ନୂଆଦିଲ୍ଳୀ, ୨୩/୦୧: ବଜାରରୁ ୧୩ ଶହ ୟୁନିଟ୍ରୁ ଅଧିକ କାର୍ ଫେରାଇବାକୁ ସୂଚନା ଦେଇଛି ଟୋୟୋଟା। କମ୍ପାନି ଏହାର ଦୁଇ ମଡେଲ ଗ୍ଲାନଜା ଏବଂ ଅର୍ବାନ କ୍ରୁଜର୍ ହାଇରାଇଡର ୧୩୯୦ ୟୁନିଟ୍କୁ ଫେରାଇବାକୁ କହିଛି। ଏହି ଦୁଇ ମଡେଲର ଏୟାରବ୍ୟାଗ୍ କଣ୍ଟେ୍ରାଲରେ କିଛି ସମସ୍ୟା ଥିବା କୁହାଯାଉଛି। ଆଉ ଏହାକୁ ଠିକ୍ କରିବା ପାଇଁ କମ୍ପାନୀ ଏହି ରିକଲିଂ କରିଛି। ତେବେ ଏହି କାର୍ ମାଲିକମାନଙ୍କୁ ଯୋଗଯୋଗ କରାଯାଇଛି ଏବଂ ବିନା କୌଣସି ଦେୟରେ ଏହି ସମସ୍ୟାର ସମାଧାନ କରାଯିବ।
ସୂଚନା ଅନୁଯାୟୀ, ୮ ଡିସେମ୍ବର ୨୦୨୨ ରୁ ୧୨ ଜାନୁଆରୀ ୨୦୨୩ ମଧ୍ୟରେ ତିଆରି ହୋଇଥିବା କାର୍ ମଡେଲରେ ଏହି ଅସୁବିଧା ରହିଛି। ଟୋୟୋଟା ଓ୍ବେବସାଇଟ୍ରୁ ମାଲିକମାନେ ସେମାନଙ୍କର ଗାଡ଼ି ରିକଲିଂରେ ରହିଛି କିମ୍ବା ନାହିଁ ତାହା ଭିଆଇଏନ୍ ନମ୍ବର ଦ୍ବାରା ଜାଣିପାରିବେ। ନିକଟରେ ମାରୁତି ସୁଜୁକୀ ମଧ୍ୟ ଏହାର ପ୍ରାୟ ୧୭,୩୬୨ ୟୁନିଟ୍କୁ ସମାନ ତ୍ରୁଟିକୁ ନେଇ ବଜାରରୁ ଫେରାଇଥିଲା।