ସୁଶାସନର ବର୍ଷ, ଜନସେନା ଓ ଜନବିଶ୍ୱାସକୁ ସମର୍ପିତ, ଡବଲ୍ ଇଞ୍ଜିନର ଡବଲ୍ ଲାଭ ପାଉଛନ୍ତି ଜନତା: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | June 20, 2025 IST

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ୧୮ ହଜାର ୬୫୩  କୋଟି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହାସହ ‘ବରପୁତ୍ର  ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ଉନ୍ମୋଚନ କରିଛନ୍ତି । ସେହିପରି ୧୦୦ ଇ-ବସ୍‌ର ଶୁଭାରମ୍ଭ, ବୌଦ୍ଧକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜୁନ୍ ୨୦, ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଓଡ଼ିଶାର ପ୍ରଥମ ବିଜେପି ସରକାର ସଫଳତା ସହ ଗୋଟିଏ ବର୍ଷ ପୂରଣ କରିଛି । ଏହି ବର୍ଷ ପୂର୍ତ୍ତି କେବଳ ସରକାରଙ୍କ ନୁହେଁ, ଏହା ସୁଶାସନ ସ୍ଥାପନାର ଏକ ବର୍ଷ । ଏହି ଗୋଟିଏ ବର୍ଷ ଜନସେନା ଓ ଜନବିଶ୍ୱାସକୁ ସମର୍ପିତ । ଏହା ଓଡ଼ିଶାର କୋଟି କୋଟି ମତଦାତାଙ୍କ ଭରସାକୁ ପୂରଣ କରିବାର ଏକ ସ୍ମରଣୀୟ ବର୍ଷ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତେ ପ୍ରଶଂସନୀୟ କାମ କରି ଓଡ଼ିଶାର ବିକାଶକୁ ନୂଆ ଗତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ, ଏହା ଭାରତର ଐତିହ୍ୟର ଦିବ୍ୟ ତାରକା । ଓଡ଼ିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ, ଆମ ସଂସ୍କୃତିକୁ ସମୃଦ୍ଧ କରୁଛି । ଏଥିପାଇଁ ଆଜି ଯେତେବେଳେ ବିକାଶ ଓ ଐତିହ୍ୟର ମନ୍ତ୍ର ଭାରତର ବିକାଶ ପାଇଁ ମନ୍ତ୍ର ପାଲଟିଛି, ସେତେବେଳେ ଓଡ଼ିଶାର ଭୂମିକା ଆହୁରି ଅଧିକ ହୋଇଛି । ଗତ ଏକ ବର୍ଷରେ ଓଡ଼ିଶା ବିକାଶ ଓ ଐତିହ୍ୟ ମନ୍ତ୍ରକୁ ସାର୍ଥକ କରିଛି । ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି । ଏହା ସୁଖଦ ସଂଯୋଗ ଯେ, ବିଜେପିର ଓଡ଼ିଶା ସରକାର ଏକ ବର୍ଷ ପୂରଣ କରିବା ବେଳେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସମସ୍ତେ ଲାଗିଛନ୍ତି । ମହାପ୍ରଭୁ ଜଗନ୍ନାଥ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା । ଏଠି ସରକାର ହେଉ ହେଉ ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲି ଦିଆଗଲା । ଏହା କୋଟି କୋଟି ଲୋକଙ୍କ ଆସ୍ଥାର ସମ୍ମାନର କାର୍ଯ୍ୟ ହୋଇଛି ।'

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ମୁଁ ଦୁଇ ଦିନ ତଳେ ଜି୭ ସମ୍ମିଳନୀ ପାଇଁ କାଡାନାରେ ଥିଲି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋତେ ଫୋନ କରି ୱାଶିଂଟନ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ । ମୁଁ ଆମେରିକା ରାଷ୍ଟ୍ରପତିଙ୍କୁ ତାଙ୍କ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇ କହିଥିଲି, ମହାପ୍ରଭୁଙ୍କ ମାଟିକୁ ଯିବା ମୋ ପାଇଁ ଅଧିକ ଜରୁରି । ମୁଁ ତାଙ୍କ ନିମନ୍ତ୍ରଣକୁ ବିନମ୍ରତା ସହ ଅଗ୍ରାହ୍ୟ କଲି । ଆପଣଙ୍କ ପ୍ରେମ ମୋତେ ମହାପ୍ରଭୁଙ୍କ ମାଟିକୁ ଟାଣି ଆଣିଛି ।'

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ମଡେଲରେ ସୁଶାସନ ନଥିଲା । ବିକାଶ ଯୋଜନାକୁ ଅଟକାଇବା, ଝୁଲାଇ ରଖିବା, ବାଟମାରଣା କରିବା, ମହାଦୁର୍ନୀତି ହିଁ କଂଗ୍ରେସର ବିକାଶ ମଡେଲର ପରିଚୟ ଥିଲା । ଏବେ ଦେଶ ଗତ କିଛି ବର୍ଷ ହେଲା ବ୍ୟାପକ ରୂପେ ବିଜେପିର ବିକାଶ ମଡେଲ ଦେଖୁଛି । ଗତ ଦଶନ୍ଧିରେ ଦେଶର ଅନେକ ରାଜ୍ୟରେ ବିଜେପି ପ୍ରଥମଥର ସରକାର ଗଢିଥିଲା । ଏହି ସବୁ ରାଜ୍ୟରେ କେବଳ ସରକାର ବଦଳିନି ବରଂ ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ନୂଆ ଯୁଗ ଆରମ୍ଭ ହୋଇଛି । ବିଜେପି ଶାସନରେ ଆଜି ପୂର୍ବ ଭାରତର ଆସାମ ଓ ତ୍ରିପୁରା ବିକାଶର ନୂଆ ଗତି ପାଇଛନ୍ତି । ଆମର ଓଡ଼ିଶା ବି ଦଶନ୍ଧି ହେଲା ଅନେକ ସମସ୍ୟା ଭୋଗୁଥିଲା । ଗରିବ, ଚାଷୀଙ୍କ ନିକଟରେ ସେମାନଙ୍କ ପୂରା ହକ୍ ପହଞ୍ଚିପାରୁ ନଥିଲା । ଓଡ଼ିଶାର ଅନେକ କ୍ଷେତ୍ର ବିକାଶରେ ପଛରେ ରହିଥିଲେ । ଏଭଳି ଅନେକ ଆହ୍ୱାନ ଓଡ଼ିଶାର ଦୁର୍ଭାଗ୍ୟ ପାଲଟିଥିଲା । ଗତ ଏକ ବର୍ଷରେ ଏହାର ସମାଧାନ ପାଇଁ ବିଜେପି ସରକାର ଅବରିତ କାମ କରୁଛି । ବିକାଶର ଡବଲ ଇଞ୍ଜିନର ଲାଭ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଯେଉଁ ହଜାର ହଜାର କୋଟି ଟଙ୍କା ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି, ସେଥିରେ ଡବଲ୍ ଇଞ୍ଜିନର ଛାପ ରହିଛି । ଓଡ଼ିଶାରେ ଡବଲ୍ ଇଞ୍ଜିନ, ଏଠାକାର ଲୋକଙ୍କ ଡବଲ୍ ଫାଇଦା କରିଛି । ଦୀର୍ଘ ସମୟ ଯାଏ ଓଡ଼ିଶାର ଲୋକ ଆୟୁଷ୍ମାନ ଭାରତ ଯୋଜନାକୁ ବଞ୍ଚିତ ଥିଲେ । ଆଜି ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନଆରୋଗ୍ୟର ଲାଭ ମିଳୁଛି । ଓଡ଼ିଶାର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଅଛନ୍ତି । ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନାରେ ସେମାନଙ୍କ ଚିକିତ୍ସା ସୁନିଶ୍ଚିତ କରାଯାଇଛି । ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ଓ ରାଜ୍ୟର ଡବଲ୍ ଲାଭ ମିଳିବା ଆରମ୍ଭ ହୋଇଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଆମ ସରକାର ଲାଗିଛନ୍ତି । ଓଡ଼ିଶାରେ ବହୁ ସଂଖ୍ୟାରେ ଆଦିବାସୀ ବସବାସ କରୁଛନ୍ତି । ଅତୀତରେ ସେମାନଙ୍କୁ ଅଣଦେଖା କରାଯାଉଥିଲା । ପୂର୍ବର ସରକାରଗୁଡ଼ିକ ଆଦିବାସୀଙ୍କୁ ବିକାଶ ଦେଇ ନଥିଲେ । ଆଦିବାସୀ ଜିଲ୍ଲାଗୁଡ଼ିକୁ ରେଡ୍ କରିଡର୍ ଓ ପଛୁଆ ଜିଲ୍ଲା କହି ଅଣଦେଖା କରାଯାଇଥିଲା । ଆମେ ଆଦିବାସୀ ଜିଲ୍ଲାକୁ ହିଂସାରୁ ମୁକ୍ତ କରି ବିକାଶ ମାର୍ଗରେ ନେଇଛୁ । ଆଦିବାସୀ ଜିଲ୍ଲାରେ ଆମେ ବିକାଶର ଗଙ୍ଗା ପ୍ରବାହିତ କରିଛୁ । ଦେଶରେ ଖୁବଶୀଘ୍ର ନକ୍ସଲ ବାଦ ଶେଷ ହେବ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରଙ୍କ ଏକ ବର୍ଷର ଉପଲବ୍ଧି ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏକ ବର୍ଷ ପୂର୍ତ୍ତି ଅବସରରେ ଆମ ମନୋବଳ ବଢାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ଏଠାକୁ ଆସିଛନ୍ତି । ଏହା ଓଡ଼ିଶା ପାଇଁ ଆପଣଙ୍କ ଭଲ ପାଇବା ଓ ଆଶୀର୍ବାଦ । ଏହାସହ ଅପରେସନ ସିନ୍ଦୂର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୋଦୀଙ୍କ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ, ଅପରେସନ ସିନ୍ଦୂର ପରେ ନୂଆ ଭାରତର ଉଦୟ ହୋଇଛି । ନୂଆ ଭାରତ ନଇଁବ ନାହିଁ କି, ଅଟକିବ ନାହିଁ । ନିଜ ଭାଗ୍ୟ ନିଜେ ଲେଖିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସାରା ଦେଶ ବିକାଶର ନୂଆ ଶିଖର ଛୁଉଁଛି । ଗତ ୧୧ ବର୍ଷରେ ସବୁ ବର୍ଗର ସବୁ କ୍ଷେତ୍ରର ଲୋକଙ୍କ ବିକାଶ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ବିକାଶ କ୍ଷେତ୍ରରେ ଆଗକୁ ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.