ଦିଲ୍ଲୀ-NCRରେ ବଦଳିଲା ପାଗ, ଝଡ଼ ତୋଫାନ ସାଙ୍ଗକୁ ବର୍ଷା, ଜୟପୁରକୁ ଡାଇଭର୍ଟ ହେଲା ୯ ବିମାନ

Published By : Prameya-News7 Bureau | March 29, 2023 IST

ନୂଆଦିଲ୍ଲୀ ୨୯।୩: ଦିଲ୍ଲୀ-ଏନସିଆରରେ ପାଗ ପୁଣି ବଦଳିଛି। ବୁଧବାର ଅପରାହ୍ନରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ଫଳରେ ବଢି ଚାଲିଥିବା ତାପମାତ୍ରା ନିୟନ୍ତ୍ରିତ ହୋଇଛି। ତେବେ ଅପରାହ୍ନରେ ଝଡ଼ତୋଫାନ ଓ ବର୍ଷା ଲାଗି ଦିଲ୍ଲୀ ବିମାନ ବନ୍ଦରରୁ ୯ ଟି ବିମାନର ମାର୍ଗ  ପରିବର୍ତ୍ତନ କରାଯାଇ ଜୟପୁର ପଠାଇ ଦିଆଯାଇଛି। ଅଧିକ ବେଗରେ ପବନ ବହିବା ଯୋଗୁ ବିମାନ ଅବତରଣରେ ବିପଦ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ଆଗାମୀ ୨ ଘଣ୍ଟା ଧରି ରାଜଧାନୀ ଦିଲ୍ଲୀରେ ବର୍ଷା ଲାଗି ରହିବ।

{"id":765292,"width":839,"height":472,"sizeSlug":"full","linkDestination":"none"}

ଦିଲ୍ଲୀ ସହିତ ଗାଜିଆବାଦ ଓ ନୋଏଡା ଆକାଶରେ ବାଦଲ ଛାଇ ରହିଥିବା ବେଳେ ପବନର ବେଗ ବଢିବା ଆରମ୍ଭ ହୋଇଛି। ଏଣୁ ଏଠାରେ ମଧ୍ୟ ବର୍ଷା ଆଶଙ୍କା କରାଯାଉଛି। ପାଣିପାଗ ବିଭାଗଙ୍କ ଅନୁସାରେ ସୃଷ୍ଟି ହୋଇଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଯୋଗୁ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତର ପାଗରେ ପରିବର୍ତ୍ତନ ଆସିଛି। ପାଣିପାଗ ପରିବର୍ତ୍ତନ ଯୋଗୁ ଦିଲ୍ଲୀ ଆକାଶକୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବାଦଲ ଘୋଡାଇ ରଖିବ। ମାର୍ଚ୍ଚ ୩୦ ତାରିଖ ଦିନ ବାଦଲ ଘୋଡେଇ ହୋଇ ରହିବା ଯୋଗୁ ଦିଲ୍ଲୀରେ ଦିନର ତାପମାତ୍ର ମଧ୍ୟ ହ୍ରାସ ହେବ।

{"id":765294,"sizeSlug":"full","linkDestination":"none"}

ଏହି ସମୟରେ ଦିଲ୍ଲୀରେ ଅଧିକତମ ତାପମାତ୍ରା ୩୨ ଡିଗ୍ରି ସେଲସିୟସ୍ ପାଖାପାଖି ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ରହିପାରେ। ଏହି ସମୟରେ ରାତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଉଛି। ବୁଧବାର ଦିଲ୍ଲୀ ରାଜୀବ ଚୌକ, ଦ୍ୱାରକା, ଇଣ୍ଡିଆ ଗେଟ୍, ଅକ୍ଷରଧାମ, ପାଲମ, ରାଷ୍ଟ୍ରପତି ଭବନ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ, ସଫଦରଜଙ୍ଗ, ଲୋଧି ରୋଡ, ଇନ୍ଦିରାଗାନ୍ଧି ବିମାନବନ୍ଦର, ବସନ୍ତ ବିହାର ଓ ବସନ୍ତ କୁଞ୍ଜ ସମେତ ଆଖପାଖ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.