ନୂଆଦିଲ୍ଲୀ: ବିମାନ ଭିତରେ ହଙ୍ଗାମା କରି ଗିରଫ ହେଲେ ୩୬ ବର୍ଷୀୟା ମହିଳା। ଘଟଣା ଘଟିଛି ବେଙ୍ଗାଲୁରୁ କାମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ। ଏହି ଏୟାରପୋର୍ଟରୁ ସୁରଟ ଯାଉଥିବା ଏୟାର ଇଣ୍ଡିଆ ବିମାନ IX2749ରେ ମହିଳା ଜଣକ ହଙ୍ଗାମା କରିଥିଲେ। ଯାହା ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଓ ପରବର୍ତ୍ତୀ ସମୟରେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ବ୍ୟାସ ହୀରଲ ମୋହନଭାଈ ନାମକ ଜଣେ ମହିଳା ବିମାନରେ ଚଢ଼ିଥିଲେ। ସେ ନିଜ ସହ ଦୁଇଟି ବ୍ୟାଗ୍ ନେଇଥିଲେ। ଯେଉଁଥିରୁ ଗୋଟିଏ ବ୍ୟାଗକୁ ସେ ନିଜ ପାଖରେ ରଖିଥିବାବେଳେ ଅନ୍ୟଟିକୁ କ୍ୟାବିନ କ୍ରୁଙ୍କ ପାଖରେ ରଖିଥିଲେ। ହେଲେ ବିମାନ ଉଡ଼ାଣବେଳକୁ କ୍ରୁ ତାଙ୍କୁ ଏହି ଦୁଇଟି ଯାକ ବ୍ୟାଗକୁ ଓଭରହେଡ୍ ବିନ୍ରେ ରଖିବାକୁ କହିଥିଲେ। କ୍ରୁ ମେମ୍ବର କହିଥିଲେ, ଏହା ତାଙ୍କର ବିମାନ କମ୍ପାନିର ବ୍ୟାଗେଜ ପ୍ରୋଟୋକୋଲ।
କିନ୍ତୁ ଏହି ସମୟରେ ମହିଳା ଜଣକ କ୍ରୁ ମେମ୍ବରଙ୍କ ସହ ବିତଣ୍ଡା ଯୁକ୍ତି କରିଥିଲେ। ମହିଳା ଜଣକ କହିଥିଲେ ‘ମୁଁ ମୋ ପାଖରେ ବ୍ୟାଗ ରଖିବି। ଯଦି ଓଭରହେଡ୍ ବିନ୍ରେ ରଖିବି ତେବେ ଏହାର ଉତ୍ତରଦାୟିତ୍ବ କିଏ ନେବ ?’ ଆଉ ଏଭଳି କହି କ୍ରୁ ମେମ୍ବରଙ୍କ ସହ ଅଯଥା ଯୁକ୍ତି କରିବା ସହ ସେମାନଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଏମିତିକି ସେ ଧମକ ଦେଇଥିଲେ ଯେ, ଯଦି ତାଙ୍କ କଥା ନମାନିବେ ତେବେ ସେ ବିମାନ କ୍ରାସ କରାଇଦେବେ।
ପରିସ୍ଥିତି ଏଭଳି ହୋଇଥିଲା ଯେ, ଫ୍ଲାଇଟ କ୍ୟାପ୍ଟେନଙ୍କୁ ସୁରକ୍ଷାକର୍ମୀଙ୍କୁ ଡାକିବାକୁ ପଡ଼ିଥିଲା। ସିଆଇଏସଏଫର ଅଧିକାରୀ ଆସି ମହିଳାଙ୍କୁ ବିମାନରୁ ଓହ୍ଲାଇଥିଲେ। କାମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ସୁରକ୍ଷା ଆସୋସିଏଟ ମ୍ୟାନେଜର ଅଗ୍ନିମିତ୍ରା ବାହିନୀପତି ଏନେଇ ଏକ ଏତଲା ଦେଇଛନ୍ତି।
ଆହୁରି ମଧ୍ୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମହିଳା ଜଣକ ପୋଲିସ ଷ୍ଟେସନରେ ମଧ୍ୟ ହଙ୍ଗାମା କରିବା ସହ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ତେବେ ବେଙ୍ଗାଲୁରୁରେ ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିବା ମହିଳାଙ୍କ ସ୍ବାମୀଙ୍କୁ ଥାନାକୁ ଡକାଯାଇଥିଲା, ଯାହା ପରେ ମହିଳାଙ୍କୁ ପଚରାଉଚରା କରି ଛାଡ଼ିଦିଆଯାଇଥିଲା। ତେବେ ମହିଳାଙ୍କ ସ୍ବାମୀଙ୍କ କହିବା ଅନୁସାରେ ସେ ପୂର୍ବରୁ ମଧ୍ୟ ଏଭଳି କରିଥିଲେ। ମହିଳା ଜଣକ ଜଣେ ଆୟୁର୍ବେଦିକ ଡାକ୍ତର ଥିଲେ କିନ୍ତୁ କିଛି ବର୍ଷ ପୂର୍ବରୁ ସେ ପ୍ରାକ୍ଟିସ ବନ୍ଦ କରିସାରିଛନ୍ତି। ସେପଟେ ମହିଳାଙ୍କ ଏଭଳି ଆଚରଣ କାରଣରୁ ବିମାନ ଉଡ଼ାଣରେ ଖୁବ୍ ବିଳମ୍ବ ମଧ୍ୟ ହୋଇଥିଲା।