ବାଲିପାଟଣା ୧୭।୬: ଚୋରା ମଦ ବିକ୍ରିକୁ ବିରୋଧ । ଏକାଠି ହେଲେ ୧୨ଖଣ୍ଡ ଗ୍ରାମର ଗ୍ରାମବାସୀ । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଗାଁରେ ମହିଳା, ପୁରୁଷ, ଯୁବକ-ଯୁବତୀ ଧାରଣାରେ ବସିଛନ୍ତି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ସୋମବାର ରାତିରେ ୧୨ ଖଣ୍ଡ ଗ୍ରାମର ଗ୍ରାମବାସୀ ଏକାଠି ହୋଇ ଚୋରା ମଦ ବିକ୍ରି ବନ୍ଦ କରିବାକୁ ଶପଥ ନେଇଛନ୍ତି ।
ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଚୋରା ମଦ ବିକ୍ରି ଚାଲିଛି । ନିଶାଡିଙ୍କ ପାର୍ଦୁଭାବରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଆଇନର ଆଶ୍ରୟ ନେଇଛନ୍ତି । ଏହାକୁ ନେଇ ମଦ ବେପାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଉତ୍ତେଜନା ବୃଦ୍ଧି ପାଇବା ପରେ ରବିବାର ଦିନ ସ୍ଥାନୀୟ ଲୋକେ ଥାନା ଘେରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରି ଛାଡିଥିଲା ।ହେଲେ ପୋଲିସ ତରଫରୁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନେଉ ନଥିବା ଦାବି ହୋଇଛି । ତେବେ ୧୨ ଖଣ୍ଡ ଗ୍ରାମର ଗ୍ରାମବାସୀ ଗାଁରେ ଧାରଣା ଦେଇଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ଏହାସହ ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବୈଠକରେ ନିଷ୍ପତି ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଭାକର ସାହି ଏବଂ ମଝିହରା ପଞ୍ଚାୟତର ପ୍ରାୟ ୧୨ ଖଣ୍ଡ ଗ୍ରାମରେ ଚୋରା ମଦ ବିକ୍ରିକୁ କେନ୍ଦ୍ର କରି କିଛି ଦିନ ହେଲା ଉତ୍ତେଜନା ଲାଗି ରହିଛି । ପୋଲିସ ଓ ଅବକାରୀ ବିଭାଗ ଚେଇଁ ଶୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅଭିଯୋଗ କଲେ ସୁଫଳ ହେଉନାହିଁ । ମଦ ବେପାରୀ ଓ ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ଗଢି ଉଠିଥିବା ଦାବି ହେଉଛି । ପ୍ରଶାସନ ଓ ସରକାର ଚୋରା ମଦ ବିକ୍ରି ବନ୍ଦ ନ କଲେ ଶହ ଶହ ସଂଖ୍ୟାରେ ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥିର ହୋଇଥିବା ଜଣାପଡିଛି ।
You Can Read:
ଟ୍ରକ୍ ପଛରେ ଧକ୍କା ହେଲା କାର୍, ଗୁରୁତର ଅବସ୍ଥାରେ ଡାକ୍ତର ମେଡିକାଲରେ ଭର୍ତ୍ତି