ତିରୁପତି ମନ୍ଦିରରେ ନମାଜ ଭିଡିଓ ଭାଇରାଲ, ରୋଷରେ ଭକ୍ତ, ଯାଞ୍ଚ ଆଦେଶ ଦେଲେ TTD

Published By : Prameya-News7 Bureau | May 23, 2025 IST

ତିରୁପତି ୨୩।୫ : ତିରୁପତିର ପ୍ରସିଦ୍ଧ ତିରୁମାଲା ମନ୍ଦିର ପରିସରରେ ଜନୈକ ବ୍ୟକ୍ତିଙ୍କ ନମାଜ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଭକ୍ତ ଏହା ମନ୍ଦିର ପବିତ୍ରତାର ପ୍ରଶ୍ନ  ବୋଲି କହି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭିଡିଓରେ ଜନୈକ ବ୍ୟକ୍ତିଙ୍କୁ ତିରୁମାଲା କଲ୍ୟାଣ ମଣ୍ଡପ ନିକଟରେ ହଜରତ ଟୋପି ପିନ୍ଧି ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ବେଶ୍ ଆରାମରେ ନମାଜ ପଢୁଥିବାର ଦେଖାଯାଉଛି। ଏଣୁ ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଜନୈକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୁସଲମାନ ବ୍ୟକ୍ତି ଜଣକ ବେଧଡକରେ ୧୦ ମିନିଟ୍ ପର୍ଯ୍ୟନ୍ତ ନମାଜ କରୁଥିଲା ଓ ସମସ୍ତେ ଦେଖୁଥିଲେ। ଏଥି ପ୍ରତି ସେଠାରେ ଉପସ୍ଥିତ ଲୋକଙ୍କ ଆପତ୍ତି ଥିଲା ହେଲେ କେହି ବିରୋଧ କରିନଥିଲେ। ଭାଇରାଲ ଭିଡିଓ ବ୍ୟତୀତ ସିସିଟିଭି ଫୁଟେଜରେ ବ୍ୟକ୍ତିଙ୍କୁ ସ୍ପଷ୍ଟ ଚିହ୍ନି ହେଉଛି। ସେ ଯେଉଁ କାରରେ ଆସିଥିଲା ତାକୁ ମଧ୍ୟ ଟ୍ରାକ୍ କରାଯାଇଛି। ଘଟଣାକୁ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। 

ଏ ନେଇ ଟିଟିଡି ଯାଞ୍ଚ ଆରମ୍ଭ କରିଥିବା ବେଳେ ପ୍ରଶାସନ ଏହି ଘଟଣା ମନ୍ଦିରର ନିୟମ ଓ ଆଚାର ସଂହିତାର ଉଲ୍ଲଂଘନ ବୋଲି କହିଛି। ଏଣୁ ଭକ୍ତଙ୍କ ଭାବନାକୁ ସମ୍ମାନ କରି ଉଚିତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି। ସେହିପରି ମନ୍ଦିର ପରିସରରେ ଯେପରି ଏପରି ଘଟଣା ଦ୍ୱିତୀୟବାର ନ ହୁଏ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ମଧ୍ୟ କୁହାଯାଇଛି।   ନିକଟରେ ପହଲଗାମରେ ହୋଇଥିବା ଆତଙ୍କୀ ଗୁଳିକାଣ୍ଡ ଘଟଣା ଲୋକଙ୍କ ମନରୁ ପାସୋର ଯାଇନି। ଏଥିରେ ତିରୁପତି ଭଳି ଧାର୍ମିକ ସ୍ଥଳରେ ଏପରି ଗତିବିଦ୍ଧି ଜନଭାବନାକୁ ଆହତ କରିଛି। ଶ୍ରଦ୍ଧାଳୁ ଏହାକୁ ଧାର୍ମିକ ଉସକାଇବାର ଘଟଣା ବୋଲି କହିଛନ୍ତି। ଏଣୁ ମନ୍ଦିର ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଛି। 

ତେବେ ଟିଟିଡି ଅନୁସାରେ ବ୍ୟକ୍ତି ଜଣକ ଗାଡିରେ ତିରୁମାଲାକୁ ତାମିଲନାଡୁରୁ ହିନ୍ଦୁ ତୀର୍ଥ ଯାତ୍ରୀ ନେଇ ଆସିଥିଲା। ଏଣୁ ସେ ଜଣେ ବାହନ ଚାଳକ ବୋଲି ଅନୁମାନ କରାଯାଉଛି। ତେବେ ତିରୁପତି ଏସପି ହର୍ଷବର୍ଦ୍ଧନ ରାଜୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଓ ତିରୁପତି ତିରୁମାଲା ପରିସରରେ ନମାଜ ପଢିଥିବା ବ୍ୟକ୍ତିକୁ ସିସିଟିଭି ଫୁଟେଜ ଓ କାର ରେଜିଷ୍ଟ୍ରେସନ ନମ୍ବରରୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।  ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଅଧିକାରୀକ ଭାବେ କୌଣସି ଅଭିଯୋଗ ହୋଇନଥିବା ବେଳେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ କି ପରିଚୟ ପ୍ରକାଶିତ କରାଯାଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.