ଅଦ୍ଭୁତ ଘଟଣା: ଗର୍ଭସ୍ଥ ଶିଶୁକୁ ଝିଅ ଭାବି ବିକିଥିଲେ, ପରେ ଜଣାପଡ଼ିଲା ପୁଅ: ଲକ୍ଷେ ବଦଳରେ ୪ ଲକ୍ଷ ଫେରାଇବାକୁ ରାଜିଥିଲେ କିନ୍ତୁ ଶେଷରେ ଆଣିଲା ପୋଲିସ୍
31/10/2020 at 8:48 PM

ହାଇଦ୍ରାବାଦ ୩୧/୧୦: ଗରିବୀ ପାଇଁ ପିଲାବିକ୍ରି କଥା ଶୁଣିଥିବେ। ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକେ ନିଜ ପିଲାଙ୍କ ବିକ୍ରି କରିଦେଉଥିବା ଖବର ଶୁଣିବାକୁ ମିଳେ। କିନ୍ତୁ କେବେ ଶୁଣିଛନ୍ତି ପିଲା ଜନ୍ମର ୫ ମାସ ପୂର୍ବରୁ ବି ବିକ୍ରି ହେଉଛି। ଏମିତି ଏକ ଦମ୍ପତିଙ୍କୁ ଗିରଫ କରିଛି ପୋଲିସ। ପୁଣିଥରେ ଝିଅ ହେବ ବୋଲି ଭାବି ପିଲା ନଥିବା ଦମ୍ପତ୍ତିକୁ ପେଟର ଥିବା ପିଲାକୁ ବିକ୍ରି କରିଥିଲେ ମା-ବାପା। ଏଭଳି ଏକ ସମ୍ବେଦନଶୀଳ ଘଟଣା ହାଇଦ୍ରାବାଦର ରାଚାକୋଣ୍ଡା ଥାନା ଅଞ୍ଚଳରେ ଘଟିଛି।
ନାଚାରମାରେ ଚାକରାଣୀ ଭାବେ କାମ କରନ୍ତି ମୀନା। ତାଙ୍କ ସ୍ବାମୀ ଭେଙ୍କଟେଶ ଜଣେ କ୍ୟାବ ଡ୍ରାଇଭର। ୪ ବର୍ଷ ତଳେ ସେମାନଙ୍କ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ପରବର୍ତ୍ତୀ ସମୟରେ ଝିଅଟି ମୃତ୍ୟୁବରଣ କରିଥିଲା। ପୁଣିଥରେ ମୀନା ଗର୍ଭବତୀ ହୋଇଥିଲେ। ଏଥର ବି ତାଙ୍କ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ସେ ଏବେ ୧୮ ମାସର ହୋଇଛି। ଏହାରି ଭିତରେ ପୁଣିଥରେ ମୀନା ଗର୍ଭବତୀ ହୋଇଥିଲେ। କିନ୍ତୁ ଦୁଇ ଥର ଝିଅ ହୋଇଥିବା ହେତୁ ପୁଣିଥରେ ଝିଅ ହେବ ବୋଲି ଭାବିଲେ ମୀନା ଓ ଭେଙ୍କଟେଶ।
ତେଣୁ ପେଟରେ ଥିବା ପିଲାକୁ ବିକ୍ରି ପାଇଁ ମଧ୍ୟସ୍ଥି ଖୋଜିଲେ ମୀନା। ଜଣେ ସାନିଟାଇଜ୍ ସଂସ୍ଥାରେ କାର୍ଯ୍ୟରତ ଜାନକୀ ନାମକ ଜଣେ ମହିଳା ପିଲାକୁ ବିକ୍ରି କରିବାକୁ ଗ୍ରାହକ ଖୋଜିଥିଲେ। ତେବେ ଜଣେ ପିଲା ନଥିବା ଦମ୍ପତି ଛୁଆଟିକୁ କିଣିବାକୁ ରାଜି ହୋଇଥିଲେ। ଦମ୍ପତିଙ୍କ ନାଁ ରାଜେଶ ଓ ନାଗିନା। ତେବେ ରାଜେଶ ପିଲା କିଣିବାକୁ ପ୍ରଥମେ ୧ଲକ୍ଷ ଟଙ୍କା ଦେଇଥିଲେ। ଗତ ମେ ମାସରେ ମୀନା ପିଲାଜନ୍ମ ଦେଇଥିଲେ। କିନ୍ତୁ ମେଡିକାଲରେ ଜନ୍ମ ନେଇଥିବା ଶିଶୁଟି କନ୍ୟା ବୋଲି କହି ମଧ୍ୟସ୍ଥି ଜାନକୀ ପିଲାଟିକୁ ରାଜେଶ ଓ ନାଗିନାକୁ ଦେଇଥିଲା।
କିନ୍ତୁ କିଛି ଦିନ ପରେ ମେଡିକାଲ ସୂତ୍ରରୁ ମୀନା ଜାଣିବାକୁ ପାଇଲେ ତାଙ୍କର ଝିଅ ନୁହେଁ ବରଂ ପୁଅ ଜନ୍ମ ହୋଇଛି। ଏକଥା ଜାଣିବା ପରେ ମୀନା ଓ ଭେଙ୍ଗଟେଶ ଉଭୟ ରାଜେଶଙ୍କ ପାଖକୁ ଗଲେ। ଏହାସହ ତାଙ୍କ ପିଲାକୁ ଫେରାଇଆଣିବାକୁ ଜିଦ ଧରିଥିଲେ। ଏଥିରେ ରାଜେଶ ରାଜି ନହେବାରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବାକୁ କହିଥିଲେ ମୀନା ଓ ଭେଙ୍କଟେଶ। ତଥାପି ବି ରାଜି ହୋଇନଥିଲେ ରାଜେଶ। ଏହାପରେ ନିଜ ଶିଶୁପୁତ୍ରକୁ ଫେରାଇଆଣିବା ପାଇଁ ପୋଲିସର ଆଶ୍ରୟ ନେଇଥିଲେ ଦମ୍ପତି।
ପୋଲିସ ଅଭିଯୋଗ ପାଇବା ପରେ ପିଲାକୁ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ତେବେ କୋର୍ଟ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏନେଇ ନଚାରାମ ଥାନା ଅଧିକାରୀ ଟି କିରଣ କୁମାର କହିଛନ୍ତି।