ଖସୁଛି ପାରଦ, ବଢୁଛି ଶୀତ : ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବ

Published By : Prameya-News7 Bureau | October 29, 2022 IST

ଭୁବନେଶ୍ୱର ୨୯।୧୦: ଅକ୍ଟୋବର ୩୦ ତାରିଖ ଯାଏ ରାଜ୍ୟରେ ରାତି ତାପମାତ୍ରା କମ୍‌ ରହିବ । ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀରୁ ତଳକୁ ଖସିବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି ।

ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ଉପକୂଳକୁ ମୁହାଁଉଛି । ଅକ୍ଟୋବର ୩୦ ପରେ ରାତି ତାପମାତ୍ରା ବଢ଼ିବ । ନଭେମ୍ବର ୧ ଓ ୨ ତାରିଖରେ ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ନଭେମ୍ବର ୫ ତାରିଖ ଯାଏ ରାତି ତାପମାତ୍ରା ବଢ଼ିବ । ପରେ ତାପମାତ୍ରା ଧୀରେ ଧୀରେ କମିବ ବୋଲି ଡ. ସାହୁ କହିଛନ୍ତି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୭ ଦିନ ଯାଏ ପାଗ ଶୁଖିଲା ରହିବ । ୩୦ ଯାଏ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ୩୧ରୁ ନଭେମ୍ବର ୨ ତାରିଖ ଯାଏ ଉପକୂଳରେ ତାପମାତ୍ରା ୨ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରରେ ୧.୫ ଡିଗ୍ରୀ ବଢ଼ିବ । ୩ରୁ ପୁଣି ସାମାନ୍ୟ ବଢ଼ିବ । ୩୧ରେ ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪ଡିଗ୍ରୀ କମିବ । ସେହିଭଳି ଆଭ୍ୟନ୍ତରୀଣରେ ୨ଡିଗ୍ରୀ କମିବା ଯୋଗୁ ପାଗ କୋହଲା ରହିବ । ଏବେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ୩୧ରେ ଗଞ୍ଜାମ ଉପକୂଳରେ ହାଲୁକା ବର୍ଷା ହୋଇପାରେ । ଆଗକୁ ବର୍ଷା ନଥିବାରୁ ଜମିରେ ପାଣି ବାନ୍ଧି ରଖିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି । ବତର ମାଟିରେ ରବି ଫସଲ ବୁଣିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ରାଜ୍ୟର ୧୮ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳେ ଥିଲା । ଦାରିଙ୍ଗିବାଡ଼ିର ତାପମାତ୍ରା ସବୁଠୁ କମ୍‌ ୧୩.୫ ଡିଗ୍ରୀ ଥିଲା । କୋରାପୁଟର ୧୪.୫, ଫୁଲବାଣୀ, ବୌଦ୍ଧ ଓ ସୋନପୁରର ୧୫, ଭବାନୀପାଟଣାର ୧୬, ହୀରାକୁଦର ୧୬.୯ ଡିଗ୍ରୀ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.