ନୂଆଦିଲ୍ଲୀ ୧୮।୦୭; ତେଲେଙ୍ଗାନା ରଙ୍ଗାରେଡ୍ଡୀରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ରଙ୍ଗାରେଡ୍ଡୀ ଜିଲ୍ଲା ବେଙ୍ଗାଲୁରୁ ଗେଟ୍ ନିକଟରେ କାର୍ ଓ ଟ୍ରକ ଧକ୍କା ହୋଇ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ୪ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ଦୁର୍ଘଟଣାରେ ଅଦିବାତଲା ପୋଲିସ ମାମଲା ରୁଜ୍ଜୁ କରିଛି।
ପୋଲିସ ସୂଚନା ଅନୁସାରେ, ଦୁର୍ଘଟଣା ଶୁକ୍ରବାର ଭୋର ପ୍ରାୟ ୩.୨୬ ସମୟରେ ପେଡ୍ଡା ଆମ୍ବରପେଟ୍ ଏବଂ ବେଙ୍ଗାଲୁରୁ ମଧ୍ୟରେ ପିଲର ନମ୍ବର ୧୦୮ ନିକଟରେ ଘଟିଥିଲା । ୪ ଜଣ ଏକ ଲାଲ ରଙ୍ଗର କାର୍ ରେ ପେଡ୍ଡା ଆମ୍ବରପେଟ୍ ରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା । କାର୍ଟି ଏକ ଟ୍ରକ ପଛପଟେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା କରାଯାଇ ବିଏନ୍ ରେଡ୍ଡୀ ନଗରର ନୀଳାଦ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କାର୍ ଭଗ୍ନାବଶେଷ ଭିତରେ ୪ଜଣ ଚାପି ହୋଇ ରହିଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ମୃତଦେହ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାସ୍ଥଳରୁ ଟ୍ରକ ଚମ୍ପଟ ମାରିଥିଲା । ଗାଡିର ସନ୍ଧାନ ଜାରି ରହିଛି । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।