ୟୁଟ୍ୟୁବରୁ ଶିଖି ମହୁଆ ମଦରୁ ସାନିଟାଇଜର ପ୍ରସ୍ତୁତ କଲେ ଆଦିବାସୀ ମହିଳା ଗୋଷ୍ଠୀ

Published By : Prameya-News7 Bureau | April 29, 2020 IST

ଭୋପାଳ ୨୯।୪: ମହୁଆର ଦେଶ ମଦ ପାଇଁ ମଦ୍ୟପ୍ରଦେଶରେ ଅଲିରାଜପୁର ଏବଂ ଝାବୁଆ ଅଞ୍ଚଳ ପ୍ରଥମରୁ ହିଁ ପ୍ରସିଦ୍ଧ ଥିଲା । ବର୍ତ୍ତମାନ ଏଠାକାର ଆଦିବାସୀମାନେ ଆଉ ଏକ ପ୍ରଶଂସନୀୟ କାମ କରି ଦେଖାଇଛନ୍ତି । ସେମାନେ ମହୁଆରୁ ହିଁ ସାନିଟାଇଜର ତିଆରି କରିଛନ୍ତି । ଯାହାର ୨୦୦ ମି.ଲି. ବୋତଲର ମୂଲ୍ୟ ମାତ୍ର ୭୦ ଟଙ୍କା ଥିବାବେଳେ ସମାନ ପରିମାଣର ସାନିଟାଇଜର ବଜାରରେ ପ୍ରାୟ ୩୦୦ ଟଙ୍କାରେ ବିକ୍ରି ହେଉଛି ।

କୋଭିଡ-୧୯ ର ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସାମର୍ଥ୍ୟରେ ଲଢେଇ ଜାରି ରଖିଛନ୍ତି । ଏହି ଯୁଦ୍ଧରେ ସାନିଟାଇଜର ଏକ ବଡ ଅସ୍ତ୍ର ଭାବେ ଉଭା ହୋଇଛି । ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲାର ୧୦ ଜଣ ଆଦିବାସୀ ମହିଳାଙ୍କ ଏକ ଗୋଷ୍ଠୀ ୟୁଟ୍ୟୁବରେ ସାନିଟାଇଜର ତିଆରି କରିବା ଶିଖିଲେ । ମାତ୍ର ଯେତେବେଳେ ଆଲକୋହଲ ଅଭାବ ଦେଖାଦେଲା ସେତେବେଳେ ସେମାନେ ମହୁଆ ମଦରୁ ସାନିଟାଇଜର ତିଆରି କରିବା ସହ ଏହାକୁ ଶସ୍ତା ଲୋକଙ୍କୁ ବିକ୍ରି କରିବା ଆରମ୍ଭ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସେମାନଙ୍କର ମହୁଆ ସାନିଟାଇଜରକୁ ଯାଞ୍ଚ ପରେ ଉପଯୋଗୀ ବୋଲି କହିଛି ।

ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଲିରାଜପୁର ଜିଲ୍ଲାର ଧାମଣ୍ଡା ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ପ୍ରଥମେ ମୋବାଇଲରେ ୟୁଟ୍ୟୁବରୁ ସାନିଟାଇଜର ତିଆରି କରିବା ଶିଖିଲେ । କିନ୍ତୁ ଯେତେବେଳେ ମଦ ବନ୍ଦ ହୋଇଗଲା ସେମାନେ ସେହି ଅଞ୍ଚଳରେ ସହଜରେ ଉପଲବ୍ଧ ମହୁଆରୁ ବାଷ୍ପୀକରଣ ପଦ୍ଧତିରେ ମଦ ପ୍ରସ୍ତୁତ କରି ସେଥିରୁ ମହୁଆ ସାନିଟାଇଜର ତିଆରି କରିଲେ । ଏହାକୁ ସେମାନେ ଶସ୍ତା ମୂଲ୍ୟରେ ଉପଲବ୍ଧ କରାଉଛନ୍ତି ।

ଏମାନଙ୍କ ଦ୍ବାରା ପ୍ରସ୍ତୁତ ସାନିଟାଇଜରକୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା ଏବଂ ସମସ୍ତ ମାନଦଣ୍ଡ ପୂରଣ କରିବାରେ ସକ୍ଷମ ହେବାରୁ ପ୍ରମାଣପତ୍ର ପାଇବା ପରେ ଏହାର ବଜାରରେ ବିକ୍ରି ଆରମ୍ଭ କରାଯାଇଥିଲା ।

ଏହାକୁ ତିଆରି କରିବା ପାଇଁ ଫିଟିକିରି, ନିମ୍ବ ପତ୍ର, ତୁଳସୀ ପତ୍ର ଏବଂ ଗୋଲାପ ଜଳ ମଧ୍ୟ ବ୍ୟବହାର କରାଯାଇଛି । ଏହାର ମୂଲ୍ୟ ୬୦ ରୁ ୬୫ ଟଙ୍କା । କିନ୍ତୁ ଏହାକୁ ୭୦ ଟଙ୍କାରେ ବିକ୍ରି କରାଯାଉଛି । ବ୍ୟାଙ୍କ, ସ୍କୁଲ ଇତ୍ୟାଦି ସରକାରୀ ଅନୁଷ୍ଠାନରେ ଏହି ସାନିଟାଇଜର ସପ୍ଲାଏ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.