ଯୋଗୀ ରାଜରେ କରୋନା ଯୋଦ୍ଧା ଉପରେ ଆକ୍ରମଣ ପଡିବ ମହଙ୍ଗା, ଭୋଗିବାକୁ ପଡିବ ୭ ବର୍ଷ ଜେଲ୍ ଓ ଦେବାକୁ ପଡିବ ୫ ଲକ୍ଷ ଜୋରିମାନା
6/05/2020 at 6:17 PM

ଲକ୍ଷ୍ନୌ ୦୬।୦୫: କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ବଡ ଘୋଷଣା କରିଛନ୍ତି। ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଉତ୍ତର ପ୍ରଦେଶ ଲୋକ ସ୍ଵାସ୍ଥ୍ୟ ଓ ମହାମାରୀ ରୋଗ ନିୟନ୍ତ୍ରଣ ଅଧ୍ୟାଦେଶ ୨୦୨୦କୁ ମଞ୍ଜୁରୀ ଦେଇଛି। ଏହି ନୂତନ ଆଇନ ଆଧାରରେ ଚିକିତ୍ସକ, ସ୍ଵାସ୍ଥ୍ୟକର୍ମୀ, ପୋଲିସ କର୍ମୀ ଓ ସଫେଇକର୍ମୀଙ୍କ ସହିତ ପ୍ରଶାସନ ପକ୍ଷରୁ ନିୟୋଜିତ କୌଣସି ବି କରୋନା ଯୋଦ୍ଧାଙ୍କ ସହ ଅଭଦ୍ରତା କିମ୍ବା ଆକ୍ରମଣ ହେଲେ ଆକ୍ରମଣକାରୀଙ୍କୁ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ସଜାର ପ୍ରାବଧାନ କରାଯାଇଛି। ଏହା ସହିତ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ହୋଇପାରେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଡିଓ କନଫରେନ୍ସି ଜରିଆରେ କ୍ୟାବିନେଟ୍ ବୈଠକ କରିଛନ୍ତି। ବୈଠକରେ ଉତ୍ତର ପ୍ରଦେଶ ଲୋକ୍ ସ୍ଵାସ୍ଥ୍ୟ ଏବଂ ମହାମାରୀ ରୋଗ ନିୟନ୍ତ୍ରଣ ଅଧ୍ୟାଦେଶ, ୨୦୨୦ ଉପରେ ମୋହର ମରାଯାଇଛି। ନୂତନ ଆଇନରେ ଚିକିତ୍ସକ ପାରାମେଡିକାଲ ଷ୍ଟାଫ, ପୋଲିସକର୍ମୀ, ସଫେଇ କର୍ମୀ ଓ ସରକାରଙ୍କ ଦ୍ଵାରା ନିୟୋଜିତ ଯେ କୌଣସି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ହେଲେ ଆକ୍ରମଣକାରୀଙ୍କୁ ଦଣ୍ଡ ସ୍ଵରୂପ ସାତ ବର୍ଷ ଜେଲ୍ ଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଏହା ସହିତ ରାଜ୍ୟ ଓ ଜିଲ୍ଲାସ୍ତରରେ ମହାମାରୀ ନିୟନ୍ତ୍ରଣ ପ୍ରାଧିକରଣ ଗଠନ କରିବାକୁ ନିର୍ଣ୍ଣୟ ନିଆଯାଇଛି। ରାଜ୍ୟ ସ୍ତରରେ ମୁଖ୍ୟ ସଚିବ ଓ ଜିଲ୍ଲାରେ ଜିଲ୍ଲାପାଳ ପ୍ରାଧିକରଣର ସଭାପତି ହେବେ।
ଚିକିତ୍ସକ, ସଫେଇକର୍ମୀ, ପୋଲିସ କର୍ମୀ ଏବଂ କୌଣସି ବି କରୋନା ଯୋଦ୍ଧାଙ୍କ ଉପରେ ଥୁକିଲେ ଓ ଆଇସୋଲେସନ ନିୟମ ଭାଙ୍ଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ଏହି ଆଇନ ଅନୁଯାୟୀ କରୋନା ଯୋଦ୍ଧାଙ୍କ ବିରୁଦ୍ଧରେ ଲୋକଙ୍କୁ ଉସୁକାଇବା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହାରି ଆଧାରରେ ଦୁଇ ବର୍ଷରୁ ପାଞ୍ଚ ବର୍ଷ ଜେଲ୍ ଦଣ୍ଡ ଓ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ।
କରୋନା ମହାମାରୀର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଵାରେଣ୍ଟାଇନ୍ର ଉଲ୍ଲଂଘନ କଲେ ବର୍ଷେରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ସଜା ଓ ଜୋରିମାନା ଭାବେ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ହସ୍ପିଟାଲରୁ ଫେରାର ମାରିଲେ ଏକ ବର୍ଷରୁ ତିନି ବର୍ଷ ଏବଂ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ।