ରାଜକୋଟରେ କୋହଲିଙ୍କ ୨୪ତମ ଟେଷ୍ଟ ଶତକ : ବୀରେନ୍ଦ୍ର ସେହେୱାଗ ପଡିଲେ ପଛରେ

Published By : Prameya-News7 Bureau | October 05, 2018 IST

ରାଜକୋଟ ୫/୧୦ : ରାଜକୋଟ ଠାରେ ଚାଲିଥିବା ଭାରତ - ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଶୃଙ୍ଖଳା ବିଶିଷ୍ଟ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି | ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୨୪ତମ ଶତକ | ଅଦ୍ୟାବଧି ବିରାଟ ୭୧ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି | ଏଥି ମଧ୍ୟରେ ସେ ୨୪ଟି ଶତକ, ୧୯ଟି ଅର୍ଦ୍ଧ ଶତକ ଏବଂ ୬ଟି ଦ୍ବିଶତକ କରିବାର ଗୌରବ ଅର୍ଜନ କରିଛନ୍ତି | ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା କ୍ଷେତ୍ରରେ ବୀରେନ୍ଦ୍ର ସେହେୱାଗଙ୍କୁ ସେ ପଛରେ ପକାଇଛନ୍ତି | ବୀରେନ୍ଦ୍ର ସେହେୱାଗ ୨୩ଟି ଟେଷ୍ଟ ଶତକ କରିଥିଲେ | ଟେଷ୍ଟରେ ବିରାଟ କୋହଲି ଏହି ଶତକ ସହ ୬୧୫ ରନ କରିଛନ୍ତି | ତାଙ୍କ ଷ୍ଟ୍ରାଇକ ରେଟ ୫୪ ରହିଛି | ସେହିଭଳି ଏହି ଶତକୀୟ ଇନିଂସରେ ବିରାଟ ଆଉ ଏକ ରେକର୍ଡ କରିଛନ୍ତି | ତାହା ହେଲା ଭାରତୀୟ ଗାଉଣ୍ଡରେ ସେ ୩୦୦୦ ରନ ପୁରା କରିଛନ୍ତି | ଭାରତୀୟ ଗ୍ରାଉଣ୍ଡରେ ବିରାଟ ୩୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି | ଦ୍ରୁତତମ ୩୦୦୦ ରନ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଶୀର୍ଷ ସ୍ଥାନରେ ପହଂଚି ଚେତେଶ୍ୱର ପୂଜାରୀଙ୍କ ସହ ସମକକ୍ଷ ହୋଇଛନ୍ତି | ୫୩ଟି ଇନିଂସରୁ କୋହଲି ୩୦୦୦ ରନ ସଂଗ୍ରହ କରିଥିବା ବେଳେ ପୂଜାରୀ ମଧ୍ୟ ସମାନ ସଂଖ୍ୟକ ଇନିଂସରୁ ୩୦୦୦ ରନ ସଂଗ୍ରହ କରିସାରିଛନ୍ତି | ଏହା ପଛକୁ ରହିଛନ୍ତି ସଚିନ ତେନ୍ଦୁଲକର | ତେନ୍ଦୁଲକର ୫୫ଟି ଇନିଂସରୁ ୩୦୦୦ ରନ ସଂଗ୍ରହ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.