ମସ୍କୋ ୨୧।୧୦ : କ୍ରେମଲିନ ସମାଲୋଚକ ଏଲେକ୍ସି ନଭଲନୀଙ୍କ ବିଧବା ପତ୍ନୀ ୟୁଲିୟା ନଭଲନା ସୋମବାର କହିଛନ୍ତି ଯେ ସେ ଦିନେ ଋଷିଆ ଫେରିବେ ଓ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ। ତେବେ ସେତେବେଳେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ କ୍ଷମତାରେ ନଥିବେ। ସେ ପୁଟିନଙ୍କୁ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିଛନ୍ତି ଓ ତାଙ୍କୁ ଶାସନରୁ ହଟାଇବାକୁ ଯାହା ବି ଦରକାର ସବୁ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଉପଯୁକ୍ତ ସମୟ ଆସିବ ସେ ପ୍ରାର୍ଥୀ ରୂପେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ।
ଗତ ଫେବୃଆରୀରେ ଆର୍କଟିକ୍ ଜେଲରେ ଏଲେକ୍ସି ନଭଲନୀଙ୍କର ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା। ପୁଟିନଙ୍କ ସମାଲୋଚନା ପାଇଁ ତାଙ୍କୁ ଚୁପ କରିବାକୁ ଭ୍ରଷ୍ଟାଚାର ଅଭିଯୋଗରେ ୩୦ ବର୍ଷ କାରାଦଣ୍ଡାଦେଶ ହୋଇଥିଲା। ତେବେ ୟୁଲିୟା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ପୁଟିନଙ୍କୁ ଦାୟି କହିଛନ୍ତି। ସେ ପୁଟିନଙ୍କ ବିରୋଧରେ ତାଙ୍କ ସ୍ୱାମୀଙ୍କ ହତ୍ୟ ଅଭିଯୋଗ ଆଣିଛନ୍ତି। ତେବେ ତାଙ୍କର ଏହି ଅଭିଯୋଗକୁ କ୍ରେମଲିନ ବାରମ୍ବାର ଅସ୍ୱୀକାର କରିଆସୁଛି।
ୟୁଲିୟା କହିଛନ୍ତି ଯେ ସେ ଏବେ ତାଙ୍କ ସ୍ୱାମୀଙ୍କ ସ୍ଥାନରେ ଯେଉଁ ଭ୍ରଷ୍ଟାଚାର ବିରୋଧୀ ଫାଉଣ୍ଡେସନର ନେତୃତ୍ୱ ନେଇଛନ୍ତି ତା ନିକଟରେ ନଭଲନୀଙ୍କ ମୃତ୍ୟୁର ସବୁ ପ୍ରମାଣ ରହିଛି, ଏ ସବୁ ଉପରୁ ସେ ସେତେବେଳେ ପରଦା ହଟାଇବେ ଯେତେବେଳେ ତାଙ୍କ ପାଖରେ ପୁରା ଚିତ୍ରଥିବ। କିଛି ଦିନ ପୂର୍ବରୁ ୟୁଲିୟା କହିଥିଲେ ଯେ ପୁଟିନଙ୍କୁ ସେ ଋଷର ‘ଜାର’ରୁ ଜଣେ ସାଧାରଣ ବନ୍ଦୀ ଭାବେ ଦେଖିବାକୁ ଚାହାଁନ୍ତି। ଅନେକ ବର୍ଷରୁ ଜର୍ମାନୀରେ ରହୁଥିବା ୟୁଲିୟା ସଣ୍ଡେ ଟାଇମସ୍ କୁ କହିଛନ୍ତି ଯେ ସେ ପର୍ଯ୍ୟନ୍ତ ସେ ଋଷିଆ ଫେରିବେନି ଯେଉଁ ପର୍ଯ୍ୟନ୍ତ ସେ ଏଲେକ୍ସିଙ୍କ ଭଳି ଏୟାରପୋର୍ଟରେ ବନ୍ଦୀ ହେବେନି ବୋଲି ସ୍ପଷ୍ଟ ନ ହୋଇଛି। ତେବେ ଏହା କେବେ ସମ୍ଭବ ହେବ ତାହା କେହି ଜାଣନ୍ତିନି।
ମସ୍କୋ ଗତ ଜୁଲାଇ ମାସରେ ୟୁଲିୟା ନଭଲନ୍ୟାଙ୍କ ନାମ ନିଜ ଆତଙ୍କବାଦୀ ଓ ଚରମ ପନ୍ଥୀ ତାଲିକାରେ ପକାଇଥିଲା ଓ ଏଥି ପାଇଁ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିଥିଲା। ପୁଟିନଙ୍କ ପ୍ରତି ତାଙ୍କ ଭାବନା ସମ୍ପର୍କରେ ପଚରା ଯିବାରୁ ୟୁଲିୟା କହିଛନ୍ତି ଯେ ସେ ଋଷିଆ ରାଷ୍ଟ୍ରପତିଙ୍କୁ ଘୃଣା କରନ୍ତିନି, ହେଲେ ତାଙ୍କୁ ଜେଲରେ ଦେଖିବାକୁ ଚାହାଁନ୍ତି ଯେପରି ତାଙ୍କ ସ୍ୱାମୀ ଥିଲେ।