ଘରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଘୋଷାଡି ନେଇ ମାରିଲା ଦନ୍ତା, ସ୍ଥାନୀୟ ଲୋକ ଭୟଭୀତ
5/03/2020 at 9:08 AM

ଆଠମଲ୍ଲିିକ ୫।୩: ଘରେ ଶୋଇଥିବା ବେଳେ ମହିଳାଙ୍କୁ ଘୋଷାଡି ଆଣି ଦଳିଦେଲା ଦନ୍ତା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ କମରେଇ ଗ୍ରାମରେ ଆଜି ଭୋର ୪ଟା ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘରେ ଶୋଇଥିବା ଦେବକୀ ବେହେରା ନାମକ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଘରୁ ଘୋଷାଡି ଆଣି ମାରିଦେଇଥିବା ଗ୍ରାମବାସୀ କହିଛନ୍ତି ।

କିଛି ମାସ ତଳେ ଗୁଡିଲରେ ମଧ୍ୟ ଏହି ଦନ୍ତା ହାତୀ ୩ଜଣଙ୍କୁ ମାରି ସାରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ରାତିରୁ ହାତୀଟି ପୁଣି ଏହି ଅଞ୍ଚଳକୁ ଆସିଛି । ହାତୀଟି କାଲି ରାତିରେ କେବଳ ମଣିଷ ମାରି ନାହିଁ ଗାଁର ଅନ୍ୟ ଦୁଇ ଜଣଙ୍କର ଘରକୁ ମଧ୍ୟ ପଶି ଭଙ୍ଗାରୁଜା କରିଛି । ଏହାକୁ ନେଇ ସ୍ଥାନୀୟ ଗାଁ ଓ ଅନ୍ୟ ଗାଁ ଗୁଡିକରେ କୋକୁଆ ଭୟ ସୃଷ୍ଟି ହୋଇ ଯାଇଚଛି।

ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀ ରାସ୍ତା ରୋକ କରିପାରନ୍ତି ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ହଣ୍ଡପା ରେଞ୍ଜର ପହଞ୍ଚି ଲୋକଙ୍କୁ ବୁଝାଉଛନ୍ତି । କିନ୍ତୁ ଆଠମଲ୍ଲିକ ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।