ରକ୍ତଦାନ କରିପାରିବେନି ଟ୍ରାନ୍ସଜେଣ୍ଡର-ଦେହଜୀବୀ, ସୁପ୍ରିମକୋର୍ଟଙ୍କୁ କାରଣ ଦର୍ଶାଇଲେ କେନ୍ଦ୍ର
11/03/2023 at 6:24 PM

ନୂଆଦିଲ୍ଲୀ, ୧୧/୦୩: ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖୁଥିବା ପୁରୁଷ (ଏମଏସଏମ) ଏବଂ ମହିଳା ଦେହଜୀବୀଙ୍କୁ ରକ୍ତଦାନ ଠାରୁ ଦୂରରେ ରଖିବା ପାଇଁ ରକ୍ତଦାତା ଚୟନ ଗାଇଡଲାଇନ ବିଷୟରେ ସ୍ପଷ୍ଟ କରିଛି କେନ୍ଦ୍ର। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଏହା ଜରୁରୀ ଯେ ରକ୍ତଦାନ କରୁଥିବା ବ୍ୟକ୍ତି ଏବଂ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ପୂରା ବିଶ୍ବାସ ରହିବା ଦରକାର ଯେ ଯେଉଁ ରକ୍ତ ସେ ଗ୍ରହଣ କରୁଛନ୍ତି ତାହା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ। ଏହା ସହ ଟ୍ରାନ୍ସଜେଣ୍ଡର, ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥିବା ପୁରୁଷ ଏବଂ ମହିଳା ଦେହଜୀବୀଙ୍କୁ ରକ୍ତ ଦାନ କରିବାରୁ ରୋକୁଥିବା ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ ହେଉଥିବା ଦାବିକୁ ମଧ୍ୟ ବିରୋଧ କରିଛନ୍ତି।
ପ୍ରକୃତରେ ଟ୍ରାନ୍ସଜେଣ୍ଡର, ଏମଏସଏମ ଏବଂ ମହିଳା ଦେହଜୀବୀଙ୍କୁ ରକ୍ତଦାନରୁ ଦୂରେଇ ରଖିବାର ମାର୍ଗଦର୍ଶିକା ବିରୋଧରେ ୨୦୨୧ରେ ହୋଇଥିବା ଜନସ୍ବାସ୍ଥ୍ୟ ମାମଲାକୁ ନେଇ ଫେବ୍ରୁଆରୀରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ସତ୍ୟପାଠ ଦାଖଲ ହୋଇଥିଲା। ସତ୍ୟପାଠରେ କେନ୍ଦ୍ର କହିଛି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ଏମଏସଏମ ଏବଂ ମହିଳା ଦେହଜୀବୀଙ୍କୁ ରକ୍ତଦାତାଙ୍କୁ ବାହାର କରିବା ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ ଥିଲା। ଏହି ପ୍ରମାଣ ବିଶ୍ବ ସ୍ତରରେ ମାନ୍ୟତାପ୍ରାପ୍ତ ଏବଂ ଭାରତରେ ବିଶ୍ବେଷଜ୍ଞଙ୍କ ଦ୍ବାରା ସ୍ବୀକାର ମଧ୍ୟ କରାଯାଇଛି।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସତ୍ୟପାଠରେ କହିଛନ୍ତି ଏହା ମହତ୍ବପୂର୍ଣ୍ଣ ଯେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ସିଷ୍ଟମ (ବିଟିଏସ)ର ପ୍ରାମାଣିକତାକୁ ମଜବୁତ କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉ। ଏହାଦ୍ବାର ଲୋକଙ୍କ ମନରେ ବିଶ୍ବାସ ଦୃଢ଼ ହେବ।
ମଣିପୁରର ଟ୍ରାନ୍ସଜେଣ୍ଡର ସମୁଦାୟର ସଦସ୍ୟ ଥଙ୍ଗଜାମ ସନ୍ତା ସିଂହ ଜନହିତ ମାମଲା ରୁଜୁ କରିଥିଲେ। ଯେଉଁଥିରେ ଯୁକ୍ତି ରଖାଯାଇଥିଲା ଯେ କେନ୍ଦ୍ର ଏବଂ ନାସନାଲ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କାଉନ୍ସିଲ (NBTC) ର ରକ୍ତଦାତା ଗାଇଡଲାଇନ୍ସ ଅସବୈଧାନିକ କାରଣ ଏହା ବ୍ୟକ୍ତିଙ୍କୁ ତାଙ୍କର ଲିଙ୍ଗଗତ ପ୍ରମାଣ ଏବଂ ଯୌନଗତ ଆଧାରରେ ଭେଦଭାବ କରିଥାଏ। କୋର୍ଟ ମାର୍ଚ୍ଚ ୨୦୨୧ ରେ କେନ୍ଦ୍ର ନାସନାଲ ଏଡ୍ସ କଣ୍ଟେ୍ରାଲ ଅର୍ଗାନାଇଜେସନ ଏବଂ ଏନବିଟିସି ଠାରୁ ଜବାବ ମାଗିଥିଲେ। ଯାଚିକା ଉପରେ ଚଳିତ ମାସ ଶେଷରେ ଶୁଣାଣି ହୋଇପାରେ।