ସମ୍ପତ୍ତି ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା : ଧରାପଡିଗଲା ମିଛ ନାଟକ, ଶେଷରେ ବନ୍ଧାହେଲେ ମହିଳା

Published By : Prameya-News7 Bureau | May 31, 2025 IST

ବ୍ରହ୍ମପୁର ୩୧ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା ବୈଦ୍ୟନାଥପୁର ପୋଲିସ । ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଥାନା ଅଞ୍ଚଳ ସୁବାସ ନଗର ପ୍ରଥମ ଲାଇନ ବାସିନ୍ଦା ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ. ଏମ୍ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ପ୍ରାୟ ୩ଟା ସମୟରେ ମୃତକ ହରିହର ସାହୁଙ୍କ ଝିଅ ମଧୁମିତା ସାହୁ ବି.ଏନ୍‌.ପୁର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପା ସୁବାସ ନଗର ପ୍ରଥମ ଲେନରେ ଥିବା ଘରର ପ୍ରଥମ ମହଲାରେ ଏକା ରହୁଥିଲେ । ସେହି ମହଲାରେ ଜଣେ ବିଧବା ମହିଳା ଭଡ଼ା ଘରେ ରହୁଥିଲେ । ଘଟଣା ଦିନ ମହିଳା ସକାଳେ ଅଭିଯୋଗକାରୀଙ୍କ ଘରକୁ ଆସି ତାଙ୍କ ବାପା ଗୁରୁତର ଅଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା କହିଥିଲେ । ଅଭିଯୋଗକାରୀ ତାଙ୍କ ପୁଅ ଏବଂ ଝିଅଙ୍କ ସହିତ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ । ତାଙ୍କ ବାପା ଗୁରୁତର ପୋଡ଼ି ହୋଇଯାଇଥିବା ଦେଖିଥିଲେ । ସେଠାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କଟକ ଏସସିବିରେ ଚିକିତ୍ସାଧିକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେହି ଜଣେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଦେଖିଥିଲେ ବୋଲି ୩୦ ତାରିଖରେ ହରିହର ତାଙ୍କ ଝିଅକୁ କହିଥିଲେ ବୋଲି ପୋଲିସ କହିଛି ।

ହରିହରଙ୍କ ବୟାନକୁ ଆଧାର କରି ତଦନ୍ତ କରାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ ଘରର ତଳ ମହଲାରେ ରହୁଥିବା ମହିଳା ହରିହରଙ୍କୁ ତାଙ୍କ ଘରେ ନିଆଁ ଲଗାଇ ହତ୍ୟା କରିଛନ୍ତି । ହତ୍ୟା ପଛରେ ଉଦ୍ଦେଶ୍ୟ ଥିଲା ସମ୍ପତ୍ତି ହଡପ କରିବା । ମୃତକଙ୍କ ସହ ଅଭିଯୁକ୍ତ ମହିଳାଙ୍କର ୪-୫ ବର୍ଷ ହେଲା ଶାରୀରିକ ସମ୍ପର୍କ ଥିଲା । ମହିଳାଙ୍କର ଝିଅ ହାଇଦ୍ରାବାଦରେ କାମ କରନ୍ତି । ଯେତେବେଳେ ମହିଳା ତାଙ୍କ ଝିଅ ପାଖକୁ ଯିବାକୁ ଚାହୁଁଥିଲେ ମୃତକ ତାଙ୍କୁ ବାଧା ଦେଉଥିଲେ । ତାଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ । ଅଧିକାଂଶ ସମୟ ତାଙ୍କ ବିନା ଇଚ୍ଛାରେ  ମୃତକ ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏହାସହ ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କର ନଜର ଥିଲା । ମୃତକ ଜଣେ ଅବସରପ୍ରାପ୍ତ ସରକାରୀ ଆରଆଇ ଏବଂ ତାଙ୍କର ଅନେକ ସମ୍ପତ୍ତି ଅଛି । ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ, ମହିଳା ସୁଚିନ୍ତିତ ଭାବେ ମଧ୍ୟରାତ୍ରିରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଯୋଜନା କରିଥିଲେ । ଅପରାଧର ପ୍ରମାଣ ହଟାଇବା ପାଇଁ ସେ ମୃତକଙ୍କ ମୋବାଇଲ ଘର ଅଗଣାରେ ଥିବା କୂଅ ପାଖରେ ଫିଙ୍ଗି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ୍ କିରୋସିନ ବୋତଲକୁ ମଧ୍ୟ ନିଆଁରେ ଫିଙ୍ଗି ଦେଇଥିଲେ । ପଡ଼ୋଶୀଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରିବାର ଅଭିନୟ କରିଥିଲେ । ଦୁଇ ଜଣ ଅଜଣା ବ୍ୟକ୍ତି ଘରେ ପ୍ରବେଶ କରି ମୃତକଙ୍କୁ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୁକ୍ତ ଅଭିଯୋଗ କରିଥିଲେ । କିନ୍ତୁ ତଦନ୍ତ ବେଳେ ତାହା ମିଛ ବୋଲି ଧରା ପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଏସ୍‌ପି କହିଛନ୍ତି ।

You Can Read:

ପାଟ୍ରୋଲିଂ ବେଳେ ଧରାପଡିଲେ ୭ ଅପରାଧୀ, ପିସ୍ତଲ-ଗୁଳି ସହ ଅଫୁଟା ବୋମା ଜବତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.