ଦିନ ସାଢେ ୧୧ ସୁଦ୍ଧା ଅସହ୍ୟ ତାତି, ସମ୍ୱଲପୁରର ପାରଦ ଟପିଲା ୪୦
24/05/2023 at 2:20 PM

ଭୁବନେଶ୍ୱର ୨୪/୦୫: ସାରା ରାଜ୍ୟରେ ଅସହ୍ୟ ତାତି । ଖରା ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ଖରାବେଳ ତ ଦୂରର କଥା ସକାଳୁ ସକାଳୁ ମାଡି ଆସୁଛି ଖରା । ସତେ ଯେମିତି ଆକାଶରୁ ଖସୁଛି ନିଆଁ ଝୁଲ୍ ।
ଏପରି ସ୍ଥିତିରେ ଆହୁରି ତିନି ଦିନ ତାତିର ପ୍ରକୋପ ରହିବା ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଦିନ ୧୧ ଟା ୩୦ ସୁଦ୍ଧା ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି । ଖାସ୍ କରି ଜଳୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରର ତାପମାତ୍ରା ୪୧ ଡ଼ିଗ୍ରୀ ଥିବାବେଳେ ଝାରସୁଗୁଡାର ତାପମାତ୍ରା ୩୯.୬ ଡ଼ିଗ୍ରୀ, ହୀରାକୁଦର ପାରଦ ୩୯.୬ ଡ଼ିଗ୍ରୀ, ଚାନ୍ଦବାଲିର ପାରା ୩୯ ଡ଼ିଗ୍ରୀ ରହିଛି ।
ସେହିଭଳି ଭୁବନେଶ୍ୱରର ତାପମାତ୍ରା ୩୮.୨ ଡ଼ିଗ୍ରୀ ଥିବାବେଳେ କେନ୍ଦୁଝରର ତାପମାତ୍ରା ୩୮.୨ ଡ଼ିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୫.୪ ଡ଼ିଗ୍ରୀ ପୁରୀର ତାପମାତ୍ରା ୩୩.୬ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୩ ଡ଼ିଗ୍ରୀ ଥିବାବେଳେ ପାରାଦୀପର ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ ହୋଇଛି ।