ପତ୍ନୀ ହତ୍ୟାର କାରଣ ତ୍ରିକୋଣୀୟ ପ୍ରେମ : ୧୫ ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ ସ୍ୱାମୀ

Published By : Prameya-News7 Bureau | October 26, 2018 IST

ଅହମଦାବାଦ ୨୬/୧୦ : ୨୦୦୩ ମସିହା ଭାଲେଣ୍ଟାଇନ ଡେ ହୋଇଥିବା ସଜନୀ ମୃତ୍ୟୁ ଘଟଣାର ରହସ୍ୟ ସାମ୍ନାକୁ ଆସିଛି | ସଜନୀଙ୍କ ସ୍ୱାମୀ ତରୁଣ ଧିନ୍ନରାଜଙ୍କୁ କ୍ରାଇମବ୍ରାଞ୍ଚ ବାଙ୍ଗାଲୋରରୁ ଗିରଫ କରିଛି | ତରୁଣ ଗିରଫ ହେବା ପରେ ସଜନୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି | ତେବେ ତରୁଣଙ୍କ ଅନ୍ୟ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା | ସେ ସେହି ମହିଳାଙ୍କୁ ସେ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ | ସେଥିପାଇଁ ସ୍ତ୍ରୀକୁ ସେ ହତ୍ୟା କରିଥିବା ଜଣାପଡିଛି | ଘଟଣା ଏହି ପ୍ରକାର :- ୨୦୦୩ ମସିହା ଫେବୃଆରୀ ୧୪ ତାରିଖ, ଭାଲେଣ୍ଟାଇନ ଦିନ ବୋପାଲ ଅଂଚଳର ହୀରା ପନ୍ନା ଫ୍ଲାଟର ତୃତୀୟ ମହଲାରୁ ଜଣେ ମହିଳାଙ୍କୁ ହତ୍ୟା ହୋଇଥିବା ସୂଚନା ମିଳିଥିଲା | ଏହି ମହିଳା ସଜନୀ ତାଙ୍କ ସ୍ୱାମୀ ତରୁଣଙ୍କ ସହ ସେହି ଫ୍ଲାଟରେ ରହୁଥିଲେ | ହତ୍ୟା ଖବର ମିଳିବ ପରେ ପୋଲିସ ଘଟଣାସ୍ଥଳରେ  ପହଞ୍ଚିଥିଲା | ପୋଲିସ ଦେଖିଥିଲା ଯେ ତରୁଣ ସ୍ତ୍ରୀର ମୃତଦେହ ପାଖରେ ବସି କାନ୍ଦୁଛି | ଘଟଣାର ତଦନ୍ତ ପାଇଁ ପୋଲିସ ତରୁଣକୁ ଜେରା କରିଥିଲା | ପଚରାଉଚୁରା ବେଳେ ତରୁଣ ବାରମ୍ବାର ନିଜର ବୟାନ ବଦଳାଉଥିଲା | ତରୁଣ କେତେବେଳେ କହୁଥିଲା ତା ସ୍ତ୍ରୀକୁ କେହି ଜଣେ ହତ୍ୟା କରିଦେଇଛି | ପୁଣି କେତେବେଳେ କହୁଥିଲା ସଜନୀର ସ୍ୱାଭାବିକ ମୃତ୍ୟୁ ଘଟିଛି | ତେବେ କୌଣସି ସଠିକ ପ୍ରମାଣ ପାଉନଥିବାରୁ ପୋଲିସ ଘଟଣାର ରହସ୍ୟ ଉନ୍ନୋଚନ କରିପାରୁନଥିଲା କି କାହାକୁ ଗିରଫ କରିପାରୁନଥିଲା  | ପୋଲିସ ଏହି ମାମଲାର ତଦନ୍ତ ପାଇଁ ସନ୍ଧାନୀ କୁକୁରର ମଧ୍ୟ ସହାୟତା ନେଇଥିଲା | ତେବେ ସନ୍ଧାନୀ କୁକୁର ତରୁଣ ଉପରେ ଭୁକିବା ଦେଖି ପୋଲିସ ତରୁଣଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲା । କିନ୍ତୁ କୌଣସି ପ୍ରମାଣ ନମିଳିବାରୁ ତାକୁ ଗିରଫ କରିନଥିଲା | ତେବେ ଏହି ଘଟଣା ପରେ ତରୁଣର ମାନସିକ ସ୍ଥିତି ଠିକ ନଥିବା କହି ପୋଲିସ ତରୁଣକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ହସ୍ପିଟାଲରେ ତରୁଣ ଉପରେ ପୋଲିସର ନଜର ରହିଥିଲା | ତଥାପି ସେ ପୋଲିସକୁ ଚକମା ଦେଇ ହସ୍ପିଟାଲରୁ ପଳେଇଯାଇଥିଲା | ପୋଲିସ ତରୁଣର ସାଙ୍ଗସାଥି ଓ ବନ୍ଧୁବାନ୍ଧବଙ୍କୁ ପଚାରି ବୁଝିଥିଲା | କିନ୍ତୁ ତାର କୌଣସି ପତ୍ତା ପାଇନଥିଲା | ଘଟଣାର ଛାନଭିନ ଜାରି ରହିଥିଲା | ତରୁଣକୁ ଗିରଫ କରିବା ପାଇଁ ପୋଲିସ ଅନେକ ରାଜ୍ୟରେ ତାର ଖୋଜାଖୋଜି ଜାରି ରଖିଥିଲା | ତେବେ ନିକଟରେ ପୋଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଲା ଯେ, ତରୁଣ ନିଜ ନାଁ ବଦଳେଇ ବାଙ୍ଗାଲୋରରେ ରହୁଛି | ସେ ଦ୍ୱିତୀୟ ବିବାହ ମଧ୍ୟ କରିସାରିଛି ଏବଂ ତାର ଦୁଇଟି ସନ୍ତାନ ମଧ୍ୟ ଥିବା ପୋଲିସ ଜାଣିବାକୁ ପାଇଥିଲା | ତେବେ ପୋଲିସ ତରୁଣର ଜଣେ ସମ୍ପର୍କୀୟଙ୍କ  କଲ ଟ୍ରାକ କରିଥିଲା | ଏହାର ଆଧାରରେ ପୋଲିସ ତରୁଣର ଠିକଣା ପାଇଥିଲା ଓ ବାଙ୍ଗାଲୋରରୁ ଗିରଫ କରିଥିଲା | ପତ୍ନୀହନ୍ତା ତରୁଣକୁ ଧରାଇଦେବା ପାଇଁ ପୋଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା | ଶେଷରେ ୧୫ ବର୍ଷର ଅକାଳ ପରିଶ୍ରମ ପରେ ପତ୍ନୀର ହତ୍ୟାକାରୀ ସ୍ୱାମୀକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.