ଲକଡାଉନ୍ ଘୋଷଣା କରିପାରିବେନି ରାଜ୍ୟ ସରକାର, କଣ୍ଟେନମେଣ୍ଟ୍ ଜୋନ୍ ଯାଏଁ ରହିଛି କ୍ଷମତା

Published By : Prameya-News7 Bureau | August 30, 2020 IST

ଭୁବନେଶ୍ୱର,୩୦|୦୮: ରାଜ୍ୟ ସରକାରମାନେ କୌଣସି ପରସ୍ଥିତିରେ ମନଇଛା ଲକଡାଉନ୍‌ ନିର୍ଦ୍ଦେଶ ଜାରି କରିପାରିବେନି। ଲକଡାଉନ୍‌ କଟକଣା ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହ ଯୋଗାଯୋଗ କରି ଅନୁମତି ନେବାକୁ ହେବ। କେବଳ କଣ୍ଟେନମେଣ୍ଟ ଜୋନରେ ପ୍ରଶାସନ ଲକଡାଉନ୍‌ ଜାରି କରିପାରିବେ। ଏପରିକି କେନ୍ଦ୍ରର ଅନଲକ୍‌ ୪ର ମାର୍ଗଦର୍ଶିକାକୁ ମଧ୍ୟ ରାଜ୍ୟ ସରକାର କଡ଼ାକଡ଼ି ପାଳନ କରିବେ। ଏହାକୁ ଏଡ଼ାଇ କେନ୍ଦ୍ରର ଅଗୋଚରରେ କୌଣସି କଟକଣା ଜାରି କରିବା କିମ୍ବା ନିଷ୍ପତ୍ତି ନନେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବାରଣ କରିଛି । ଆସନ୍ତା ପହିଲାରୁ ଦେଶରେ ଅନଲକ୍‌ -୪ କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ନୂଆ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର।

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରାଳୟ ଦର୍ଶାଇଛି ଯେ ରାଜ୍ୟ ସରକାରମାନେ ଏଣିକି କେନ୍ଦ୍ରର ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନେବେ। ଏଣିକି ରାଜ୍ୟ ଭିତରେ ହେଉ କିମ୍ବା ଅନ୍ୟ ରାଜ୍ୟକୁ ଯାତାୟତରେ କୌଣସି କଟକଣା ରହିବନି। ଏଥିପାଇଁ ସ୍ୱତନ୍ତ୍ର ଅନୁମତିପତ୍ର ମଧ୍ୟ ଆବଶ୍ୟକ ନାହିଁ। ଦେଶ ଭିତରେ ଯେକୌଣସି ସ୍ଥାନକୁ ଯିବାକୁ ଜଣେ ବ୍ୟକ୍ତିଙ୍କୁ କାହା ଠାରୁ ଆଉ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ। ଅନ୍‌ଲକ ୪ ରେ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ କଟକଣାକୁ ଅଧିକ କୋହଳ କରିଛି ।

ଅନ୍‌ଲକ-୪ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ସହ ବ୍ୟାପକ ବିଚାରବିମର୍ଶ ପରେ ଏହି ମାର୍ଗଦର୍ଶିକା ଜାରି ହୋଇଛି। ସେପ୍ଟେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ। ନୂଆ ମାର୍ଗଦର୍ଶିକା ଅନୁସାରେ ସେପ୍ଟେମ୍ବର ୭ରୁ ଦେଶରେ ପର୍ଯ୍ୟାୟକ୍ରମେ ମେଟ୍ରୋ ସେବା ଆରମ୍ଭ ହେବ। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରଣାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ଏସ୍‌ଓପି ଜାରି କରାଯିବ।

ସେପଟେମ୍ବର ୩୦ ଯାଏ ସ୍କୁଲ, କଲେଜ ବନ୍ଦ ରଖିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ତେବେ ବଡ଼କଥା ହେଲା କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିଛି। ମାତ୍ର ସର୍ତ୍ତ ରହିଛି ଏଗୁଡ଼ିକରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ। ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ସେଠାରେ ଥର୍ମାଲ ସ୍କାନିଂ କରାଯିବା ସହିତ ହାତ ଧୋଇବାକୁ ପଡ଼ିବ ନଚେତ ସାନିଟାଇଜର ବ୍ୟବହାର କରିବାକୁ ହେବ। ସେପଟେମ୍ବର ୨୧ରୁ ଏହା କିନ୍ତୁ ଲାଗୁ ହେବ। କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଏଥିପାଇଁ କେବଳ ଅନୁମତି ମିଳିବ।

ତେବେ ଦେଶରେ ଅନଲାଇନ ଶିକ୍ଷାଦାନ ଜାରି ରହିବ। ଏଥିପାଇଁ ୫୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବେ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ପାଠ ବୁଝିବାକୁ ସ୍କୁଲ ଯାଇପାରିବେ । ଏଥିପାଇଁ ଅଭିଭାବକଙ୍କ ଅନୁମତି ସାଙ୍ଗରେ ନେବାକୁ ହେବ । ଦକ୍ଷତା ତାଲିମ କେନ୍ଦ୍ର ଓ ଆଇଟିଆଇ ଖୋଲିପାରିବ। ପିଏଚ୍‌ଡି କରୁଥିବା ଏବଂ ବୈଷୟିକ ଛାତ୍ରଛାତ୍ରୀମାନେ ପରୀକ୍ଷାଗାରକୁ ଆସି କାମ କରିପାରିବେ। ଏସବୁ ଆସନ୍ତା ୨୧ରୁ ଲାଗୁ ହେବ ।

ସେହିଭଳି ଅନ୍ତରାଷ୍ଟ୍ରୀୟ ଉଡାଣ, ସିନେମା ହଲ୍‌, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଓ ଥିଏଟର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ସ୍ତରରେ ଦିଆଯାଇଥିବା ନିର୍ଦ୍ଦେଶ ସମସ୍ତଙ୍କୁ ମାନିବାକୁ ପଡ଼ିବ। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। ଦୋକାନରେ ମଧ୍ୟ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିବାକୁ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ନଜର ରଖିବ। ୬୫ ବର୍ଷରୁ ଊଦ୍ଧ୍ୱର୍ ଓ ୧୦ ବର୍ଷରୁ କମ୍‌ ବୟସର ପିଲା, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅତି ଜରୁରୀ ନଥିଲେ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

କରୋନା ମହାମାରୀ ସହ ସତର୍କ ଓ ସାବଧାନର ସହ ବଞ୍ଚିବାକୁ ହେବ। ଏଥିପାଇଁ ଜୀବିକା ସହ ଅର୍ଥନୀତିକୁ ଆଗକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସେପଟେମ୍ବର ପହିଲାରୁ ଅନଲକ୍‌ ୪ ଲାଗୁ ହେବାକୁ ଯାଉଥିଲା ବେଳେ କେନ୍ଦ୍ର କଟକଣାରେ ବହୁ କୋହଳ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.