BCCI କାର୍ଯ୍ୟାଳୟରୁ ଜର୍ସି ଚୋରି, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ସିକ୍ୟୁରିଟି ଗାର୍ଡ

Published By : Prameya-News7 Bureau | July 29, 2025 IST

News7

ନୂଆଦିଲ୍ଲୀ: ବିସିସିଆଇ ଅଫିସ୍‌ରୁ ଜର୍ସି ଚୋରି।  ଶହେ କି ହଜାରେ ଟଙ୍କାର ନୁହେଁ, ୬ ଲକ୍ଷ ଟଙ୍କା ମୂଲ୍ୟର ଜର୍ସି ଚୋରି ହୋଇଥିବା ଆସିଛି ଅଭିଯୋଗ। ମୁମ୍ବାଇର ଜଣେ ସୁରକ୍ଷା କର୍ମୀଙ୍କୁ IPL ଜର୍ସି ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ୪୦ ବର୍ଷୀୟ ଫାରୁକ ଅସଲାମ ଖାନ। ତାଙ୍କ ବିରୋଧରେ BCCI କାର୍ଯ୍ୟାଳୟରୁ ୨୬୧ଟି ଜର୍ସି ଚୋରି କରିବାର ଅଭିଯୋଗ ରହିଛି। ଯାହାର ମୂଲ୍ୟ ୫.୫୨ ଲକ୍ଷ ଟଙ୍କା। ସେ ଅନଲାଇନ୍ ଜୁଆ ପ୍ରତି ତାଙ୍କର ନିଶା ପୂରଣ କରିବା ପାଇଁ ଏହି ଜର୍ସିଗୁଡ଼ିକୁ ବିକ୍ରି କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଛି ଏବଂ ଘଟଣାର ତଦନ୍ତ କରୁଛି।

ଏହି ଘଟଣା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅବସ୍ଥିତ BCCI କାର୍ଯ୍ୟାଳୟରେ ଘଟିଛି। ପୋଲିସ ଅନୁଯାୟୀ, ଫାରୁକ ଅସଲାମ ଖାନ ନାମକ ଜଣେ ସୁରକ୍ଷା କର୍ମୀ IPL 2025ର ୨୬୧ଟି ଜର୍ସି ଚୋରି କରିଥିଲେ। ପ୍ରତ୍ୟେକ ଜର୍ସିର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ଥିଲା। ତେଣୁ ମୋଟ ୬.୫୨ ଲକ୍ଷ ଟଙ୍କା ମୂଲ୍ୟର ଜର୍ସି ଚୋରି ହୋଇଥିଲା। ପୋଲିସ କହିଛି ଯେ ଖାନ ଅନଲାଇନ୍ ଜୁଆ ପ୍ରତି ନିଶାଗ୍ରସ୍ତ ଥିଲେ। ଏହି ନିଶା ପୂରଣ କରିବା ପାଇଁ, ସେ ଜର୍ସିଗୁଡ଼ିକୁ ଚୋରି କରି ହରିୟାଣାର ଜଣେ ଅନଲାଇନ୍ ଜର୍ସି ଡିଲରଙ୍କୁ ବିକ୍ରି କରିଥିଲେ। ଏହି ଜର୍ସିଗୁଡ଼ିକ ଖେଳାଳିଙ୍କ ପାଇଁ କି ସାଧାରଣ ଲୋକଙ୍କ ପାଇଁ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଫାରୁକ ଅସଲମ ଖାନ ମୀରା ରୋଡର ବାସିନ୍ଦା। ସେ ସୋସିଆଲ ମିଡିଆ ମାଧ୍ୟମରେ ହରିୟାଣାର ଜଣେ ଅନଲାଇନ୍ ଜର୍ସି ଡିଲରଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ଡିଲରଙ୍କୁ କହିଥିଲେ ଯେ ଅଫିସରେ ନବୀକରଣ କାମ ଚାଲିଛି। ତେଣୁ ସେ ଷ୍ଟକ୍ କ୍ଲିୟରାନ୍ସ ସେଲ୍ କରୁଛନ୍ତି। ଏହି ଚୋରି ଜୁନ୍ ୧୩ରେ ଘଟିଥିଲା। କିନ୍ତୁ ଏହା ସମ୍ପ୍ରତି ପ୍ରକାଶ ପାଇଲା ଯେତେବେଳେ ଅଡିଟ୍ ସମୟରେ ଷ୍ଟକ୍ ନିଖୋଜ ହୋଇଗଲା। BCCI ଅଧିକାରୀମାନେ CCTV ଫୁଟେଜ୍ ଯାଞ୍ଚ କରିଥିଲେ। ଫୁଟେଜରେ ସୁରକ୍ଷା କର୍ମୀ ଏକ କାର୍ଡବୋର୍ଡ ବାକ୍ସ ଧରିଥିବାର ଦେଖାଯାଇଛି।

ଜର୍ସିଗୁଡ଼ିକ କୁରିଅର୍ ମାଧ୍ୟମରେ ପଠାଯାଇଥିଲା। ପୋଲିସ ତଦନ୍ତ ପାଇଁ ହରିୟାଣାର ଅନଲାଇନ୍ ଡିଲରଙ୍କୁ ଡକାଇଛି। ପୋଲିସ ସୂତ୍ର ଅନୁଯାୟୀ, ଅନଲାଇନ୍ ଡିଲର କହିଛନ୍ତି ଯେ ସେ ଜର୍ସି ଚୋରି ହୋଇଥିବା ବିଷୟରେ ଜାଣି ନଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.