଥିବା ଶୁଣିବାକୁ ମିଳୁଛି। ଇରାନ ପୋଲିସ ମୁଖ୍ୟଙ୍କ କହିବା ଅନୁଯାୟୀ, ସାରା ଦେଶରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ହେଲେ ଏହି ୧୯ ଦିନର ଆନ୍ଦୋଳନରେ ଦେଶରେ ଅନେକ କ୍ଷତି ହୋଇଛି। ହଜାର ହଜାର ଜୀବନ ଯାଇଛି, ଏକାଧିକ ନିର୍ମାଣ ଭାଙ୍ଗି ଦିଆଯାଇଛି। ଏ ନେଇ ଏବେ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।

ଆମେରିକୀୟ ମାନବାଧିକାର ସଂଗଠନ HRANA ଅନୁଯାୟୀ, ଏପର୍ଯ୍ୟନ୍ତ ଇରାନୀ ଆନ୍ଦୋଳନରେ ୨,୬୭୭ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୨,୪୭୮ ଜଣ ପ୍ରଦର୍ଶନକାରୀ ଏବଂ ୧୬୩ ଜଣ ସରକାରୀ କର୍ମଚାରୀ ଅଛନ୍ତି। ତେବେ ସଂଗଠନ ଦେଇଥିବା ଏହି ସଂଖ୍ୟାଗୁଡ଼ିକୁ ଯାଞ୍ଚ କରାଯାଇ ନାହିଁ। ସରକାରୀ ସ୍ତରରେ ଯାଞ୍ଚ କଲେ ହୁଏତ ସଂଖ୍ୟା କମ୍ ବେଶି ହୋଇପାରେ।

ତେବେ ଆନ୍ଦୋଳନ ବେଳେ ଇରାନର ୩୦ଟି ରାଜ୍ୟରେ ଅସ୍ଥିରତା ଲାଗି ରହିଥିଲା। ପ୍ରାୟ ସବୁ ଜାଗାରେ ଆନ୍ଦୋଳନକୀରମାନେ ଭଙ୍ଗାରୁଜା ଚଳାଇଥିଲେ। ଏଥିରେ ପ୍ରାୟ ୨୫୦ଟି ମସଜିଦ ଏବଂ ୨୦ଟି ଧାର୍ମିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। କେବଳ ତେହେରାନରେ ହିଁ ଶତାଧିକ ଗାଡ଼ି ପୋଡ଼ି ଦିଆଯାଇଛି। ୩୬୪ଟି ବଡ଼ ଏବଂ ୪୧୯ଟି ଛୋଟ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ୧୮୨ଟି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର ଉପକରଣର କ୍ଷତି ମିସାଇଲେ ମୋଟ ୫.୩ ମିଲିଅନ ଡଲାରର କ୍ଷତି ହୋଇଛି।

ବିଭିନ୍ନ ବ୍ୟାଙ୍କଗୁଡ଼ିକର ୩୧୭ଟି ବ୍ୟାଙ୍କ ଶାଖା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦେଶରେ ୪,୭୦୦ଟି ବ୍ୟାଙ୍କ ୧୦% ରୁ ୯୦% ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛନ୍ତି । ୧,୪୦୦ଟି ଏଟିଏମ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୫୦ଟି ଏଟିଏମ୍‌ ସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି।

ସେହିପରି ବିଦ୍ୟୁତ୍ କ୍ଷେତ୍ର ଦେଖିଲେ ଏଥିରେ ୬.୬ ମିଲିଅନ ଡଲାରର କ୍ଷତି ହୋଇଛି। ଶିକ୍ଷାଗତ ଏବଂ ସାଂସ୍କୃତିକ ଐତିହ୍ୟ ସ୍ଥାନଗୁଡ଼ିକ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ୨୬୫ଟି ସ୍କୁଲ ଏବଂ ଶିକ୍ଷା କେନ୍ଦ୍ର, ତିନୋଟି ପ୍ରମୁଖ ପାଠାଗାର, ୮ଟି ସାଂସ୍କୃତିକ ଏବଂ ପର୍ଯ୍ୟଟନସ୍ଥଳୀ ଏବଂ ୪ଟି ସିନେମାଘର କ୍ଷତିଗ୍ରସ୍ତ ହୋଇଛି।

କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଥମିଲା ପ୍ରତିବାଦ

ଇରାନ ଆନ୍ଦୋଳନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ, ପ୍ରତିବାଦ ପ୍ରାୟତଃ ଶାନ୍ତ ହୋଇଛି। ମାନବାଧିକାର ସଂଗଠନ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ସୁରକ୍ଷା ବାହିନୀର କଠୋରତା ଯୋଗୁ ପରିସ୍ଥିତି ନିୟନ୍ତ୍ରଣରେ ଥିବା ପରି ମନେ ହେଉଛି। ଇରାନର ସରକାରୀ ଗଣମାଧ୍ୟମ ଶୁକ୍ରବାର ଆହୁରି ଅନେକ ଗିରଫଦାରୀ ସମ୍ପର୍କରେ ରିପୋର୍ଟ କରିଛି।

ଗୋଟିଏ ପଟେ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ଇରାନ ସରକାରଙ୍କୁ ଟ୍ରମ୍ପ ବାରମ୍ବାର ଧମକ ଦେଇ ଆନ୍ଦୋଳନ ନିଆଁରେ ଘିଅ ଢାଳୁଥିଲେ। ଯଦି ଇରାନ ଆନ୍ଦୋଳନକାରୀଙ୍କୁ ଏଭଳି ହତ୍ୟା କରେ ତେବେ ଆମେରିକା ଇରାନ ଉପରେ ଆକ୍ରମଣ କରିବ ବୋଲି ଟ୍ରମ୍ପ ଧମକ ଦେଉଥିଲେ। ତେବେ ବୁଧବାର ଟ୍ରମ୍ପଙ୍କ ସ୍ୱର ସାମାନ୍ୟ ନରମ ପଡ଼ିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନରେ ହିଂସା ହ୍ରାସ ପାଉଛି, ତେଣୁ ଆମେରିକାର ଆକ୍ରମଣର ସମ୍ଭାବନା ବି ହ୍ରାସ ପାଉଛି। ସାଉଦି ଆରବ ଏବଂ କାତାର ଆମେରିକା ସହିତ ଆଲୋଚନା କରି ଆକ୍ରମଣକୁ ରୋକିବାକୁ ଚେଷ୍ଟା କରିଛନ୍ତି ବୋଲି ଜଣାପଡ଼ିଛି।

ଇରାନ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଦୁଇ ନେତା ମଧ୍ୟପ୍ରାଚ୍ୟ ଏବଂ ଇରାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଇରାନ ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଟିନ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ପୁଟିନ ଇରାନ ରାଷ୍ଟ୍ରପତି ମାସୁଦ ପାଜେଶକିୟାନଙ୍କ ସହ ଏକ ପୃଥକ ଫୋନ୍ କଲ୍ ମାଧ୍ୟମରେ ମଧ୍ୟ କଥା ହୋଇଥିଲେ। ଇରାନୀ ଗଣମାଧ୍ୟମ ଅନୁସାରେ, ପାଜେଶକିୟାନ ପୁଟିନଙ୍କୁ କହିଥିଲେ ଯେ ଦେଶରେ ଅଶାନ୍ତି ପଛରେ ଆମେରିକା ଏବଂ ଇସ୍ରାଏଲର ହାତ ଅଛି।