ନୂଆଦିଲ୍ଲୀ ୧୦।୭: ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଆଧାରକୁ ନାଗରିକତାର ପ୍ରମାଣ ସ୍ୱୀକାର ନ କରିବା ବିହାର ଭୋଟରଙ୍କୁ ଚିନ୍ତାରେ ପକାଇଛି। ଏଥି ମଧ୍ୟରେ ୧୦ ଜୁଲାଇ ଗୁରୁବାର ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଏହି ଘୋଷଣା ପଛର କାରଣ ପଚାରିଛନ୍ତି। ବିହାରରେ ଭୋଟର ଲିଷ୍ଟର ଏବେ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ହେଉଛି। ଏଥିରେ ନାଗରିକତାର ପ୍ରମାଣକୁ ନେଇ ଆବେଦନ ଉପରେ ଶୁଣାଣି କରୁଥିବା ପୀଠ ଏତେ କମ ସମୟରେ ସବୁ ନିର୍ଦ୍ଧାରିତ ଡକ୍ୟୁମେଣ୍ଟ ଦାଖଲ କରିବା ଭୋଟରଙ୍କ ପାଇଁ ସମ୍ଭବତ ବୋଲିପ୍ରଶ୍ନ କରିଛନ୍ତି।
କୋର୍ଟଙ୍କ ଏହି ପ୍ରଶ୍ନ ବରିଷ୍ଠ ଓକିଲ ଗୋପାଲ ଶଙ୍କରନାରାୟଣନ ଜନପ୍ରତିନିଧି ଅଧିନିୟମ ଅନୁସାରେ ଆଧାର ଏକ ସ୍ୱୀକୃତ ଡକ୍ୟୁମେଣ୍ଟ, ହେଲେ ନିର୍ବାଚନ ଆୟୋଗ ଏହାକୁ ବିହାର ଏସଆଇଆର ନିମନ୍ତେ ମାନ୍ୟ କରୁ ନାହାନ୍ତି ବୋଲି କହିବା ପାରେ ଆସିଛି। ଏହାର ଜାବାବରେ ନିର୍ବାଚନ ଆୟୋଗଙ୍କ ଓକିଲ ରାକେଶ ଦ୍ୱିବେଦୀ କୋର୍ଟଙ୍କୁ କହିଛନ୍ତି ଯେ ‘ଆଧାର କାର୍ଡକୁ ନାଗରିକତା ପ୍ରମାଣ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ’।
ଏଥିରେ ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୂଲିଆ ଟିପ୍ପଣୀ କରି କହିଛନ୍ତି ଯେ ନାଗରିକତାର ପ୍ରସଙ୍ଗ ଭାରତୀୟ ନିର୍ବାଚନ ଆୟୋଗ ନୁହେଁ ଗୃହମନ୍ତ୍ରାଳୟ ନିର୍ଦ୍ଧାରଣ କରନ୍ତି। ଏଣୁ ଶୀର୍ଷ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନାଗରିକତା ଡକ୍ୟୁମେଣ୍ଟର ଆବଶ୍ୟକତା ପ୍ରମାଣିତ କରିବା ପାଇଁ ସମୟସୀମା ଉପରେ ପ୍ରଶ୍ନ କରିଥିଲେ। କହିଥିଲେ ଗହନ ପ୍ରକ୍ରିୟା ମାଧ୍ୟମରେ ଭୋଟର ଲିଷ୍ଟକୁ ସୁଧାର କରିବା ଭୁଲ ନୁହେଁ ଏହା ଦ୍ୱାରା ଅଣ ନାଗରିକ ଭୋଟର ଲିଷ୍ଟରେ ନଥିବା ନିଶ୍ଚିତ ହୋଇ ପାରିବ। ତେବେ ଯଦି ପ୍ରସ୍ତାବିତ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏ ନେଇ ନିଷ୍ପତ୍ତି ନେବେ ଏହା କିପରି ସମ୍ଭବ ହେବ ବୋଲି ପ୍ରଶ୍ନ କରିଛନ୍ତି।
ତେବେ ବିଚାରପତି ଜଷ୍ଟିସ୍ ବାଗଚୀ କହିଛନ୍ତି ଏହି ପ୍ରକ୍ରିୟାକୁ ଆଗାମୀ ନିର୍ବାଚନ ସହିତ କାହିଁ ଯୋଡା ଯାଉଛି ତାହା ହିଁ ମୋର ପ୍ରଶ୍ନ। ଏହା ଉପରେ ନିର୍ବାଚନ ଆୟୋଗଙ୍କ ଓକିଲ ଜୋର ଦେଇ କହିଛନ୍ତି ଯେ ବିନା ସୂଚନା ଅଥବା ଶୁାଣାଣିରେ ଭୋଟର ଲିଷ୍ଟରୁ କାହାର ନାମ ଅପସାରଣ ହେବ ନାହିଁ। ଏଥିରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଭୋଟର ଲିଷ୍ଟ ସତ୍ୟାପନରେ ଆଧାରକାର୍ଡ, ଭୋଟର ଆଇଡି ଓ ରାସନ କାର୍ଡକୁ ବୈଧ ଡକ୍ୟୁମେଣ୍ଟ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।