କିଏ ଏହି ରାଧା ଭେମ୍ବୁ, ଭାରତର ତୃତୀୟ ମହିଳା ଧନୀ ଏବଂ ୨୧  ହଜାର କୋଟି ଟଙ୍କାର ମାଲିକାଣୀ

Published By : Prameya-News7 Bureau | February 14, 2023 IST

ନୂଆଦିଲ୍ଲୀ: ଭାରତର ଏମିତି ଜଣେ ମହିଳା ଯିଏ ହଜାର ହଜାର କୋଟି ଟଙ୍କାର ମାଲିକାଣୀ। ଫୋର୍ବ୍ସର ଧନୀ ତାଲିକାରେ ମଧ୍ୟ ତାଙ୍କ ନାମ ରହିଛି। ବିଶ୍ଵର ଧନୀ ତାଲିକାରେ ସେ ୧୧୭୬ତମ ସ୍ଥାନରେ ଅଛନ୍ତି। ଏପରିକି ଭାରତର ତୃତୀୟ ଧନୀ ମହିଳା। ଭାରତର ଏହି ଉଦ୍ୟୋଗୀ ମହିଳା ହେଉଛନ୍ତି ରାଧା ଭେମ୍ଵୁ। ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୨୧ ହଜାର ୪୫୫ କୋଟି ଟଙ୍କା। ସେ ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନି ଜୋହୋ କୋର୍ପର ମାଲିକାଣୀ। ତାଙ୍କର ବ୍ୟବସାୟ ସଫ୍ଟଓ୍ଵେର କ୍ଷେତ୍ରକୁ ମଧ୍ୟ ବ୍ୟାପିଛି। ସେ ନିଜର ଭାଇଙ୍କ ସହ ମିଶି ସଫ୍ଟଓ୍ଵେ ଫର୍ମ ସ୍ଥାପନ କରିଛନ୍ତି। ରାଧା ଭେମ୍ବୁ ଏହି କମ୍ପାନିର ସର୍ବାଧିକ ଅଂଶଧାରୀ।

1972ରେ ଜନ୍ମିତ ରାଧାଙ୍କ ବାପା ମାଦ୍ରାସ ହାଇକୋର୍ଟରେ ଷ୍ଟେନୋଗ୍ରାଫର ଭାବେ କାମ କରୁଥିଲେ।ରାଧା ନିଜର ଉଚ୍ଚ ଶିକ୍ଷା ଭାରତର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି ମାଦ୍ରାସରୁ ଲାଭ କରିଛନ୍ତି।ଏଠାରୁ ସେ ଇଣ୍ଡଷ୍ଟ୍ରିୟାଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି।

ଭାଇ ଶ୍ରୀଧର ଭେମ୍ବୁ ଏବଂ ଶେଖର ଭେମ୍ବୁଙ୍କ ସହ ବ୍ୟବସାୟ କରିବା ପରେ ବି ସେ ନିଜର ପାଠପଢା ଜାରି ରଖିଥିଲେ। ଶ୍ରୀଧର କମ୍ପାନିର ଚେହେରା ହୋଇଥିବା ବେଳେ ଶେଖର ଦେଖାଶୁଣା କରନ୍ତି। ଜୋହୋ କମ୍ପାନିରେ ଉତ୍ପାଦକ ପ୍ରବନ୍ଧକ ଭାବେ ରାଧା ୨୫୦ କର୍ମଚାରୀଙ୍କ ନେତୃତ୍ଵ ନିଅନ୍ତି। ସେ ଚେନ୍ନାଇର ବାସିନ୍ଦା ହୋଇଥିବା ବେଳେ ତାଙ୍କର ଘର ହିଁ କମ୍ପାନିର ମୁଖ୍ୟ ଅଫିସ ମଧ୍ୟରୁ ଗୋଟିଏ। ତେବେ ୩୭୫ ଏକର ଜମିରେ ତାଙ୍କ କମ୍ପାନିର ମୁଖ୍ୟାଳୟ ଟେକ୍ସାସର ଅଷ୍ଟିନରେ ଅବସ୍ଥିତ।

ବିଶ୍ଵରେ ନଅଟି ଦେଶରେ ତାଙ୍କ କମ୍ପାନିର ଶାଖା ରହିଛି, ଯାହାର ପାଖାପାଖି ୬ କୋଟି ୟୁଜର ଅଛନ୍ତି। ରାଧା ନିଜର ସଫ୍ଟଓ୍ଵେର ବ୍ୟବସାୟ ପାଇଁ ମଧ୍ୟ ବେଶ ଜଣାଶୁଣା, ଯାହାର ନାମ ହେଉଛି ଜୋନୋ। ରାଧା ଜାନକୀ ହାଇଟେକ୍ ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କୃଷି ଏନଜିଓର ନିର୍ଦ୍ଦେଶକ ଅଛନ୍ତି। ତା ସହ ହାଇଲାଣ୍ଡ ଭ୍ୟାଲି କର୍ପୋରେସନ ଲିମିଟେଡ ନାମକ ଏକ ରିୟଲ ଇଷ୍ଟେଟ୍ କମ୍ପାନିର ନିର୍ଦ୍ଦେଶକ ଅଟନ୍ତି। ସେ ବିବାହିତ ହେବା ସହ ତାଙ୍କର ଗୋଟିଏ ସନ୍ତାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.