ରାତିରେ ଲୁଚି ଲୁଚି ବୃଦ୍ଧ ମହିଳାଙ୍କୁ ଆକ୍ରମଣ କଲା ବାଘ, ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | September 30, 2021 IST

ମୁମ୍ୱାଇ, ୩୦/୦୯: କେବେ ଭାବିଛନ୍ତି ଅନ୍ଧାରରେ ଆପଣ ଘରୁ ବାହାରକୁ ଆସୁଛନ୍ତି, ଆଉ ସାମ୍ନାରେ ଠିଆ ହୋଇଛି ବାଘ । ସହର ମଝିରେ ଆଉ କଲୋନୀ ଭିତରେ, ଏମିତି ଅଚାନକ ବାଘ ହାବୁଡରେ ପଡିଗଲେ କଣ ହେବ । ଏମିତି ଏକ ଘଟଣା ମୁମ୍ବାଇ ଗୋରେଗାଓଁ ଇଲାକାରେ ଘଟିଛି । ପୂରା ଘଟଣା, ସିସିଟିଭି କ୍ୟାମେରାରେ କଏଦ ନହୋଇଥିଲେ, ବିଶ୍ବାସ କରିବା ବି ମୁସ୍କିଲ ହୋଇଥାନ୍ତା, କେମିତି ଜଣେ ମହିଳା ବାଘର ମୁକାବିଲା କରିଛନ୍ତି ।  

ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓଟି ବୁଧବାର ସଂଧ୍ୟା ୭.୪୫ ବେଳର । ଏଥିରେ ଦେଖାଯାଉଛି ଯେ, ମୁମ୍ବାଇ ଗୋରେଗାଓଁର ଏକ କଲୋନୀ ଭିତରେ ପଶି ବେଫିକର ପଇଁତରା ମାରୁଛି କଲରା ପତରିଆ ବାଘ । ଅନ୍ଧାରରେ ଆଖି ଦିଇଟା ଚକଚକ କରୁଛି । ରାତି ସାମାନ୍ୟ ନିଛାଟିଆ ହୋଇ ପଡିଛି । ଏଣେ ତେଣେ ଚୁପଚାପ ଶିକାର ଖୋଜୁଛି କଲରାପତରିଆ । କିନ୍ତୁ ରାତି ବେଶୀ ନୁହେଁ, ତେଣୁ ସ୍ବାଭାବିକ ଭାବରେ ମନକୁ ଆସୁଥିବ, ଯଦି କେହି ବାହାରକୁ ବାହାରି ଆସନ୍ତି । ଏହି ପ୍ରଶ୍ନର ଉତ୍ତର ଏବଂ ପୂରା ଘଟଣା କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଜଣେ ବୟସ୍କ ମହିଳା ଗେଟ୍ ଖୋଲି ଘରୁ ବାହାରି ଆସୁଛନ୍ତି । ହାତରେ ଧରିଛନ୍ତି ଆଶା ବାଡି, ତାହାରି ସାହାରାରେ ଧୀରେ ଧୀରେ ଚାଲୁଛନ୍ତି ଫୁଟପାଥ ପାଖରେ । ସେତେବେଳକୁ କଲରାପତରିଆ ସତର୍କ ହୋଇଗଲାଣି, ମହିଳାଙ୍କ ଉପରେ ନଜର ପକାଇ ସାରିଲାଣି । କିନ୍ତୁ ମହିଳା ଜଣକ ଏସବୁ ଜାଣି ପାରୁନଥିଲେ । ଚାଲିବାରେ କଷ୍ଟ ହେବାରୁ, ସେ ଫୁଟପାଥ ଉପରେ ବସିଗଲେ । ତାଙ୍କର ଠିକ ପଛରେ, ମାତ୍ର ୫-୬ ହାତ ଦୂରରେ ହୋଇ ଠିଆ ହୋଇଛି କଲରାପତରିଆ । ଝାମ୍ପି ପଡିବାକୁ ମଧ୍ୟ ତୟାର ହେଲାଣି । ସେତେବେଳ ଯାଏଁ ବି ମହିଳା ଏସବୁ କିଛି ଜାଣି ପାରୁନାହାନ୍ତି ।

wp:html https://www.youtube.com/watch?v=DnAkGdMmzAc /wp:html

ଅଚାନକ କଲରାପତରିଆ ବାଘ ମହିଳାଙ୍କ ଉପରେ ହମଲା କରି ଦେଇଥିଲା । ରାମ୍ପୁଡି କାମୁଡି ପକାଇଥିଲା । ଗଡେଇ ତଡେଇ କାମୁଡିଥିଲା । ବୟସ୍କ ମହିଳାଙ୍କ ପକ୍ଷରେ ଦୌଡି ପଳାଇବା ବି ଅସମ୍ଭବ, ଏଣେ କଲରାପତରିଆକୁ ସାମ୍ନା କରିବାକୁ ତାଙ୍କ ହାତରେ କେବଳ ଆଶା ବାଡି । ପ୍ରାଣ ବିକଳରେ ସେହି ଆଶା ବାଡିରେ ମହିଳା ଜଣକ କଲରାପତରିଆକୁ ବାଡେଇଥିଲେ । ତାସାଙ୍ଗକୁ ପାଟି କରିଥିଲେ । ତାଙ୍କ ପାଟି ଶୁଣି କିଛି ଲୋକ ପହଞ୍ଚି ଯିବା ଫଳରେ କଲରାପତରିଆ ବାଘ ପଳାଇଥିଲା । ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁମ୍ବାଇ ଗୋରେଗାଓଁ ଇଲାକାରେ ଏ ହେଉଛି ଚତୁର୍ଥ କଲରାପତରିଆ ହମଲା । ଗତ ସପ୍ତାହରେ ୪ବର୍ଷ ଏକ ଛୁଆକୁ ବି ହମଲା କରିଥିଲା । ବୁଧବାର ଘଟଣା ପରେ ସାରା ଇଲାକାରେ ଡର ପଶି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.