କଟପ୍ପାକୁ ଜନତା କ୍ଷମା କରିବେ ନାହିଁ, ଦଶହରା ରାଲିରେ ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ

Published By : Prameya-News7 Bureau | October 05, 2022 IST

ମୁମ୍ବାଇ: ବିଜୟାଦଶମୀ ଅର୍ଥାତ ଦଶହରାରେ ଏକନାଥ ସିନ୍ଦେଙ୍କ ଉପରେ ଉଦ୍ଧବ ଠାକରେଙ୍କ  ଜୋରଦାର ହମଲା।ସିନ୍ଦେ ହେଉଛନ୍ତି ଦେଶଦ୍ରୋହୀ। ସେ ଶିବସେନାକୁ ଧକ୍କା ଦେଇଛନ୍ତି। ତାଙ୍କୁ ମିଳିଥିବା ଗାଦି ଶିବସୈନିକଙ୍କ ବୋଲି ଉଦ୍ଧବ ଠାକରେ କହିଛନ୍ତି। ସେ କହିଛନ୍ତି ବିଜେପି ମୋ ପିଠିରେ ଛୁରା ଭୁସିଛି ଏବଂ ଏହାର ଉପଯୁକ୍ତ ଶିକ୍ଷା ଦେବାକୁ ମୁଁ କଂଗ୍ରେସ ଏବଂ ଏନସିପି ସହ ମିଶି ମେଣ୍ଟ କରିଛି। ଏବେ ଶିବ ସୈନିକଙ୍କୁ ଧମକ ଦିଆଯିବା ଆରମ୍ଭ ହୋଇଗଲାଣି। ମାତ୍ର ଆପଣ ଯଦି ଶିବସୈନିକଙ୍କ ସହିତ ଅନ୍ୟାୟ କରିବେ ତେବେ ଏହାକୁ ବରଦାସ୍ତ କରାଯିବନି। ଏଥରର ରାବଣ ଅଲଗା ବୋଲି ସେ କହିଛନ୍ତି।

ଠାକରେ କହିଛନ୍ତି, ଏଥରର ରାବଣ ଅଲଗା। ରାବଣର ୧୦ଟି ମୁଣ୍ଡ ଥାଏ। ମାତ୍ର ଏଥର ରାବଣ ପାଖରେ ୫୦ ମୁଣ୍ଡ ରହିଛି। ସେ ସମର୍ଥକଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଶିବସେନାର କଣ ହେବ ? ଏଠାକାର ଭିଡ ଦେଖିଲେ ମନରେ ପ୍ରଶ୍ନ ଉଠୁଛି, ଏବେ ଦେଶଦ୍ରୋହୀଙ୍କ କଣ ହେବ ? ପ୍ରତି ଥର ପରି ଏଥର ବି ରାବଣ ଜଳିବ। ଠାକରେ କହିଛନ୍ତି, ଏଠାକୁ ଲୋକେ ଟଙ୍କା ନେଇ ଆସି ନାହାନ୍ତି। ଏମାନେ ସମସ୍ତେ ବିଶ୍ଵସ୍ତ ସୈନିକ।

ଦଶହରା ଉପଲକ୍ଷେ ଐତିହାସିକ ଶିବାଜୀ ପାର୍କରେ ଆୟୋଜିତ ମେଗା ରାଲିରେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରି କହିଛନ୍ତି, କଟପ୍ପାଙ୍କୁ ଜନତା କ୍ଷମା କରିବେ ନାହିଁ। ଶିବସୈନିକ ଗାଦିରେ କେବଳ ଜଣେ ଶିବସୈନିକଙ୍କ ଅଧିକାର ରହିଛି। ଗଦ୍ଦାରକୁ ଗଦ୍ଦାର ହିଁ କୁହାଯିବ। ସମସ୍ତଙ୍କୁ ଜଣାଯିବା ଉଚିତ୍ ଯେ, ଶିବସେନାଙ୍କ ଗାଦି ଶିବସୈନିକଙ୍କର ହିଁ। ସିନ୍ଦେ ଗୋଷ୍ଠୀ ଶିବସେନାର ନାମ ଚୋରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଲୋକେ ମାତ୍ର ଅଳ୍ପ ସମୟ ପାଇଁ ଗାଦିରେ ରହିବେ। ଏମାନଙ୍କର କୌଣସି ଭବିଷ୍ୟତ ନାହିଁ। ମୁଁ ଜଣେ ହିନ୍ଦୁ, କାହାରିକୁ ଡରିବାର ଆବଶ୍ୟକତା ନାହିଁ, ମୁଣ୍ଡ ନୁଆଁଇବାର ଆବଶ୍ୟକତା ନାହିଁ ବୋଲି ଠାକରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.