କେତେ ମହଙ୍ଗା ବାଘର ଚମଡ଼ା, ଦାନ୍ତ, ନଖ ଏବଂ ହାଡ଼ ? କାହିଁକି ଏଗୁଡ଼ିକୁ କରାଯାଏ ତସ୍କରୀ…

Published By : Prameya-News7 Bureau | July 29, 2025 IST

ନୂଆଦିଲ୍ଲୀ ୨୯।୦୭: ଜଙ୍ଗଲର ରାଜା ସିଂହ । ବାଘ ମଧ୍ୟ ତାଠାରୁ କମ୍ ନୁହେଁ । କିନ୍ତୁ ବାଘ ଜଙ୍ଗଲରେ କମ୍ ଏବଂ କଳାବଜାରୀଙ୍କ ହାତରେ ଅଧିକ ଦେଖିବାକୁ ମିଳୁଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ବାଘ ଚମଡ଼ା, ହାଡ଼, ଦାନ୍ତ, ନଖ ଏବଂ ଆଖି ମଧ୍ୟ ବହୁତ ଦାମ୍‌ରେ ବିକ୍ରି ହୁଏ। ଭାରତ ସମେତ ଏସୀୟ ଦେଶଗୁଡ଼ିକରେ ବାଘ ଶରୀରର ଅଙ୍ଗପ୍ରତ୍ୟଙ୍ଗର ଚୋରା ଚାଲାଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । 

ବର୍ଷ ବର୍ଷ ଧରି ଚୀନ୍ ଔଷଧରେ ବାଘର ହାଡ଼ ଏବଂ ଦାନ୍ତ ବ୍ୟବହାର ହେଉଛି । ବିଶ୍ୱାସ କରାଯାଏ ବାଘ ହାଡ଼ର ପାଉଡର ଅଲସର, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ପକ୍ଷାଘାତ ଏବଂ ପିଠି ଯନ୍ତ୍ରଣା ଭଳି ରୋଗ ଭଲ କରିପାରେ । ଏହି କାରଣରୁ ଗୋଟିଏ ବାଘ ହାଡର ମୂଲ୍ୟ ପ୍ରାୟ ୧୪୫୦ ଡଲାର ଅର୍ଥାତ୍ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥାଏ। ଆନ୍ତର୍ଜାତୀୟ ବଜାରରେ ବାଘ କଙ୍କାଳର ମୂଲ୍ୟ ପ୍ରାୟ ୫୦,୦୦୦ ଡଲାର ଅର୍ଥାତ୍ ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା। ଏହି ଚାହିଦା ହିଁ ବାଘର ଅସ୍ତିତ୍ୱକୁ ବିପଦରେ ପକାଉଛି । 

ବାଘ ଚୋରା ଚାଲାଣ କେବଳ ଶୌକ୍‌ କିମ୍ବା ପରମ୍ପରା ଯାଏଁ ସୀମିତ ନାହିଁ । ଏହା ଏକ ସଂଗଠିତ ଅପରାଧର ନେଟୱାର୍କ ପାଲଟିଛି । ଭାରତ, ଇଣ୍ଡୋନେସିଆ ଏବଂ ମାଲେସିଆ ଭଳି ଦେଶରେ ଶିକାର କରାଯାଉଥିବା ବାଘଗୁଡ଼ିକୁ ନେପାଳ, ମିଆଁମାର, ଥାଇଲ୍ୟାଣ୍ଡ, ଲାଓସ ଏବଂ ଭିଏତନାମ ଦେଇ ଚୀନ ଏବଂ ଭିଏତନାମ ଭଳି ଦେଶକୁ ପଠାଯାଏ ।

ଏହି ଦେଶଗୁଡ଼ିକରେ ତଦନ୍ତରୁ ବର୍ତ୍ତିବା ପାଇଁ ବାଘର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଛୋଟ ପାତ୍ରରେ ପଠାଯାଏ । ଅନେକ ସମୟରେ ବାଘ ଅଙ୍ଗରୁ ଟାଇଗଲ ବୋନ୍‌ ଓ୍ବାଇନ୍‌, ଔଷଧ ଏବଂ ଅନ୍ୟାନ୍ୟ ଉତ୍ପାଦ ତିଆରି କରାଯାଏ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.