ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ସରକାର ଓ ପ୍ରତିଷ୍ଠିତ ହାର୍ଭାର୍ଡା ୟୁନିଭର୍ସିଟି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପ ପ୍ରଶାସନ ଚେତାବନୀ ଦେଇଛି ଯେ, ଯଦି ସେ କ୍ୟାମ୍ପସରେ ଇହୁଦୀ ଛାତ୍ରଛାତ୍ରୀଙ୍କ ପ୍ରତି ଭେଦଭାବ ଓ ଅସୁରକ୍ଷା ଅଭିଯୋଗ ଉପରେ ତୁରନ୍ତ ଓ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ , ତେବେ ଏହାର ବଳକା ଫେରେରାଲ ପାଣ୍ଠି ସମ୍ପୂର୍ଣ୍ଣ ବନ୍ଦ କରିଦିଆ ଯିବ। ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ଉପରେ ନାଗରିକ ଅଧିକାରର ଉଲ୍ଲଙ୍ଘନ ଓ ଇହୁଦୀ ବିରୋଧୀ ମାହୋଲକୁ ବୃଦ୍ଧି କରିବା ନେଇ ଅଭିଯୋଗ ଲଗାଇଛି।
ଆମେରିକୀୟ ସରକାର ପକ୍ଷରୁ ପଠାଯାଇ ଥିବା ଚିଠିରେ କୁହାଯାଇଛି ଯେ, ଇହୁଦୀ ଛାତ୍ରଛାତ୍ରୀଙ୍କର ବହୁମତ କ୍ୟାମ୍ପସରେ ପକ୍ଷପାତିତା ଓ ଭେଦଭାବର ସାମ୍ନା କରିବା କଥା କହିଥାଏ , ଯାହାକି ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଛାତ୍ର ନିଜକୁ ଶାରୀରିକ ଭାବେ ଅସୁରକ୍ଷିତ ଅନୁଭବ କରୁଛନ୍ତି।
ଉକ୍ତ ଚିଠିରେ ବିଶେଷ ରୂପେ ଅକ୍ଟୋବର ୨୦୨୩ରେ ହମାସର ହମଲା ଓ ଏହାର ଜବାବରେ ଗାଜାରେ ଇସ୍ରାଏଲୀୟ କାର୍ଯ୍ୟାନୁଷ୍ଠାନ ପରେ ଆମେରିକାର ବିଶ୍ୱବିଦ୍ୟାଳୟରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ , ହାର୍ଭାର୍ଡ ପ୍ରଶାସନ ବିଶ୍ୱବିଦ୍ୟାଳୟ ନିୟମର ଉଲ୍ଲଙ୍ଘନ କରିଥିବା ଛାତ୍ରଛାତ୍ରୀ ଓ ସଂଗଠନ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଅନ୍ୟପଟେ , ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୀତିକ ପ୍ରତିଶୋଧର ଭାବନା କହି ସରକାରଙ୍କ ବିରୋଧରେ ମାମଲା ଦାଏର କରି ଦେଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନର ଯୁକ୍ତି ଯେ ,ଏହି ପଦକ୍ଷେପ ଶୈକ୍ଷିକ ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତାର ମୂଲ୍ୟବୋଧ ବିରୁଦ୍ଧ।
ଏହି ପୂରା ମାମଲାରେ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ନିଜର ଶିକ୍ଷା ନୀତିରେ ବଡ଼ ପରିବର୍ତ୍ତନର କେନ୍ଦ୍ର କରିଛି। ହ୍ୱାଇଟ୍ ହାଉସ୍ ଏବେସୁଦ୍ଧା ୨.୬ ଡଲାର ବିଲିୟନ (ପାଖାପାଖି ୨୧,୬୦୦ କୋଟି)ର ଫଣ୍ଡିଂ ରୋକି ଦେଇଛି ଏବଂ ବିଶ୍ୱବିଦ୍ୟାଳୟର ଟ୍ୟାକ୍ସ ଛାଡ଼ର ସ୍ଥିତିର ପୁନର୍ବିଚାର କରିବା କଥା ମଧ୍ୟ କହିଛି।
ରିପୋର୍ଟରେ କୁହାଯାଇଛି ଯେ, ହାର୍ଭାର୍ଡର ପ୍ରଶାସନିକ ବିଫଳତା ଗୁଡ଼ିକ ଇହୁଦୀ ଛାତ୍ରଛାତ୍ରୀ , ଅଧ୍ୟାପକ ଓ ଷ୍ଟାଫ୍ଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି। ସରକାର କହିଛନ୍ତି ଯେ, ଯଦି ବିଶ୍ୱବିଦ୍ୟାଳୟ ସାମ୍ୱିଧାନିକ ପରିବର୍ତ୍ତନ ଓ ଦାୟିତ୍ୱ ସୁନିଶ୍ଚିତ ନକରେ , ତେବେ ଏହା ସଂଘୀୟ ସହାୟତାରୁ ସଂପୂର୍ଣ୍ଣ ବଞ୍ଚିତ ହୋଇ ପାରେ।