ନୂଆଦିଲ୍ଲୀ: ଆମେରିକୀୟ ସୋସିଆଲ୍ ମଡିଆ ପ୍ଲାଟ୍ଫର୍ମ ଫେସ୍ବୁକର ମୂଳ କମ୍ପାନୀ ମେଟା ଭାରତରେ ଏହାର କାରବାର ଦେଖିବାକୁ ମାର୍କେଟିଂ ଭେଟେରାନ ଅରୁଣ ଶ୍ରୀନିବାସଙ୍କୁ ମୁଖ୍ୟ ଭାବେ ନିଯୁକ୍ତ ଦେଇଛି। ଶ୍ରୀନିବାସ ମେଟାର ଭାରତୀୟ ଶାଖାର ମୁଖ୍ୟା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସୋମବାର ମେଟା ପକ୍ଷରୁ ଘୋଷଣା କରାଯାଇଛି। ଜୁଲାଇ ୧ ତାରିଖରୁ ଶ୍ରୀନିବାସ ତାଙ୍କ ଦାୟିତ୍ୱ ଗ୍ରହଣ କରିବେ।
ଏନେଇ ମେଟା କହିଛି “ଶ୍ରୀନିବାସ ମେଟାର ବ୍ୟବସାୟର ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ଭାରତ ପ୍ରତି ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ କାମ କରିବେ।, ଅଂଶୀଦାର ଏବଂ ଗ୍ରାହକମାନଙ୍କୁ ସେବା ଯୋଗାଇବା ପାଇଁ ସଂଗଠନର ବ୍ୟବସାୟ, ନବସୃଜନ ଏବଂ ରାଜସ୍ୱ ପ୍ରାଥମିକତାକୁ ଏକାଠି କରିବା ଉପରେ ଧ୍ୟାନ ଦେବେ।”
ଅରୁଣ ଶ୍ରୀନିବାସଙ୍କ ପୂର୍ବରୁ ମେଟା ଭାରତର ମୁଖ୍ୟ ଭାବରେ ସନ୍ଧ୍ୟା ଦେବନାଥନ କାମ କରୁଥିଲେ। କମ୍ପାନୀ ଦେବନାଥଙ୍କ ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ସେ ଭାରତ ସମେତ ଦକ୍ଷିଣ ଏସିଆ ଉଭୟର ତଦାରଖ କରିବେ ବୋଲି ମେଟା କହିଛି। କମ୍ପାନୀର ବିଜ୍ଞପ୍ତି ଅନୁସାରେ, ଶ୍ରୀନିବାସ ତାଙ୍କର ନୂଆ ଭୂମିକା ଗ୍ରହଣ କରିବା ପରେ ବି ସେ ଦେବନାଥନଙ୍କୁ ରିପୋର୍ଟ କରିବେ।
ସୂଚନା ଥାଉକି ଅରୁଣ ଶ୍ରୀନିବାସ ବର୍ତ୍ତମାନ ମେଟାର ଭାରତୀୟ ନିର୍ଦ୍ଦେଶକ ଏବଂ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁସାରେ, ଶ୍ରୀନିବାସ ସେପ୍ଟେମ୍ବର ୨୦୨୦ ରେ କାର୍ଯ୍ୟ ଆରମ୍ଭ କରିବା ପରେ ୪ ବର୍ଷ ଦଶ ମାସରୁ ଅଧିକ ସମୟ ପାଇଁ କମ୍ପାନୀରେ କାର୍ଯ୍ୟ କରିଛନ୍ତି। ମେଟା ଇଣ୍ଡିଆ ଆଡ୍ସ ବ୍ୟବସାୟର ନେତୃତ୍ୱ ନେବା ପୂର୍ବରୁ, ଶ୍ରୀନିବାସ ସେପ୍ଟେମ୍ବର ୨୦୨୦ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ମେଟାର ଗ୍ଲୋବାଲ୍ ବିଜନେସ୍ ଗ୍ରୁପର ନିର୍ଦ୍ଦେଶକ ଏବଂ ମୁଖ୍ୟ ଥିଲେ।
ମେଟା ପୂର୍ବରୁ ଶ୍ରୀନିବାସ ଜୋତା କମ୍ପାନୀ ରିବକ, ୟୁନିଲିଭର ଓ ଫୁଡ୍ ସାଉଥ ଏସିଆ ଭଳି କମ୍ପାନୀର ବିଭିନ୍ନ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି। ଅରୁଣ ଶ୍ରୀନିବାସଙ୍କ ଲିଙ୍କଡିନ୍ ପ୍ଲାଟଫର୍ମ ଅନୁଯାୟୀ, ସେ ୧୯୯୩ ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏବଂ ୧୯୯୬ ମସିହାରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM) କଲିକତାରୁ ମାର୍କେଟିଂରେ PGDM ସମାପ୍ତ କରିଥିଲେ। ସେ ୨୦୦୭ ମସିହାରେ ଆମେରିକା ସ୍ଥିତ ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟି - କେଲଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଷ୍ଟ୍ରାଟେଜିକ୍ କଷ୍ଟମର ମ୍ୟାନେଜମେଣ୍ଟରେ ଏକଜିକ୍ୟୁଟିଭ୍ ଶିକ୍ଷାର ଏକ କୋର୍ସ ମଧ୍ୟ କରିଥିଲେ।