ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ଫରିଦାବାଦରୁ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଝେଲମ ଏକ୍ସପ୍ରେସର ଟିଟିଇ, ଜଣେ ମହିଳାଙ୍କୁ ଟ୍ରେନରୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଘଟଣାରେ ମହିଳା ଗୁରୁତର ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ମହିଳାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମହିଳା ଜେନେରାଲ ଶ୍ରେଣୀର ଟିକେଟରେ ଝେଲମ ଏକ୍ସପ୍ରେସର ଏସି କୋଚରେ ଚଢ଼ିଥିଲେ।
ସୂଚନା ଅନୁଯାୟୀ, ଫେବ୍ରୁଆରୀ ୨୯ରେ ମହିଳା ଜଣକ ଫରିଦାବାଦରୁ ଝେଲମ ଏକ୍ସପ୍ରେସରେ ଚଢ଼ିଥିଲେ। ସେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ହେଲେ ଯେତେବେଳେ ସେ ଷ୍ଟେସନ ପହଞ୍ଚିଥିଲେ ସେତେବେଳେକୁ ଟ୍ରେନ ଛାଡ଼ିବା ଆରମ୍ଭ କରିଦେଇଥିଲା ଆଉ ଟ୍ରେନ୍ର ଜେନେରାଲ ବଗି ଆଗକୁ ଚାଲିଯାଇଥିଲା। ଏମିତିରେ ସେ କୌଣସିମତେ ଏସି ବଗିରେ ଚଢ଼ିବାରେ ସଫଳ ହୋଇଥିଲେ। କିନ୍ତୁ ଏସି କୋଚରେ ଟିଟିଆଉ ଯେତେବେଳେ ଟିକେଟ ମାଗିଥିଲେ ସେତେବେଳେ ସେ ଟିଟିଆଇକୁ ସବୁ କଥା କହିଥିଲେ।
ଆହୁରି ପଢ଼ନ୍ତୁ: ଆନ୍ଧ୍ର ପ୍ରଦେଶ କଣ୍ଟକପାଲ୍ଲୀ ରେଳ ଦୁର୍ଘଟଣା ସତ; ୨ ଚାଳକ ମୋବାଇଲରେ ଦେଖୁଥିଲେ କ୍ରିକେଟ୍ ମ୍ୟାଚ୍
ତେବେ ମହିଳା ନିଜ ଅଭିଯୋଗରେ କହିଛନ୍ତି ଯେ, ସେ ଟିଟିଙ୍କୁ ଜରିମାନା ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ କିନ୍ତୁ ହଠାତ୍ ରାଗରେ ଟିଟିଇ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେଇଥିଲେ। ମହିଳା ପ୍ଲାଟଫର୍ମ ଏବଂ ଟ୍ରେନ୍ ମଧ୍ୟରେ ଫସିଯାଇଥିଲେ। ପୋଲିସକର୍ମୀଙ୍କ ନଜର ମହିଳାଙ୍କ ଉପରେ ପଡ଼ିଥିଲା ଯାହା ପରେ ସେ ଚେନ୍ ପୁଲିଂ କରି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ହାତ, ମୁଣ୍ଡ ଏବଂ ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ବର୍ତ୍ତମାନ ସେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ମହିଳାଙ୍କ ଅଭିଯୋଗରେ ଟିଟିଇଙ୍କ ଉପରେ ମାମଲା ରୁଜୁ କରାଯାଇଛି। କୁହାଯାଉଛି ଟିଟିଇ ମହିଳାଙ୍କ ଲଗେଜ ମଧ୍ୟ ବାହାରକୁ ଫିଙ୍ଗିଦେଇଥିଲେ।