ଅରୁଣାଚଳ ପ୍ରଦେଶର ୧୧ ସ୍ଥାନକୁ ଚୀନ ନିଜର ବୋଲି ଦାବି କରିବା ଘଟଣାକୁ ଦୃଢ଼ ବିରୋଧ କଲା ଆମେରିକା, କହିଲା- ଏହା ଭାରତର

Published By : Prameya-News7 Bureau | April 05, 2023 IST

ବେଜିଂ: ଅରୁଣାଚଳ ପ୍ରଦେଶର ୧୧ ସ୍ଥାନକୁ ତିବ୍ବତର ଦକ୍ଷିଣାଞ୍ଚଳ ବୋଲି ଦାବି କରି ଏଗୁଡ଼ିକର ପୁନଃନାମକରଣ କରିଛି ଚୀନ। ଏହି ଘଟଣାରେ ପ୍ରତିକ୍ରିୟା ଦେଇଛି ଆମେରିକା। ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିପ୍ପଣୀ ଜାରି କରି କୁହାଯାଇଛି ଯେ ଆମେରିକା ତେଣୁ ଅରୁଣାଚଳ ପ୍ରଦେଶକୁ ଭାରତର ଅବିଚ୍ଛେଦିଅ ଅଙ୍ଗର ମାନ୍ୟତା ଦେଇଛି। ଅଞ୍ଚଳଗୁଡିକର ନାଁ ପରିବର୍ତ୍ତନ କରି ନିଜର ବୋଲି ଦାବି କରିବାର ଏକତରଫା ପ୍ରୟାଶକୁ ଦୃଢ଼ ବିରୋଧ କରୁଛୁ।   

ସୂଚନା ଥାଉକି ଚୀନ ଗତ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ୧୧ ଟି ସ୍ଥାନକୁ ଦକ୍ଷିଣ ତିବ୍ବତ ଅଞ୍ଚଳ ଦର୍ଶାଇ ଏହାର ନାମକରଣ କରିଥିଲା। ଏହିସବୁ ସ୍ଥାନରେ ଭାରତ କବ୍ଜା କରିଛି ବୋଲି କହିଥିଲା ଚୀନ। ତୃତୀୟ ଥର ପାଇଁ ଏପରି କରିଛି ଚାଇନା। ଏପ୍ରିଲ ୨୦୧୭ ଏବଂ ୨୦୨୧ ଡିସେମ୍ବରରେ ମଧ୍ୟ ଚୀନ ଏପରି ନାମକରଣ କାର୍ଯ୍ୟ କରିସାରିଛି।

ହ୍ୱାଇଟ୍‌ ହାଉସ୍ ମିଡିଆ ସଚିବ କାରାଇନ ଜିନ ପିୟେରେ କହିଛନ୍ତି “ ବହୁ ବର୍ଷ ହେବ ଆମେରିକା ସେହି(ଅରୁଣାଚଳ ପ୍ରଦେଶ) ଅଞ୍ଚଳକୁ ଭାରତର ଅବିଚ୍ଛେଦିଅ ଅଙ୍ଗ ବୋଲି ମାନ୍ୟତା ଦେଇଛି। ତେଣୁ ସ୍ଥାନୀୟ ଅଞ୍ଚଳଗୁଡ଼ିକର ନାଁ ପରିବର୍ତ୍ତନ କରି ନିଜର ବୋଲି ଦାବି କରିବାକୁ ଆମେ ଦୃଢ଼ ବିରୋଧ କରୁଛି। ପୁଣିଥରେ ଆମେ ଆମ ଆଭିମୁଖ୍ୟରେ କାଏମ ଅଛୁ।”

ଅନ୍ୟପଟେ ଚୀନର ଏଭଳି ନାମକରଣକୁ ନେଇ ପ୍ରତିକ୍ରିୟା ଦେଇଛି ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଯେ ଏପରି ନାଁ ପରିବର୍ତ୍ତନ କରିଦେଲା ସତ ବଦଳିଯିବା ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦିଅ ଅଙ୍ଗ ସବୁବେଳେ ରହିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଏହିପରି ରିପୋର୍ଟ ଆମ ନଜରକୁ ଆସିଛି । ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏପରି ଅପପ୍ରୟାସ କରିଛି । ଆମେ ଏହାକୁ ମୂଳକୁ ଖଣ୍ଡନ କରୁଛୁ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.