ରାଜ୍ୟକୁ ବିଳମ୍ବରେ ଆସିବ ଶୀତ ! ୧୮କୁ ଆସିପାରେ ଆଉ ଏକ ଲଘୁଚାପ

Published By : Prameya-News7 Bureau | September 15, 2022 IST

ଭୁବନେଶ୍ୱର ୧୫।୦୯ : ଅକ୍ଟୋବର ଓ ନଭେମ୍ବରରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଏଥି ଯୋଗୁ ଶୀତ ଆଗମନ ଏ ବର୍ଷ ବିଳମ୍ବ ହେବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ଏଲ୍‌-ନିନୋ, ଇଣ୍ଡିଆନ ଓସନ ଡାଇପୋଲ ଏବଂ ଏମଏଜେଓକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ସମସ୍ତ ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଏହାର ସମ୍ଭାବନା ୫୦%ରୁ ଅଧିକ ରହିଛି । ଉପକୂଳ ପାଖ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଏହାର ସମ୍ଭାବନା ୪୦%ରୁ ୪୫% ରହିଛି । ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଅର୍ଥାତ ରାଜ୍ୟକୁ ଶୀତ ବିଳମ୍ବରେ ଆସିବା ସମ୍ଭାବନା ଅଛି। ଡିସେମ୍ବର ମାସରେ ତାପମାତ୍ରା ସ୍ୱାଭାବିକ ରହିବ । ଅକ୍ଟୋବର ମାସର ଅଧିକ ବର୍ଷା ହେଲେ ସଅଳ ଫସଲ ପାଇଁ ଅସୁବିଧା କରିପାରେ । ରବି ଅଣଧାନ ଫସଲ ପାଇଁ ପାଗ ଅନୁକୂଳ ରହିବ ।

ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ବଡ଼ଧରଣର ବର୍ଷା ନାହିଁ । ତେବେ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ବର୍ଷା ବଢ଼ିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.