ବିରି ଖାଇଦେଲେ ଗୋରୁ ପଲ, ଯୁବକଙ୍କୁ ତୀର ମାରି ହତ୍ୟା : ଅଭିଯୁକ୍ତ ଥାନାରେ ଅଟକ

Published By : Prameya-News7 Bureau | October 08, 2021 IST

ବାଂଶପାଳ ୮।୧୦: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା କୋଡାକଳା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ନୀଳ ଗିରି । ତାଙ୍କ ବୟସ ୨୮ ବର୍ଷ । ଅଭିଯୁକ୍ତ ଚଷା ଦେହୁରୀକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

{"id":524119,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଗ୍ରାମର ଜଗଦୀଶ ଦେହୁରୀ, ସାଗୁ ଦେହୁରୀ, ନୀଳ ଗିରି ଗାଁ ପାଖ ଜଙ୍ଗଲରେ ଗାଈ ଚରାଉଥିଲେ । ତେବେ ଗୋରୁ ପଲରୁ କିଛି ଗାଈ ଚଷା ଦେହୁରୀଙ୍କ ଘର ଅଗଣାରେ ଚାଷ କରିଥିବା ବିରି ବାଡିରେ ପଶି ବିରି ଖାଇ ଦେଇଥିଲେ । ଗୋରୁ ପଲ ବିରି ଖାଇଦେବାରୁ ଚଷା ରାଗିଯାଇ ଜଗଦୀଶ, ସାଗୁ ଓ ନୀଳକୁ ଏକ ଟାଙ୍ଗିଆରେ ପ୍ରଥମେ ଆକ୍ରମଣ କରିଥିଲା ଏହି ସମୟରେ ସାଗୁ ଓ ଜଗଦୀଶ ଜଂଗଲକୁ ଦୌଡ଼ି ପଳାଇଥିଲେ । ପରେ ନୀଳ ଓ ଚଷାର କିଛି ସମୟ ସଂଘର୍ଷ ହୋଇଥିଲା ଉଭୟ ଉଭୟଙ୍କୁ ପ୍ରତି ଆକ୍ରମଣ କରିବା ପରେ ଚଷା ନୀଳକୁ ଏକ ଚଢେଇ ମରା ବାଟୁଳିରେ ତୀର ଲଗାଇ ଆକ୍ରମଣ କରିଥିଲା ଫଳରେ ତୀରଟି ନୀଳର ପେଟରେ ପଶି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା । ପରେ ଘଟଣା ବିଷୟରେ ଜଗଦୀଶ ଓ ସାଗୁ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ରାତିରେ ପୋଲିସକୁ ଜଣାଇବା ପରେ ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଚଷାକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.