କମ୍ୱିଂ ଅପରେସନରେ ୨ ଦୁର୍ଦ୍ଦାନ୍ତ ମାଓ ନେତା ନିହତ

Published By : Prameya-News7 Bureau | October 31, 2022 IST

ମାଲକାନାଗିରି ୩୧/୧୦: ପୋଲିସ ଗୁଳିରେ ଟଳିଲେ ଦୁଇ ଦୁର୍ଦ୍ଦାନ୍ତ ମାଓ ନେତା। ପରେ ଘଟଣାସ୍ଥଳ ଯାଞ୍ଚ ବେଳେ ଦୁଇ ମାଓ ନେତାଙ୍କ ମୃତଦେହ ସହ ବନ୍ଧୁକ, ବିପୁଳ ପରିମାଣର ମାଓ ସାମଗ୍ରି ଜବତ ହୋଇଛି। ଏଭଳି ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଦେଖିବାକୁ ମିଳିଛି। ଖବର ଅନୁସାରେ, କାଙ୍କେର ଜିଲ୍ଲାର ସିକସଡ ଥାନା ଅନ୍ତର୍ଗତ କାଡମେ ଜଙ୍ଗଲରେ ମାଓବାଦିମାନେ କ୍ୟାମ୍ପ କରି ରହିଥିବା ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ପରେ ଡି.ଆର.ଜି ଓ ବି.ଏସ.ଏଫର ଯବାନମାନେ ମିଳିତ କମ୍ବିଂ ଅପରେସନ କରିଥିଲେ। ଯବାନ ଆସିବା ଦେଖି ମାଓବାଦି ପ୍ରଥମେ ଗୁଳି ଚାଳନା କରିବାରୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ।

ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ପରେ ମାଓବାଦିମାନେ ଘଞ୍ଚ ଜଙ୍ଗଲରେ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଥିଲେ। ଯବାନମାନେ ଘଟଣାସ୍ଥଳ ଯାଞ୍ଚ କରିବାରୁ ସେଠାରେ ୨ ମାଓ ନେତାଙ୍କ ମୃତ ଶରୀର ସହ ବିପୁଳ ପରିମାଣର ମାଓ ସାମଗ୍ରି ଠାବ କରିଛନ୍ତି। ମୃତ ମାଓବାଦୀମାନଙ୍କ ମଧ୍ୟରୁ ଜଣେ ଉତ୍ତର ବସ୍ତର ଡିଭିଜନ କୋମିଟି ତଥା ପ୍ରତାପପୁର ଏରିଆ କମିଟିର ସଚିବ ଦର୍ଶନ ପଦା ବୋଲି ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ଜଣେ ଉତ୍ତର ବସ୍ତର ଡିଭିଜନ କମିଟିର କମାଣ୍ଡର ଥିବା ଜଣାପଡିଛି। ପୂର୍ବରୁ ସରକାର ଏହି ଦୁଇ ମାଓ ନେତାଙ୍କୁ ଗିରଫ କରିବା ଲାଗି ତାଙ୍କ ମୁଣ୍ଡ ପାଇଁ ୮ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଘୋଷଣା କରିଥିଲେ। କ୍ରମାଗତ ମାଓ ଇଲାକାରେ କମ୍ୱିଙ୍ଗ ଅପରେସନ ଚାଲିଥିବା ନେଇ  ବସ୍ତର ଆଇଜି ସୁନ୍ଦର ରାଜ ପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.