ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନୀଙ୍କ ପ୍ରଦର୍ଶନ; ଅଘଟଣ ପୂର୍ବରୁ ସମ୍ଭାଳିନେଲା ଆମେରିକା ସିକ୍ରେଟ୍ ସର୍ଭିସ୍

Published By : Prameya-News7 Bureau | March 26, 2023 IST

ଓ୍ବାଶିଂଟନ: ଆମେରିକାରେ ଥିବା ଭାରତୀୟ ଦୂତାବାସ ସାମ୍ନାରେ ପୁଣି ଖଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ କରିଛନ୍ତି  । ଏହା ସହିତ ହିଂସାକାଣ୍ଡ ଭିଆଇବାକୁ ଚେଷ୍ଟା କରିଛନ୍ତି । ଭାରତୀୟ ରାଜଦୂତଙ୍କୁ ଧମକାଇଛନ୍ତି ଖଲିସ୍ତାନୀ ସମର୍ଥକ । ପ୍ରଦର୍ଶନକାରୀମାନେ ନ୍ୟୁଜ୍ ଏଜେନ୍ସି ପିଟିଆଇ କର୍ମକର୍ତ୍ତାଙ୍କୁ ମଧ୍ୟ ହମଲା କରିଛନ୍ତି ।  

ଶନିବାର ଓ୍ବାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ସାମ୍ନାରେ କିଛି ଖଲିସ୍ତାନୀ ଉଗ୍ରବାଦୀ ଏକତ୍ରିକ ହୋଇ ନାରାବାଜି କରିଛନ୍ତି । ଆମେରିକାରେ ଅବସ୍ଥିତ ରାଜଦୂତ ତରଣଜିତ୍ ସିଂ ସନ୍ଧୁଙ୍କୁ ବିରୋଧ କରି ତାଙ୍କୁ ଅପଶବ୍ଦ କହିବା ସହିତ ସାମୂହିକ ଭାବେ ମାରିବାକୁ ଧମକ ଦେଇଥିଲେ । କିଛି ଉଗ୍ରବାଦୀ ଦୂତାବାସରେ ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି । ଆମେରିକାର ସିକ୍ରେଟ୍ ସର୍ଭିସ୍ ଏବଂ ସ୍ଥାନୀୟ ପୋଲିସ ଅତିରିକ୍ତ ପୋଲିସ ବାହିନୀକୁ ନିୟୋଜିତ କରି ପ୍ରଦର୍ଶନକୁ ନିୟନ୍ତ୍ରଣ କରିଛି ।

ଖଲିସ୍ତାନୀ ଉଗ୍ରବାଦୀମାନେ ନ୍ୟୁଜ୍ ଏଜେନ୍ସି ପିଟିଆଇ ପତ୍ରକାର ଲଲିତ୍ ଝାଙ୍କୁ ହମଲା କରିଥିବା ଅଭିଯୋଗ ହୋଇଛି । ଭାରତ ପକ୍ଷରୁ ଏଭଳି ଘଟଣାକୁ କଡ଼ା ନିନ୍ଦା କରାଯାଇଛି । ଉଗ୍ରବାଦୀଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଲଲିତ୍ ଝା ଖବର ସଂଗ୍ରହ କରୁଥିବା ସମୟରେ ଉଗ୍ରବାଦୀମାନେ ତାଙ୍କୁ ଟାର୍ଗେଟ୍ କରିଥିଲେ । ପିଟିଆଇ ପତ୍ରକାରଙ୍କୁ ଧମକାଇଥିଲେ । ସଠିକ୍ ସମୟରେ ଆମେରିକା ପୋଲିସ ହସ୍ତକ୍ଷେପ କରି ଅପ୍ରିତିକର ଘଟଣା ଘଟିବା ପୂର୍ବରୁ ନିୟନ୍ତ୍ରଣ କରିଥିଲା । ସେପଟେ ଏହି ଘଟଣା ପରେ ଲଲିତ ଆମେରିକା ସିକ୍ରେଟ୍ ସର୍ଭିସକୁ ଟ୍ବିଟ୍ କରି ଧନ୍ୟବାଦ ଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.