ଦୁଇ ମାସର ଛୁଆକୁ ଏମିତି କଲବଲ କରି ମାରିଦେଲା ଯେ …ଲେଖିବା ବି କଷ୍ଟକର …

NEWS7
ଅଫିସ୍-ଖୋଲା-ହେଲେ-କର୍ମଚାରୀ

ହାଇଦ୍ରାବାଦ ୨୫/୦୨:  ଏତେ ନିଷ୍ଠୁର, ଏତେ ବିଭତ୍ସ ଆଉ ଏତେ ଭୟଙ୍କର ! କିପରି କେହି ଏମିତି କରିପାରେ , ପୁଣି ମଣିଷ ହୋଇ ? ତେଲେଙ୍ଗାନାରୁ ଆସିଥିବା ଏହି ଖବର କେବଳ ଛାତି ଥରେଇ ଦେବନି , ଶୁଣିଲେ , ଭାବିଲେ ପଢିଲେ ବି ବହୁତ କଷ୍ଟ । ବିଶ୍ବାସ କରିହେଉନି ,କିପରି ହାତ ଗଲା ? ନିଜ ରକ୍ତ, ନିଜ ଜନ୍ମ କଲା ଛୁଆଟାକୁ କ’ଣ କେହି ଏପରି କଲବଲ କରି ମାରିପାରେ ? ତେଲେଙ୍ଗାନାର ମେଡଚଲ ଜିଲ୍ଲା ଅନ୍ତର୍ଗତ ଡୁନଡିଗଲ ପୋଲିସ ଥାନା ଅଞ୍ଚଳରେ ଥିବା କୁଥ୍ବୁଲ୍ଲାପୁରରେ ଘଟିଛି ଏହି ଘଟଣା । ମାତ୍ର ଦୁଇ ମାସର ଛୁଆକୁ ହତ୍ୟା ଅଭିଯୋଗରେ ତାର ମାଆ-ବାପଙ୍କୁ ଅଟକ ରଖିଛି ପୋଲିସ ।

ଥାନାରେ ଅଟକ ଦମ୍ପତ୍ତି ହେଲେ ୨୧ ବର୍ଷୀୟ ରାଜେନ୍ଦ୍ର ଏବଂ ତାର ପତ୍ନୀ ୨୨ ବର୍ଷୀୟା ମମତା । ସେମାନେ ଭିଆଇଥିବା ଅତି ଜଘନ୍ୟ କାଣ୍ଡଟି ହେଲା ବାପ-ମାଆ ହୋଇ ବି ସେମାନେ ସେମାନଙ୍କର ଦୁଇ ମାସର ପୁଅ ସୂର୍ଯ୍ୟାକୁ ହତ୍ୟା କରିଛନ୍ତି । ମଧ୍ୟପ୍ରଦେଶ ବାସିନ୍ଦା ମମତା ଓ ରାଜେନ୍ଦ୍ର କାମ ଅନ୍ବେଷଣରେ ହାଇଦ୍ରାବାଦ ଆସିଥିଲେ । ସେମାନେ ବଉରାମପେଟରରେ ନିର୍ମାଣାଧିନ ଥିବା ଏକ ଉଚ୍ଚ ଅଟ୍ଟାଳିକା ଅଞ୍ଚଳରେ ରହୁଥିଲେ । ମୂଲ ମଜୁରି ଲାଗି ସେମାନେ ଚଳୁଥିଲେ । ବର୍ଷେ ତଳେ ବିବାହ କରିଥିବା ଏହି ଦମ୍ପତ୍ତି ଦୁଇ ମାସ ତଳେ ଏକ ଶିଶୁ ପୁତ୍ର ଲାଭ କରିଥିଲେ । ତେବେ ହଠାତ୍ କଣ ହେଲା ଯେ, ଶିଶୁ ପୁତ୍ରର ଅକାଳରେ ଏବଂ ଏକ ଅଭାବନୀୟ ସ୍ଥିତିରେ ମୃତ୍ୟୁ ହେଲା ?

ପୋଲିସ ସୂଚନା ଅନୁଯାୟୀ ଘଟଣାଟି କେବଳ ହୃଦୟ ବିଦାରକ ନୁହେଁ, ଅତି ବିଭତ୍ସ, ଅମାନୁଷିକ । ଦୁଇ ମାସର ସୂର୍ଯ୍ୟା ଏମିତି କାନ୍ଦିଲା ଯେ, ତାର କାନ୍ଦ ବନ୍ଦ ହେଲାନି । ଦୁଇ ଦିନ ଯାଏଁ ତାର କାନ୍ଦ ବନ୍ଦ ହେଲାନି । ବିଚଳିତ , ବିବ୍ରତ ହୋଇପଡିଲେ ବାପ-ମା , ମମତା ଏବଂ ରାଜେନ୍ଦ୍ର । ସୂର୍ୟ୍ୟାର କାନ୍ଦ ବନ୍ଦ ନହେବାରୁ ମମତା ତାର ପାଟିରେ କପଡା ବାନ୍ଧି ଦେଲା । ପିଲାଟା ହାତ-ଗୋଡ ଛାଟିବାରୁ ତାକୁ ବି କପଡାରେ ବାନ୍ଧି ପକାଇଲା ମାଆ ମମତା । ତାପରେ ତା ମୁଣ୍ଡକୁ କ’ଣ ଜୁଟିଲା କେଜାଣି ଦୁଇ ମାସର କଅଁଳା ଛୁଆଟାକୁ ଜଳନ୍ତା ଷ୍ଟେଭ୍ ଉପରକୁ ପକାଇଦେଲା । ଚେଙ୍କ ଦେଇ ପାଟି ବନ୍ଦ କରିବାକୁ ନା ଡାରାଇବାକୁ ତା ସେ କେବଳ ଜାଣିଥିବ । ପରିଣତି ହେଲା ଅତି ଭୟଙ୍କର । ସୂର୍ଯ୍ୟାର କାନ୍ଦ ବନ୍ଦ ହୋଇଗଲା , ସବୁ ଦିନ ପାଇଁ । ପୁରା ନୀରବ ହୋଇଗଲା ନଷ୍ପାପ ଶିଶୁଟି । କାରଣ ତାର ପ୍ରାଣ ଚାଲିଯାଇଥିଲା । ଏହି ଘଟଣାରେ ପୋଲିସ ମମତା ଏବଂ ରାଜେନ୍ଦ୍ରଙ୍କୁ ଅଟକ ରଖିଛି । ଶିଶୁର ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଏପଟେ ଶିଶୁର ମାଆ ମମତାର ମାନସୀକ ସ୍ଥିତି ଠିକ୍ ନଥିବା ଏବଂ ବିକୃତିରୁ ସେ ଏପରି କରିଥିବା ପ୍ରାଥମିକ ଅନୁସନ୍ଧନରୁ ଜଣାପଡିଥିବା ପୋଲିସ ସୂତ୍ରରୁ ପ୍ରକାଶ । ତେବେ ଯାହା ବି ହେଉ ସେ ମାଆ ନା ଅସୁରୁଣୀ ?