ମେକ୍ସିକୋ ସେନାର ବଡ ଅପରେସନ, ବିଶ୍ୱର ମୋଷ୍ଟ୍ ଓ୍ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ନିହତ : ପ୍ରତିବାଦରେ ଦେଶ ସାରା ହିଂସା

NEWS7
କୁଖ୍ୟାତ-ଗ୍ୟାଙ୍ଗ୍‌ଷ୍ଟାର୍

ନୂଆଦିଲ୍ଲୀ, ୨୩/୦୨: ନିହତ ହେଲା ମେକ୍ସିକୋର ଡ୍ରଗ୍ସ ମାଫିଆ । ଏକ ସାମରିକ ଅଭିଯାନରେ ମେକ୍ସିକୋର ସବୁଠୁ କୁଖ୍ୟାତ ଏବଂ ମୋଷ୍ଟ୍ ଓ୍ୱାଣ୍ଟେଡ୍ ନିଶା କାରବାରୀ ନେମୋସିୟୋ ରୁବନ୍ ଓସେଗୁଏରା ସର୍ବେଟେସ୍ ପ୍ରାଣ ହରାଇଛି । ନେମୋସିୟୋ ସ୍ଥାନୀୟ ଅଞ୍ଚଳରେ ଏଲ୍ ମେଞ୍ଚୋ ନାଁରେ କୁଖ୍ୟାତି ଅର୍ଜନ କରିଥିଲା । ତେବେ ନେମୋସିୟୋର ମୃତ୍ୟୁପରେ ଦେଶରେ ହିଂସା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ମେକ୍ସିକୋ ଡିଫେନ୍ସ ମିନିଷ୍ଟ୍ରି ରବିବାର ରାତିରେ ନେମୋସିୟୋର ମୃତ୍ୟୁ ନେଇ ଘୋଷଣା କରିଛି । ସେ ବିଶ୍ୱର ମୋଷ୍ଟ୍ ଓ୍ୱାଣ୍ଟେଡ୍ ନିଶା କାରବାରୀଙ୍କ ମଧ୍ୟରେ ସାମିଲ ଥିଲା । ଦେଶର ଜରିସ୍କୋରେ ମେକ୍ସିକାନ୍ ସୁରକ୍ଷା ବଳ ଅପରେସନ ଆରମ୍ଭ କରିଥିଲା । ଏଥିରେ ୫୯ ବର୍ଷୀୟ ନେମୋସିୟୋକୁ ଗୁଳି ବାଜି ଥିଲା । ତାକୁ ଏୟାର ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଉଥିବା ସମୟରେ ସେ ପ୍ରାଣ ହରାଇଛି ।

ଏଲ୍ ମେଞ୍ଚୋ ନିଜର ସଙ୍ଗଠନ ଜଲିସ୍କୋ ନ୍ୟୁ ଜେନେରେସନ କର୍ଟେଲ ନାଁରେ ସାମ୍ରାଜ୍ୟ ବିସ୍ତାର କରିଥିଲା । ଗତ ଏକ ଦଶନ୍ଧୀ ଧରି ସେ ଦେଶର ଅନେକ ସ୍ଥାନରେ ନିଶା କାରବାରକୁ ପ୍ରୋତ୍ସାହନ କରିଥିଲା । ଆମେରିକାକୁ ମଧ୍ୟ ସେ ନିଶା ରପ୍ତାନୀ କରୁଥିଲା । ତେବେ ଏଲ୍ ମେଞ୍ଚୋର ମୃତ୍ୟୁ ପରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସିନବାମ୍ ମୁହଁ ଖୋଲୁ ନାହାଁନ୍ତି । ସମସ୍ତ ତଥ୍ୟ ସୁରକ୍ଷା କ୍ୟାବିନେଟର ବୈଠକ ପରେ ହିଁ ଦିଆଯିବ ବୋଲି ସେ ମତ ଦେଇଛନ୍ତି ।

ମେକ୍ସିକୋ ସାରା ଉତ୍ତେଜନା

ଏଲ୍ ମେଞ୍ଚୋର ମୃତ୍ୟୁ ପରେ ମେକ୍ସିକୋର ଅନେକ ଜାଗାରେ ହିଂସା ଦେଖିବାକୁ ମିଳିଛି । ତାର ସଙ୍ଗଠନ ଯେଉଁ ସବୁ ରାଜ୍ୟରେ ଶକ୍ତିଶାଳୀ ରହିଛି ସେଠାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲୋକେ ରାସ୍ତାରେ ନିଆଁ ଜାଳି ପ୍ରତିବାଦ କରୁଛନ୍ତି । ଗାଡିମୋଟରକୁ ଜାଳି ଦେବା ସହ ମୁଖ୍ୟ ରାସ୍ତାକୁ ବନ୍ଧୁକ ଧରି ଆତତାୟୀମାନେ ବନ୍ଦ କରିଦେଉଥିବା ଦେଖିବାକୁ ମିଳିଛି ।