ଆଠଗଡ ନରସିଂହପୁର ଅଞ୍ଚଳରେ ବାଘୁଣୀ ସୁନ୍ଦରୀର ଆତଙ୍କ

Published By : Prameya-News7 Bureau | October 08, 2018 IST

କଟକ ୮|୧୦:  କଟକ ଜିଲ୍ଲା ଆଠଗଡ ନରସିଂହପୁରରେ ବାଘୁଣୀ ସୁନ୍ଦରୀ ଆତଙ୍କ ଦେଖାଦେଇଛି । ରାସ୍ତା ପାର ହେଉଥିବା ବେଳେ ବାଘୁଣୀ ସୁନ୍ଦରୀକୁ ଦେଖିଛନ୍ତି ଗ୍ରାମବାସୀ । ନରସିଂହପୁର ବ୍ଲକ୍ ଠାରୁ ୬ କିଲୋମିଟର ଦୂର ବଡଭୋଇରେ ସୁନ୍ଦରୀକୁ ଦେଖିବାକୁ ମିଳିଛି । ବାଘୁଣୀ ଏବେ ସ୍ଥାନୀୟ ବାଲିକିଆରି ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ଫଳରେ ନରସିଂହପୁର ବ୍ଲକ୍ ସାତକୋଶିଆ ଅଭୟାରଣ୍ୟ ପାଶ୍ବବର୍ତ୍ତୀ ଗାଁଗୁଡିକରେ ଭୟ ଓ ଆତଙ୍କର ବାତାବରଣ ଦେଖାଦେଇଛି। ଭୟରେ ସ୍କୁଲ ଯାଉନାହାନ୍ତି ପିଲା। ତିନିଦିନ ହେଲା ସ୍କୁଲଗୁଡିକୁ ଶିକ୍ଷକମାନେ ଯାଉଥିଲେ ମଧ୍ୟ ପିଲାମାନେ ଅନୁପସ୍ଥିତ ରହୁଛନ୍ତି। ତିନିଦିନ ହେଲା କିଛି ସ୍କୁଲରେ ଅଘୋଷିତ ଛୁଟି ହୋଇଛି । କେବଳ ସ୍କୁଲ ପିଲା ନୁହନ୍ତି, ଭୟରେ ଜଙ୍ଗଲ ମାଡୁନାହାନ୍ତି ଅଞ୍ଚଳବାସୀ। ଏପଟେ ବନ ବିଭାଗ ମଧ୍ୟ ଜଙ୍ଗଲକୁ ନଯିବା ପାଇଁ ଲୋକଙ୍କୁ ବାରଣ କରିଛି। ନରସିଂହପୁର ବ୍ଲକ୍ ର ସାତକୋଶିଆ ଜଙ୍ଗଲ ଓ ଆଖପାଖ ଗାଁରେ ଦୁଇ ଦିନ ଧରି ସୁନ୍ଦରୀ ବୁଲୁଥିବା ବେଳେ ଗତକାଲି ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଞ୍ଜ ଟୁଲକା ପାହାଡରେ ବୁଲୁଥିବା ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ବିଭାଗ ସୁନ୍ଦରୀର ଗତିବିଧି ଉପରେ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.