ଆହୁରି ଥରିବେ ଲୋକେ, ସପ୍ତାହ ଯାଏ ରାଜ୍ୟରେ ବଢିବ ଶୀତ

Published By : Prameya-News7 Bureau | December 04, 2022 IST

ଭୁବନେଶ୍ୱର ୦୪।୧୨ : ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତ ବଢିବ । ପରେ ତାପମାତ୍ରା ଧୀରେ ଧୀରେ କମିବ । କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ୭ ତାରିଖ ଯାଏ ରହିବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିିବ । ତେବେ ଥଣ୍ଡା ବଢିବ । ୮ରୁ ଶୀତ କମିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୮ରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର ପୂର୍ବ ଦିଗରୁ ପବନ ବହିବ । ୯ରୁ ୧୧ ଭିତରେ ବଙ୍ଗୋପସାଗରୀୟ ପୂର୍ବା ପବନ ବହିବ । ଏଥିପାଇଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ଅଛି । ୩ରୁ ୫ ତାରିଖ ଭିତରେ ଦକ୍ଷିଣ ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରୀ କମିପାରେ । ୩ରୁ ୬ ଭିତରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତରରେ ୨ଡିଗ୍ରୀ କମିପାରେ । ୩ରୁ ୭ ଯାଏ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡିଶାରେ ୪ରୁ ୫ ଡିଗ୍ରୀ କମିପାରେ ।

୮ରୁ ଶୀତ କମିବ । ୮ ଓ ୯ ତାରିଖ ଦୁଇ ଦିନ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କମିପାରେ । ୯ରୁ ୧୧ ଭିତରେ ଦକ୍ଷିଣ ଆଭ୍ୟନ୍ତରରେ ୬ ଡିଗ୍ରୀ ଓ ଉତ୍ତର ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ବଢିବ । ତାପମାତ୍ରା ବଢିବା ଯୋଗୁ ଶୀତ କମିଯିବ ବୋଲି ଡ.ପଶୁପାଳକ କହିଛନ୍ତି ।

ଦକ୍ଷିଣ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ । ଅଧିକ ଘନୀଭୂତ ହେବାର ସମ୍ଭାବନା ଥିଲେ ବି ତାମିଲନାଡୁ ଉପକୂଳରେ ଏହା ୯ ତାରିଖ ସୁଦ୍ଧା ଦୁର୍ବଳ ହୋଇଯିବ ବୋଲି ସେ କହିଛନ୍ତି । ୮ରୁ ୧୧ ଭିତରେ ତାପମାତ୍ରା ବୃଦ୍ଧି ଆର୍ଦ୍ରତା ବଢିବ । ଆଶିଂକ ମେଘୁଆ ପାଗ ସହ କୁହୁଡି ପଡିବ । ଏଥିପାଇଁ ଶୀତଦିନିଆ ପନିପରିବାରେ ରୋଗ ପୋକ ବଢିବାର ସମ୍ଭାବନା ଅଛି ।

ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିଛି । କୋରାପୁଟରେ ସବୁଠୁ କମ୍‌ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.