ନୂଆଦିଲ୍ଲୀ: ଭାରତର ଦକ୍ଷିଣରେ ଥିବା ଦୁଇ ରାଜ୍ୟ-ତାମିଲନାଡ଼ୁ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଭିତରେ ଜନସଂଖ୍ୟା ବଢାଇବା ପାଇଁ ଅପିଲ୍ କରିଛନ୍ତି । ଚନ୍ଦ୍ରବାବୁ ନାଇଡୁ ଅତି କମରେ ଦୁଇ କମ୍ୱା ତାଠାରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଅପିଲ୍ କରିଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ୧୬ ସନ୍ତାନ ଜନ୍ମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଠି ଧ୍ୟାନ ଦେବା କଥା ଏହା ଯେ ଏହି ଅପିଲ୍ ଉତ୍ତର ଭାରତରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇ ନାହିଁ । ତେଣୁ ପ୍ରଶ୍ନ ଉଠୁଛି ଯେ ଭାରତର ଦକ୍ଷିଣରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଅପିଲ୍ କାହିଁକି କରୁଛନ୍ତି ?
ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ପଛର କାରଣ:-
NFHS-5ର ଡାଟା ଦର୍ଶାଉଛି ଯେ ଦକ୍ଷିଣର ସବୁ ରାଜ୍ୟରେ ପ୍ରଜନନ ହାର ଜାତୀୟ ହାରଠାରୁ ବହୁ କମ । ଅନ୍ୟ ଏକ ସଦ୍ୟତମ ରିପୋର୍ଟ ଅନୁସାରେ ଭାରତର ହାରାହାରି ସନ୍ତାନ ଜନ୍ମ ହାର ୨୦୨୧ରେ ୧.୯ ଥିଲା । ଯାହା ଦୁନିଆର ଜନସଂଖ୍ୟା ପାଇଁ ଭଲ କୁହାଯାଇଥିବା ପ୍ରଜନନ ହାର ୨.୧ (ରିପ୍ଲେସମେଣ୍ଟ ସ୍ତର)ଠାରୁ କମ ଅଟେ । ଏଥିରେ ବି ଦକ୍ଷିଣ ଭରତର ରାଜ୍ୟ ଉପରେ ଦୃଷ୍ଟି ଦେଲେ ତାହା ଆହୁରି ଅଧିକ ଚିନ୍ତାଜନକ ।
NFHS-5 ଅନୁସାରେ ଆନ୍ଧ୍ର ପ୍ରଦେଶ ୧.୭୦, କର୍ଣ୍ଣାଟକ ୧.୭୦, କେରଳ ୧.୮୦, ତାମିଲନାଡ଼ୁ ୧.୮୦, ତେଲଙ୍ଗନା ୧.୮୨ ପ୍ରଜନନ ହାର ସହ ଜାତୀୟ ହାରଠାରୁ ବହୁ ପଛରେ ଅଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବୟାନର ଗୋଟିଏ କାରଣ ହେଉଛି କମୁଥିବା ସନ୍ତାନ ଜନ୍ମ ହାର ଏବଂ ବୟସ୍କ ହେଉଥିବା ଜନସଂଖ୍ୟା ।
ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଜନ୍ନ ହାର କମ ହେବା ଦ୍ୱାରା ଶ୍ରମଶକ୍ତି ହ୍ରାସ ପାଇବ । ଏହାସହ ସମାଜ ଉପରେ ବି ପ୍ରଭାବ ପଡ଼ିପାରେ । ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ରାଜ୍ୟଗୁଡ଼ିକୁ ବ୍ୟବସ୍ଥା କରିବାକୁ ପଡ଼ିବ ।୨୦୫୦ ସୁଦ୍ଧା ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ଜନସଂଖ୍ୟାରେ ଯୁବକଙ୍କ ତୁଳନାରେ ଅଧିକ ହୋଇପାରେ । ଜାପାନ, ଚୀନ ଏବଂ ଦକ୍ଷିଣ ଏସିଆର ଅନେକ ଦେଶଙ୍କ ପରି ଏବେ ଭାରତର ଦକ୍ଷିଣରେ ଥିବା ରାଜ୍ୟଗୁଡ଼ିକୁ ଏହି ଚିନ୍ତା ଘାରିବାରେ ଲାଗିଛି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ପ୍ରଥମ ଥର ଏହିପରି ବୟାନ ଦେଇ ନାହାନ୍ତି । ଜନସଂଖ୍ୟା ବଢାଇବା ଉପରେ ଚନ୍ଦ୍ରବାବୁ ନାଇଡୁ ପୂର୍ବରୁ ବି ଅନେକ ଥର ବୟାନ ଦେଇସାରିଛନ୍ତି । ୨୦୧୫ରେ ସେ କହିଥିଲେ ଯେ ଯୁବ ପିଢି ଶୀଘ୍ର ବିବାହ କରୁନାହାନ୍ତି ଏବଂ ଯଦି ବି କରୁଛନ୍ତି ତେବେ ପିଲା ଜନ୍ମ କରୁନାହାନ୍ତି । ନାଇଡୁ ଏବଂ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏହା ମଧ୍ୟ ଭୟ ଯେ କମ ଜନସଂଖ୍ୟା ଯୋଗୁଁ ସେମାନଙ୍କ ରାଜନୈତିକ ଶକ୍ତି କମ କରିପାରେ । ଆଗାମୀ ସୀମା ନିର୍ଦ୍ଧାରଣ ଏବଂ ସଂସଦ ସିଟ୍ ଭାଗବଣ୍ଟାରେ ଜନସଂଖ୍ୟା ହିସାବରେ ଉତ୍ତରର ରାଜ୍ୟ ତୁଳନାରେ କମ ଆସନ ମିଳିବାର ଆଶଂକା ମଧ୍ୟ ରହିଛି । ସେପଟେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଜନସଂଖ୍ୟା ନୀତି ୨୦୪୫ ଯାଏ ଏକ ସ୍ଥିର ଜନସଂଖ୍ୟା ଆଶା ରଖିଛନ୍ତି । ଏହାଦ୍ୱାରା ସ୍ଥିର ଆର୍ଥିକ ବୃଦ୍ଧି, ସାମାଜିକ ବିକାଶ ଏବଂ ପରିବେଶ ଉପରେ ଜୋର ଦିଆଯାଇପାରିବ ।