ନୂଆପଡ଼ା ୧୨।୦୭ : ଏ କେମିତି କା ବ୍ୟବସ୍ଥା । ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ ପୁଅ । ହେଲେ ପୁଅ ବଦଳରେ ମାଆ ଦିଆଗଲା ଇଞ୍ଜେକସନ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ହସ୍ପିଟାଲରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଯାହାକୁ ନେଇ ପୁରା ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁର ରାଜୁ ତାଣ୍ଡିଙ୍କ ଦୁଇବର୍ଷର ପୁଅ ଡୁଲେଶ୍ୱରକୁ ଜ୍ୱର ହେବାରୁ ଡାକ୍ତରଖାନାକୁ ଆଣିଥିଲେ। ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝିଙ୍କୁ ଦେଖାଇଥିଲେ। ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ। କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆକୁ ଇଞ୍ଜେକସନ ଦେବା ବଦଳରେ ମାଆ ଅଞ୍ଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଅଞ୍ଜୁଙ୍କ ପେଟରେ ଛୁଞ୍ଚି ଫୋଡିବାର ଚିହ୍ନ ସ୍ପଷ୍ଟ ଭାବରେ ଦିଶୁଛି । ତାଙ୍କ ପେଟ ଦରଦ ହେଉଥିବା ଅଞ୍ଜୁ କହିଛନ୍ତି । ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ଓ କାଳେ ଫୋଡ଼ିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ । ଏନେଇ ମେଡିକାଲ ଇନ୍ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝିଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ । ମାଆର ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବନାହିଁ ବୋଲି ଜଣାଇଥିଲେ ।