ନିଯୁକ୍ତିରେ ଅହେତୁକ ବିଳମ୍ବ ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ, ଖଣିକାର୍ଯ୍ୟ ବନ୍ଦ ଓ ପରିବହନ ଠପ୍
23/09/2020 at 4:00 PM

ଅନୁଗୋଳ ୨୩।୯: ଅନୁଗୋଳ ଜିଲ୍ଲା ତାଳଚେର ଏକଡ଼ାଳ ଗ୍ରାମବାସୀଙ୍କ ଆନ୍ଦୋଳନ ପୁଣି ଥରେ ଆରମ୍ଭ ହୋଇଛି । ପ୍ରତିବାଦରେ ଅନନ୍ତ କୋଇଲା ଖଣିର ଟାଇମ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଥିଯୋଗୁଁ ଖଣି କାର୍ଯ୍ୟ ବନ୍ଦ ରହିବା ସହ ପରିବହନ ମଧ୍ୟ ବନ୍ଦ ରହିଛି ।

କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପରେ ଏକଡ଼ାଳ ଗ୍ରାମର ୧୨୫ଜଣଙ୍କୁ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ ହେଉଥିବାରୁ ଏହି ଆନ୍ଦୋଳନ ଚଳାଇଛନ୍ତି ଗ୍ରାମବାସୀ । ଆଗରୁ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ତୁରନ୍ତ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ପରେ ଏମସିଏଲ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଟାଇମ୍ ଅଫିସ ବନ୍ଦ କରିବା ସହ ନାରାବାଜି କରିଛନ୍ତି ।

ଅପ୍ରୀତିକର ପରିସ୍ଥିତିକୁ ଦେଖି ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଆନ୍ଦୋଳନ ଚଳାଇଥିବା ୩୦ ଜଣଙ୍କୁ ଗିରଫ କରି ଜଗନ୍ନାଥ କଳାକେନ୍ଦ୍ରଠାରେ ଅଟକ ରଖାଯାଇଛି । ସେପଟେ ପୁଣି ଆହୁରି ଅଧିକ ଗ୍ରାମବାସୀ ଆସି ଟାଇମ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।