ଧନୀ ହେବା ପୂର୍ବରୁ ବୁଢା ହୋଇଯିବ କି ଭାରତ ? କାହିଁକି ବଢିଲା ଚିନ୍ତା

Published By : Prameya-News7 Bureau | July 11, 2025 IST

Social Media

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଶକ୍ତି ଏହାର ଯୁବବର୍ଗକୁ କୁହାଯାଉଥିଲା, ଯାହା ଏବେ ଧୀରେ ଧୀରେ ଏକ ନୂଆ ଆହ୍ୱାନର ସାମନା କରୁଥିବା ଦେଖିବାକୁ ମିଳୁଛି । ଦିନେ ଦେଶକୁ ଯୁବ ରାଷ୍ଟ୍ର କହି ଗର୍ବ କରାଯାଉଥିଲା । କିନ୍ତୁ ଆଜି ପ୍ରଶ୍ନ ଉଠୁଛି, କ'ଣ ଭାରତ ଧନୀ ଦେଶ ହେବା ପୂର୍ବରୁ ବଢା ହୋଇଯିବ ? ଏହା ଏଥି ପାଇଁ କାରଣ ଭାରତରେ ପର୍ଟିଲିଟି ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଓ ହାରାହାରି ବୟସ ବଢିବାରେ ଲାଗିଛି । ବୟସ୍କଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହି ପରିବର୍ତ୍ତନ କେବଳ ସାମାଜିକ ନୁହେଁ, ବରଂ ଆର୍ଥିକ ମୋର୍ଚ୍ଚାରେ ବି ବିପଦ ସଂକେତ ଅଟେ । ତେଣୁ ଏଠି ବଡ଼ ପ୍ରଶ୍ନ କଣ ସମୟ ଥାଉ ଥାଉ ଆମେ ଏହି ପରିବର୍ତ୍ତନର ମୁକିବାଲ ପାଇଁ ପ୍ରସ୍ତୁତ ହୋଇପାରିବା ? ବଢୁଥିବା ହାରାହାରି ବୟସ ଆମର ଆର୍ଥିକ ଗତିରେ ବ୍ରେକ୍ ଲଗାଇବ କି ?

ଭାରତ ଗତ ଅନେକ ବର୍ଷ ହେଲା ନିଜ ଯୁବ ଜନସଂଖ୍ୟାକୁ ଦୁନିଆ ଆଗରେ ନିଜର ଶକ୍ତି ରୂପେ ଉପସ୍ଥାପନ କରିଆସୁଛି । ଅନୁମାନ କରାଯାଉଥିଲା ଯେ ୬୫ ପ୍ରତିଶତ ଜନସଂଖ୍ୟାର ବୟସ ୩୫ ବର୍ଷରୁ କମ ରହିବା ଦ୍ୱାରା ଦେଶକୁ ଡେମୋଗ୍ରାଫିକ୍ ଡିଭିଡେଣ୍ଟ ମିଳିବ । ଅର୍ଥାତ୍ ଅଧିକ କାମ କରୁଥିବା ଜନସଂଖ୍ୟା, ଅଧିକ ଉତ୍ପାଦନ ଓ ଦ୍ରୁତ ବିକାଶ । କିନ୍ତୁ ସଦ୍ୟ ସାମନାକୁ ଆସିଥିବା ରିପୋର୍ଟରେ ନୂଆ ଚିନ୍ତା ବଢାଇଛି । ଜନସଂଖ୍ୟା ବୃଦ୍ଧିର ଗତି ଧିମେଇବାରେ ଲାଗିଛି ଓ ଅନ୍ୟପଟେ ଲାଇଫ୍ ଏକ୍ସପେକ୍ଟନ୍ସି ବଢୁଛି । ଏହି ପରିବର୍ତ୍ତନର ସବୁଠୁ ବଡ଼ ଅର୍ଥ ହେଉଛି ଭାରତ ଦ୍ରୁତ ଗତିରେ ବୟସ୍କଙ୍କ ଦେଶ ପାଲଟୁଛି ।

ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ଜନସଂଖ୍ୟାକୁ ଆର୍ଥିକ ପ୍ରଗତିର ଅଗ୍ରଦୂତ କରାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁର ଉଲ୍ଲେଖ କରିଛି । ଏଜେନ୍ସି କହିଛି ଯେ ଭାରତକୁ ଯଦି ନିଜ ଅନୁମାନ ହାସଲ କରିବାର ଅଛି ତେବେ ଚାରୋଟି ବର୍ଗ-ସହରୀକରଣ, ଭିତ୍ତିଭୂମି, ଦକ୍ଷତା ବିକାଶ ସହ ଶ୍ରମଶକ୍ତିର ବିସ୍ତାର ଓ ବିନିର୍ମାଣ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ପଡ଼ିବ । ବ୍ଲୁମବର୍ଗ ଅନୁସାରେ, ଭାରତରେ ଯଦି ଏହି ମୋର୍ଚ୍ଚାରେ ଆଶାନୁରୂପ ପ୍ରଗତି ହାସଲ କରେ ତେବେ ଜନସଂଖ୍ୟାର ଲାଭ ଉଠାଇବା ଓ ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ନୂଆ ରୂପ ଦେବାରେ କେହି ଅଟକାଇପାରିବେ ନାହିଁ । ବ୍ଲୁମବର୍ଗ ଇକୋନମିକ୍ସରେ ଅର୍ଥଶାସ୍ତ୍ରୀ ଅଭିଷେକ ଗୁପ୍ତା କହିଛନ୍ତି, 'ଦେଶ ଏବେ ଯୁବ ଅଛି, ଇଂରାଜୀ କହୁଛି, ବଢୁଥିବା ଶ୍ରମଶକ୍ତି ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଆଗକୁ ବଢାଉଛି । ବୈଶ୍ୱିକ ରାଜନୈତିକ-ଆର୍ଥିକ ପରିସ୍ଥିତି ବି ଭାରତ ସପକ୍ଷରେ ଅଛି ।'

ପରିସଂଖ୍ୟାନ କଣ କହୁଛି ?

  • ଜନ୍ମ ହାର (ପ୍ରତି ୧୦୦୦ ଜନସଂଖ୍ୟାରେ ଜନ୍ମ) ୨୦୧୨ରେ ୨୧.୪ ଥିଲା, ଯାହା ୨୦୨୨ରେ ହ୍ରାସ ପାଇ ୧୯.୧ ହୋଇଛି ।
  • ଭାରତର ସହରାଞ୍ଚଳରେ ଜନ୍ମ ହାର ୧୭.୩ରୁ ହ୍ରାସ ପାଇ ୧୫.୫ ହୋଇଛି ।
  • ହାରାହାରି ବୟସ ଏବେ ୬୯.୯ ବର୍ଷ ହୋଇଛି, ଯାହା ୧୯୭୦-୭୫ ତୁଳନାରେ ୨୦ ବର୍ଷ ଅଧିକ ।
  • ୨୦୨୫ ସୁଦ୍ଧା ଭାରତରେ ୬୦ ବର୍ଷକୁ ଅଧିକ ବୟସ୍କଙ୍କ ସଂଖ୍ୟା ପ୍ରାୟ ୩୫ କୋଟି ହୋଇପାରେ, ଯାହା ବର୍ତ୍ତମାନର ଆମେରିକା ଜନସଂଖ୍ୟା ସହ ସମାନ ।

ଭାରତର ଅର୍ଥନୀତି ଉପରେ କ’ଣ ପଡ଼ିବ ପ୍ରଭାବ ?

କମ ଜନ୍ମ ହାରର ଅର୍ଥ ହେଉଛି ଭବିଷ୍ୟତରେ ଶ୍ରମଶକ୍ତି ହ୍ରାସ ପାଇବ ଓ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ବଢିବ । ଏହାର ସିଧା ପ୍ରଭାବ ପ୍ରୋଡକ୍ଟିଭିଟି ଓ ଜିଡିପି ଅଭିବୃଦ୍ଧି ଉପରେ ପଡ଼ିବ । ନିତି ଆୟୋଗ ରିପୋର୍ଟ ଅନୁସାରେ ୭୫ ପ୍ରତିଶତ ବରିଷ୍ଠ ନାଗରିକ କୌଣସି ନା କୌଣସି ରୋଗରେ ପୀଡ଼ିତ ଥାଆନ୍ତି । ୭୦ ପ୍ରତିଶତ ବୟସ୍କ ନାଗରିକ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ଉପରେ ନିର୍ଭର ରହିଥାନ୍ତି । ଏପରି ସ୍ଥଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ବୋଝ ବଢିବ । ଏବେ ବର୍ତ୍ତମାନ ଦେଶର କେବଳ ୧୮ ପ୍ରତିଶତ ବୟସ୍କଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା ଅଛି ଓ ୭୮ ପ୍ରତିଶତଙ୍କୁ କୌଣସି ପେନସନ୍ ମିଳୁନାହିଁ । ଭବିଷ୍ୟତରେ ଯଦି ସରକାର ପେନସନ୍ ଓ ସୋସିଆଲ୍ ୱେଲଫେୟାର ସ୍କିମ୍ ଲାଗୁ କରନ୍ତି, ତେବେ ବିତ୍ତୀୟ ନିଅଣ୍ଟ ବଢିବ ।

ଏହି ସଂକଟରେ ବି ଏକ ନୂଆ ବଜାର ସୃଷ୍ଟି ହେଉଛି, ଯାହାକୁ ସିଲଭର୍ ଇକୋନମି କୁହାଯାଏ । ନିତି ଆୟୋଗ ଅନୁସାରେ, ଭାରତର ହୋମ୍ ହେଲ୍ଥ କେୟାର ମାର୍କେଟ୍ ୨୦୨୭ ସୁଦ୍ଧା ୨୧.୩ ବିଲିୟନ ଡଲାର ହୋଇପାରେ । ସିନିୟର କେୟାର ଟେକ୍ନୋଲଜି, ମେଡିକାଲ୍ ଡିଭାଇସ୍, ପେନ୍‌ସନ୍ ଫଣ୍ଡ୍ ମ୍ୟାନେଜମେଣ୍ଟ ଓ ରିଟାୟର୍‌ମେଣ୍ଟ ହୋମ୍ସ ପରି ସେକ୍ଟର ଦ୍ରୁତ ଗତିରେ ବଢିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.