ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପାଇଁ ଅଗଷ୍ଟ ୨୫ରେ ଭାରତ ଆସିବେ ଆମେରିକା ପ୍ରତିନିଧି ଦଳ: ପହିଲାରୁ ଶୁଳ୍କ ଲାଗୁ

Published By : Prameya-News7 Bureau | July 29, 2025 IST

indiatoday

ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖ ଠାରୁ ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲାଗୁ କରିଥିବା ଜବାବୀ ଶୁଳ୍କ କାର୍ଯ୍ୟକାରୀ ହେବାକୁ ଯାଉଛି। ଡେଟ୍‌ ଲାଇନ୍ ଆଉ ଘୁଞ୍ଚିବ ନାହିଁ ବୋଲି ଆମେରିକା ସିଧା ସିଧା ଶୁଣାଇ ଦେଇଛି। ଏପଟେ ପଞ୍ଚମ ରାଉଣ୍ଡ ବୈଠକ ସତ୍ତ୍ୱେ ବି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଡିଲ୍ ହୋଇପାରିଲା ନାହିଁ। ଡେଟଲାଇନ୍ ସୁଦ୍ଧା ଯଦି କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ ତେବେ ଭାରତ ବିରୁଦ୍ଧରେ ବି ଆମେରିକା ଲଗାଇଥିବା ୨୬ ପ୍ରତିଶତ ଶୁଳ୍କ ଲାଗୁ ହୋଇଯିବ।

ତେଣୁ ଷଷ୍ଠ ରାଉଣ୍ଡ ବୈଠକ ପାଇଁ ଆମେରିକାର ଏକ ପ୍ରତିନିଧି ଦଳ ଅଗଷ୍ଟ ୨୫ ତାରିଖରେ ଭାରତ ଆସୁଛନ୍ତି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ବୈଠକରେ ପୁଣିଥରେ ଡିଲ୍ ଫାଇନାଲ୍ ପାଇଁ ଆଲୋଚନା ହେବ। 

ଗତ ସପ୍ତାହରେ ଆମେରିକାର ୱାଶିଂଟନରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିଲା। ଏଥିରେ ଉଭୟ ଦେଶର ଅଧିକାରୀମାନେ ଏକ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡିଲ୍ ନେଇ ଅଗ୍ରଗତି ଆଶାଠାରୁ ମନ୍ଥର ହୋଇଛି।

ତେବେ ଏହି ଆଲୋଚନା ଜାରି ରଖିବା ପାଇଁ ଆମେରିକାର ଏକ ଦଳ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ବୋଲି ସୋମବାର ଜଣେ ସରକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି। 

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ନେଇ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର ସିଏନ୍‌ବିସିକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହ ଆହୁରି ଅଧିକ ଆଲୋଚନାର ଆବଶ୍ୟକତା ରହିଛି। ବ୍ୟବସାୟ ପାଇଁ ଭାରତ ନିଜ ବଜାରର କିଛି ଅଂଶ ଖୋଲିବାକୁ ଇଚ୍ଛା ପ୍ରକାଶ କରିବା ନିହାତୀ ପ୍ରଶଂସନୀୟ, କିନ୍ତୁ ତଥାପି ଦେଶର ବାଣିଜ୍ୟ ନୀତି ସର୍ବଦା ସ୍ଥାନୀୟ ବ୍ୟବସାୟକୁ ସୁରକ୍ଷା ଦେବା ଉପରେ ଧ୍ୟାନ ଦେଇଆସିଛି ବୋଲି ଗ୍ରୀୟର ସିଏନ୍‌ବିସିକୁ କହିଛନ୍ତି।

ଭାରତ କଣ ଚାହୁଁଛି ?

ଭାରତ ଆମେରିକାର ପ୍ରସ୍ତାବିତ ୨୬% ଅତିରିକ୍ତ ଶୁଳ୍କ ହଟାଇବାକୁ ଦାବି କରୁଛି। ତତ୍‌ ସହିତ ଭାରତୀୟ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦଗୁଡ଼ିକ ଉପରେ ବର୍ତ୍ତମାନ ଲଗାଯାଇଥିବା ୫୦% ଶୁଳ୍କକୁ ହ୍ରାସ କରିବା ଉପରେ ଜୋର୍ ଦେଉଛି।  ଏଥିସହିତ ଭାରତ ଅଟୋ ପାର୍ଟସ ଉପରେ ଟିକସ କମାଇବା ଓ ଆମେରିକା ବଜାରକୁ ଭାରତର କପଡ଼ା, ଚମଡା, ରତ୍ନ ଏବଂ ଅଳଙ୍କାର, ପୋଷାକ, ଅଙ୍ଗୁର ଓ କଦଳୀ ଭଳି କୃଷି ଉତ୍ପାଦ ଓ ଶ୍ରମ-ଚାଳିତ ଶିଳ୍ପ ପାଇଁ ସହଜ ପ୍ରବେଶ ଚାହୁଁଛି।

ଆମେରିକା କଣ ଚାହୁଁଛି?

ଅନ୍ୟପକ୍ଷରେ, ଆମେରିକା ଏହାର ଶିଳ୍ପ ସାମଗ୍ରୀ, ବୈଦ୍ୟୁତିକ ଯାନବାହନ, ଦୁଗ୍ଧଜାତ ଦ୍ରବ୍ୟ, ମଦ, ସେଓ, ବିଭିନ୍ନ ପ୍ରକାର ବାଦାମ(ଟ୍ରି ନଟ୍ସ) ଏବଂ ଜେନେଟିକାଲି ପରିବର୍ତ୍ତିତ ଫସଲ ଉପରେ ଶୁଳ୍କ ହ୍ରାସ କରିବାକୁ ଭାରତ ଉପରେ ଚାପ ପକାଉଛି। ତଥାପି, ଭାରତ କୃଷି ଏବଂ ଦୁଗ୍ଧ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ ନକରିବା ପାଇଁ ଦୃଢ଼ ରହିଛି, କିଛି କୃଷକ ଗୋଷ୍ଠୀ ସରକାରଙ୍କୁ କୃଷିକୁ ସମ୍ପୂର୍ଣ୍ଣ ଭାବରେ ଚୁକ୍ତିରୁ ବାହାରେ ରଖିବାକୁ ଅନୁରୋଧ କରିଛନ୍ତି।

ସେପଟେ ଶୁଳ୍କ ଲାଗୁ କରିବାର ସମୟ ପାଖେଇ ଆସୁଥିବାରୁ ଉଭୟ ଦେଶ ପ୍ରଥମେ ଏକ ଛୋଟ ଓ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ଉପରେ ସହମତ ହୋଇପାରନ୍ତି। ପରେ ଏହା ହିଁ ଏକ ବୃହତ ବାଣିଜ୍ୟ ଚୁକ୍ତି ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରେ। ଯାହା ପରେ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ଚୂଡ଼ାନ୍ତ ହୋଇପାରେ ବୋଲି ଆଶା କରୁଛନ୍ତି।

ଡିଲ୍ ଫାଇନାଲ ହେବାର ସତ୍ତ୍ୱେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସୁଦୃଢ଼ ରହିଛି। ଏପ୍ରିଲ-ଜୁନ୍ ତ୍ରୈମାସିକରେ ଆମେରିକାକୁ ଭାରତର ରପ୍ତାନି ପ୍ରାୟ ୨୩% ବୃଦ୍ଧି ପାଇ ୨୫.୫୧ ବିଲିୟନ ଡଲାରରେ ପହଞ୍ଚିଛି, ଅନ୍ୟପଟେ ଆମେରିକାରୁ ଆମଦାନି ମଧ୍ୟ ୧୧% ରୁ ଅଧିକ ବୃଦ୍ଧି ପାଇ ୧୨.୮୬ ବିଲିୟନ ଡଲାରରେ ପହଞ୍ଚିଛି। ତେବେ ଆସନ୍ତା ବୈଠକରେ ଦୁଇ ଦେଶ ମଧ୍ୟରେ କଣ ଫାଇନାଲ୍ ହେବା ତା ଉପରେ ସମସ୍ତଙ୍କ ନଜର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.